ଜୁନ୍‌ ଶେଷକୁ ଚେନ୍ନାଇରେ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ଟପିଯିବ!

ଚେନ୍ନାଇ : ଆଗାମୀ ଦିନରେ ଚେନ୍ନାଇରେ କୋଭିଡ-୧୯ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଏମିତିକି ଜୁନ୍‌ ଶେଷ ସୁଦ୍ଧା ଏଠାର ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରି ମୃତ୍ୟୁସଂଖ୍ୟା ୧୪୦୦ରେ ପହଞ୍ଚିବ ବୋଲି ତାମିଲନାଡୁର ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଅଧିକରୁ ଅଧିକ ପରୀକ୍ଷଣ, ଉପଯୁକ୍ତ ଚିକିତ୍ସା, ସଂଗରୋଧ ଓ ସାମାଜିକ ଦୂରତା ହିଁ ଚେନ୍ନାଇରେ କୋଭିଡ-୧୯ ବିସ୍ଫୋରଣକୁ ରୋକିପାରିବ ବୋଲି ଏହି ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ ଚେତାବନୀ ଦେଇଛି। ଅଧିକ ପରୀକ୍ଷଣ କରାନଗଲେ କୋଭିଡ-୧୯ ବୋମା ଭଳି ବିସ୍ଫୋରଣ କରିବ। ଏହି ଦଳ ଆହୁରି ଚେତାଇଛି ଯେ ଜୁନ୍‌ ଶେଷ ବେଳକୁ ଚେନ୍ନାଇରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଟପିବ। ଚେନ୍ନାଇରେ କୋଭିଡ-୧୯ ପରୀକ୍ଷଣ କରାଯାଉ ନଥିବାରୁ ଏହି ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ କ୍ଷୋଭ ପ୍ରକାଶ କରିଛି। ‌ଏହି ଦଳରେ ଚେନ୍ନାଇର ପ୍ରଖ୍ୟାତ ମହାମାରୀ ବିଶେଷଜ୍ଞ, ଶ୍ବାସରୋଗ ବିଶେଷଜ୍ଞ ଓ ରାଜ୍ୟର ପ୍ରମୁଖ ଡାକ୍ତରମାନେ ସାମିଲ ଅଛନ୍ତି। ଚେନ୍ନାଇର କରୋନା ଗ୍ରାଫ୍‌ ନିୟମିତ ବୃଦ୍ଧି ପାଇ ଚାଲିଛି ବୋଲି ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଏପିଡେମିଓଲୋଜିର ଉପନିର୍ଦ୍ଦେଶକ ଡାକ୍ତର ପ୍ରଭାଦୀପ କୌର କହିଛନ୍ତି। ଏହା ଆଗାମୀ ଦିନରେ ଚେନ୍ନାଇ ପାଇଁ ସଂକଟ ସୃଷ୍ଟି କରିବ। ଡାକ୍ତର କୌର୍‌ ଆହୁରି କହିଛନ୍ତି ଯେ ଚେନ୍ନାଇର ରେଡ୍‌ ଜୋନ୍‌ରେ ରହୁଥିବା ୨୦ ଲକ୍ଷ ଲୋକ ଏବେ ସବୁଠୁ ବେଶି ବିପଦରେ ଅଛନ୍ତି।

ସମ୍ବନ୍ଧିତ ଖବର