ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ସବୁଠୁ ବଡ ବିପଦ: ମୋଦି

ଓ୍ଵାର୍ଲଡ ଇକନୋମିକ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଡାଭୋସ୍‌: ମାନବ ସଭ୍ୟତାର ଭବିଷ୍ୟତ ପାଇଁ ତିନୋଟି ପ୍ରସଙ୍ଗ ଏକ ବିପଦ ଭାବେ ଦେଖାଦେଇଛି । ସେଗୁଡିକ ହେଉଛି ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ସଂରକ୍ଷଣବାଦ । ବେଳଥାଉ ଥାଉ ବିଶ୍ୱ ସମୁଦାୟ ଏଗୁଡିକ ବିରୋଧରେ ଏକାଠି ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ସ୍ୱିଜରଲାଣ୍ଡର ଡାଭୋସଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ମଞ୍ଚ ବା ଓ୍ଵାର୍ଲଡ ଇକନୋମିକ ଫୋରମର ଉଦଘାଟନୀ ଭାଷଣ ଦେଇ ମୋଦି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱର ସ୍ଥିତି ପାଇଁ ଏକ ନମ୍ବର ବିପଦ ଭାବେ ଦେଖାଦେଇଛି । ମେରୁ ଅଞ୍ଚଳର ବରଫ ତରଳିବାରେ ଲାଗିଛି । ବିଶ୍ୱରେ କୌଣସି ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଆଉ ଏକ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭବ ହେଉଛି । ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସମଗ୍ର ବିଶ୍ୱରେ ସାମୁହିକ ଉଦ୍ୟମ ଜରୁରୀ ହୋଇପଡ଼ିଛି । ସେହିପରି ମାନବ ସଭ୍ୟତା ପାଇଁ ଆଉ ଏକ ବଡ଼ ବିପଦ ହେଉଛି ଆତଙ୍କବାଦ । କିନ୍ତୁ ଏହା ଆହୁରି ବଡ଼ ବିପଦରେ ପରିଣତ ହୁଏ ଯେତେବେଳେ କିଛି ଦେଶ ଭଲ ଆତଙ୍କବାଦ ଓ ଖରାପ ଆତଙ୍କବାଦ କୁହନ୍ତି । ସେହିପରି ବିଶ୍ୱରେ ଜଗତିକରଣ ଏବେ ଦୂର୍ବଳ ହୋଇଯାଇଛି ଓ ଅନେକ ଦେଶ କେବଳ ନିଜ ସ୍ୱାର୍ଥ କଥା ଭାବୁଛନ୍ତି । ଏଣୁ ସଂରକ୍ଷଣବାଦ ମଧ୍ୟ ସମଗ୍ର ବିଶ୍ୱ ପାଇଁ ଏକ ବିପଦ ବୋଲି ସେ କହିଛନ୍ତି ।

ଭାରତୀୟ ସଂସ୍କୃତି ହିଁ ଆବହମାନ କାଳରୁ କେବଳ ନିଜ ସ୍ୱାର୍ଥ ବଦଳରେ ସମଗ୍ର ବିଶ୍ୱକୁ ଏକ ପରିବାର ଭାବେ ଦେଖିଆସିଛି । ଏଥିପାଇଁ ଭାରତୀୟ ସଂସ୍କୃତିରେ ବସୁଧୈବ କୁଟୁମ୍ବକମର ଡାକରା ଦିଆଯାଇଛି । ଭାରତର ଅର୍ଥନୀତି ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି । ଆମର ଲକ୍ଷ୍ୟ ହେଉଛି ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନ । ଶେଷଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଓ୍ଵାର୍ଲଡ ଇକନୋମିକ ଫୋରମକୁ ଉଦବୋଧନ ଦେବାବେଳେ ଭାରତର ଜିଡିପି ଅଭିବୃଦ୍ଧି ହାର ୪୦୦ ବିଲିୟନ ଡଲାର ଥିଲା । କିନ୍ତୁ ଏବେ ତାହା ୬ ଗୁଣ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର