୧୭୫ ବିଲିୟନ ଡଲାରକୁ ବଢିଲା ଚୀନର ପ୍ରତିରକ୍ଷା ବଜେଟ୍‌, ଭାରତର ୩ ଗୁଣ

ବେଜିଂ : ନିଜର ପ୍ରତିରକ୍ଷା ବଜେଟକୁ ୮.୧ ପ୍ରତିଶତ ବଢାଇଛି ଚୀନ । ଏହା ଫଳରେ ଚୀନର ପ୍ରତିରକ୍ଷା ବଜେଟ୍‌ ୧.୧୧ ଟ୍ରିଲିୟିନ ୟୁଆନ ବା ୧୭୫ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ଭାରତର ପ୍ରତିରକ୍ଷା ବଜେଟର ପ୍ରାୟ ତିନିଗୁଣ । ଗତ ବର୍ଷ ମଧ୍ୟ ଚୀନ ନିଜର ପ୍ରତିରକ୍ଷା ବଜେଟକୁ ୭ ପ୍ରତିଶତ ବୃଦ୍ଧି କରି ୧୫୦ ବିଲିୟନ ଡଲାର କରିଥିଲା । ସମଗ୍ର ବିଶ୍ୱରେ ନିଜର ପ୍ରତିପତ୍ତି ଜାହିର କରିବାକୁ ଚାହୁଁଥିବା ଚୀନ ନିଜର ସେନାର ଏକ ବୃହତ ଆଧୁନିକୀକରଣ ଯୋଜନା ହାତକୁ ନେଇଛି । ଏଥିଲାଗି ପ୍ରାୟ ପ୍ରତିବର୍ଷ ଚୀନ ନିଜର ପ୍ରତିରକ୍ଷା ବଜେଟ ବଢାଉଛି । ଚୀନର ପ୍ରତିରକ୍ଷା ବଜେଟ୍‌ ଏବେ ବିଶ୍ୱର ୨ୟ ବୃହତ୍ତମ ବଜେଟ୍‌ । ଏହା ସତ୍ତ୍ୱେ ଚୀନ ୧ନମ୍ବର ସ୍ଥାନରେ ଥିବା ଆମେରିକା ଠାରୁ ଅନେକ ପଛରେ ରହିଛି । ଆମେରିକାର ବାର୍ଷିକ ପ୍ରତିରକ୍ଷା ବଜେଟ୍‌ ପ୍ରାୟ ୬୮୬ ବିଲିୟନ ଡଲାର । ଏହା ଚୀନର ପ୍ରତିରକ୍ଷା ବଜେଟର ପ୍ରାୟ ସାଢେ ୪ ଗୁଣ ଓ ଭାରତର ବାର୍ଷିକ ପ୍ରତିରକ୍ଷା ବଜେଟ ( ପ୍ରାୟ ୫୫ ବିଲିୟନ ଡଲାର) ର ପ୍ରାୟ ୧୨ ଗୁଣ ।

 

ସମଗ୍ର ବିଶ୍ୱର ଚୀନ ନିଜକୁ ସୁପରପାଓ୍ଵାର ଭାବେ ପ୍ରମାଣିତ କରିବାକୁ ଚାହୁଁଛି । ଏଥିପାଇଁ ଚୀନ ବିଶ୍ୱର ସବୁ ଅଂଚଳରେ ନିଜର ସାମରିକ ପ୍ରଭାବ ବିସ୍ତାର କରୁଛି । ପ୍ରଥମେ ଦକ୍ଷିଣ ଚୀନ ସାଗର ଓ ଏବେ ଭାରତ ମହାସାଗରରେ ଚୀନ ନିଜର କୂଟନୈତିକ ଓ ସାମରିକ ପ୍ରଭାବ ବିସ୍ତାର କରୁଛି । ଆହୁରି ମଧ୍ୟ ଚୀନର ସାମରିକ ବଜେଟ୍‌ ଏବର୍ଷ ୮.୧ ପ୍ରତିଶତ ବୃଦ୍ଧି ପାଇ ୧୭୫ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି । ତେବେ ଚୀନର ପ୍ରକୃତ ପ୍ରତିରକ୍ଷା ବଜେଟ୍‌ ଏହାଠାରୁ ଅଧିକ ହେବ ବୋଲି କୁହାଯାଉଛି ।

 

 

 

ସମ୍ବନ୍ଧିତ ଖବର