ମୋଦୀଙ୍କ ଚିଠିକୁ ନେଇ ଦ୍ୱନ୍ଦ୍ୱ:କଥାବାର୍ତା ପ୍ରସ୍ତାବ କଥା ମିଛ

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସୁସଂପର୍କ ସ୍ଥାପନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ସେହିଭଳି ଆଗକୁ ଯେମିତି ଉଭୟ ରାଷ୍ଟ୍ର ମଧ୍ୟରେ ଗଠନମୂଳକ ଓ ମହତ୍ତ୍ୱପୂର୍ଣ୍ଣ ରାଜିନାମା ହୋଇପାରିବ, ସେ ନେଇ ଭାରତ ପ୍ରସ୍ତୁତ ଅଛି। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନିକଟକୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ଅଗଷ୍ଟ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଇମ୍ରାନ୍‌ ଖାନ୍‌ଙ୍କୁ ମୋଦୀ ଚିଠି ଲେଖି ଶୁଭେଚ୍ଛା ଜଣାଇଥିଲେ। ଇମ୍ରାନ୍‌ ଏହି ଉତ୍ସବରେ କହିଥିଲେ ଯେ ସମସ୍ତ ପଡ଼ୋଶୀ ରାଷ୍ଟ୍ର ସହିତ ଉତ୍ତମ ସଂପର୍କ ସ୍ଥାପନ ପାଇଁ ପାକିସ୍ତାନ କାର୍ଯ୍ୟ କରିବ। ମୁଁ ସମସ୍ତ ପଡ଼ୋଶୀ ରାଷ୍ଟ୍ର ସହ କଥାବାର୍ତା କରିଛି। ଶାନ୍ତି ବିନା ଆମେ ଦେଶରେ ଶାନ୍ତି ଆଣି ପାରିବାନାହିଁ ବୋଲି ସେ ଦର୍ଶାଇଥିଲେ। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନ୍‌ଙ୍କ ଦଳ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ (ପିଟିଆଇ) ବିଜୟୀ ହେବା ପରେ ଇମ୍ରାନ୍‌ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଭାରତ ସହିତ ସୁସଂପର୍କ ସ୍ଥାପନ ପାଇଁ ସେ ଉଦ୍ୟମ କରିବେ ବୋଲି କହିଥିଲେ।
ଅନ୍ୟପକ୍ଷରେ ଦୁଇଦେଶ ମଧ୍ୟରେ କଥାବାର୍ତା ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି ଆଜି ନୂଆଦିଲ୍ଲୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କେବଳ ଇମ୍ରାନ୍‌ଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ କଥାବାର୍ତା ନେଇ କୌଣସି ପ୍ରସ୍ତାବ ଦେଇନାହାନ୍ତି। ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେଶି ସୋମବାର ଏଭଳି ଦାବି କରିଥିଲେ। ସେ କହିଥିଲେ, ଆମ ମଧ୍ୟରେ ଦୀର୍ଘ ବର୍ଷ ହେଲା ଅନେକ ସମସ୍ୟା ଅସମାହିତ ହୋଇ ରହିଛି। ଏଥିପାଇଁ କଥାବାର୍ତା ଛଡ଼ା ଆମ ପାଖରେ କୌଣସି ବିକଳ୍ପ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏ ନେଇ ପାକିସ୍ତାନ ସହ କଥାବାର୍ତା ପାଇଁ ପ୍ରସ୍ତାବ ଦେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର