ସିଡି କାଣ୍ଡରୁ ହିରୋ

ଜେଲ ଯାଇଥିଲେ ବାଘେଲ୍‌ O ଜାମିନକୁ ମନାକରିଥିଲେ

ରାୟପୁର: କଂଗ୍ରେସ ଦଳ ପାଇଁ ଛତିଶଗଡ଼ରେ ଅହରହ ସଂଘର୍ଷ କରି ଶେଷରେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଭୂପେଶ ବାଘେଲ୍‌ ନିଜ ଦୃଢ଼ ମନୋବଳ ଏବଂ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ୨୦୧୭ରେ ସିଡି କାଣ୍ଡ ପାଇଁ ଚର୍ଚ୍ଚାରେ ରହିଥିଲେ ବାଘେଲ୍‌। ୨୭ ଅକ୍ଟୋବର ୨୦୧୭ରେ ଏକ ସେକ୍ସ ସିଡି ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ଛତିଶଗଡ଼ର ଜଣେ ମନ୍ତ୍ରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ଏହି ମାମଲାରେ ବିଜେପି କଂଗ୍ରେସ ନେତାଙ୍କ ବି‌ରୋଧରେ ସେକ୍ସ ସିଡି ବାଣ୍ଟିଥିବା ଅଭିଯୋଗ ଆଣିଥିଲା। ସିବିଆଇ ଏହି ମାମଲାର ତଦନ୍ତ ଭାର ନେଇଥିବା ବେଳେ ଅଦାଲତରେ ଭୂପେଶ ବାଘେଲ୍‌ ସିଡି ବାଣ୍ଟିବା ମାମଲ‌ାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ୧୪ ଦିନ ପାଇଁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଏହି ମାମଲାରେ ବା‌ଘେଲ୍‌ ଜାମିନ ନେବାକୁ ମନାକରିଥିଲେ ଏବଂ ନିଜକୁ ନିର୍ଦ୍ଦୋଷ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ। ଏହି ମାମଲାରେ ତାଙ୍କର ସଂଘର୍ଷ ଏବଂ ଜେଲ୍‌ ରହଣି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା।
୩୦ ମେ ୨୦୦୮ରେ ସତ୍‌ନାମୀ ସମାଜର ଧର୍ମଗୁରୁଙ୍କ ଗିରଫଦାରୀ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁ ମଧ୍ୟ ତାଙ୍କ ବିରୋଧରେ ରାୟପୁରରେ ମାମଲା ରୁଜୁ ହୋଇଥିଲା। ବିକ୍ଷୋଭ ସମୟରେ ଅଜଣା ବ୍ୟକ୍ତିଙ୍କ ଦ୍ବାରା ପୁଲିସ ଉପରେ ପଥରମାଡ଼ ହୋଇଥିଲା। ଏହି ଘଟଣାରେ ମଧ୍ୟ ବାଘେଲ୍‌ ଚର୍ଚ୍ଚାରେ ରହିଥିଲେ। ୨୦୦୩ରେ କଂଗ୍ରେସ କ୍ଷମତାରୁ ଚାଲିଯିବା ପରେ ବାଘେଲ୍‌ଙ୍କୁ ବିରୋଧୀ ଦଳର ଉପନେତା କରାଯାଇଥିଲା। ୨୦୧୪ରେ ସେ ଛତିଶଗଡ଼ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର