ଚୀନ୍କୁ ଟପିଲା ଭାରତ: ସଂକ୍ରମଣରେ ନବମ ସ୍ଥାନ, ୨୪ ଘଣ୍ଟାରେ ସର୍ବାଧିକ ୭୪୬୬ ମାମଲା
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ରେକର୍ଡ କରିଛି।। ଆଜି ରେକର୍ଡ ୭୪୬୬ ନୂଆ ମାମଲା ଆସିଥିବା ନେଇ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଭାରତ କରୋନା ସଂକ୍ରମଣ ସଂଖ୍ୟାରେ ବିଶ୍ବର ନବମ ସ୍ଥାନକୁ ଉଠିଛି। ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧ ଲକ୍ଷ ୬୧ ହଜାର ଅତିକ୍ରମ କରିଯିବା ସହ ଏହା ବିଶ୍ବର ନବମ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତୁର୍କୀକୁ ପଛରେ ପକାଇ ଦେଇଛି। ଭାରତରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି। ଗତକାଲି ଦେଶରେ ୧୭୫ ଜଣ ପ୍ରାଣ ହରାଇଥିବା ଆଜି ସରକାର ସୂଚନା ଦେଇଛନ୍ତି। ଭାରତରେ ମୋଟ କରୋନା ମୃତ୍ୟୁସଂଖ୍ୟା ୪୭୦୬ରେ ପହଞ୍ଚିବା ସହିତ ଚୀନକୁ ଅତିକ୍ରମ କରିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ଯୋଗୁଁ ଚୀନରେ ୪୬୩୪ ଜଣଙ୍କର ପ୍ରାଣ ହାନୀ ଘଟିଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଗୁରୁବାର ଗୋଟିଏ ଦିନରେ ମାମଲା ୧ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ସଂଖ୍ୟା ୧୬ ହଜାର ୩ ଶହରେ ପହଞ୍ଚିଛି। କରୋନା ଭାଇରସ୍କୁ ଭାରତରେ ୧୨୦ ଦିନ ପୂରଣ ହୋଇଛି। ଗତ ୧୬ ତାରିଖ ଦିନ ଭାରତ ଚୀନ୍ ଓ ପେରୁଠାରୁ ସଂକ୍ରମଣ ମାମଲାରେ ଆଗରେ ରହି ୧୧ତମ ସ୍ଥାନରେ ଥିଲା। ଏହାର ୮ ଦିନ ପରେ ଏହା ୧୦ମ ସ୍ଥାନରେ ପହଞ୍ଚିଥିବା ବେଳେ ଆଜି ନବମ ସ୍ଥାନରେ ପହଞ୍ଚିଛି ଓ ଏସିଆରେ ପ୍ରଥମ ସ୍ଥାନରେ ରହିଛି। ବିଶେଷଜ୍ଞଙ୍କ ମତ ଅନୁସାରେ ଭାରତ ଆଗାମୀ ୩ ସପ୍ତାହ ଭିତରେ ସପ୍ତମ ସ୍ଥାନକୁ ଚାଲିଯିବ।