କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ଭିଟାମିନ୍‌

ବିଜେପି ପାଇଁ କାଳ ହେଲା ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ନିଜ ଶକ୍ତି ପ୍ରଦର୍ଶନ କରିଛି। ୨ ଲୋକସଭା ଓ ୨ ବିଧାନସଭା ଆସନକୁ ନିଜ କବ୍‌ଜାକୁ ଆଣି ରାଜ୍ୟ ବିଜେପିକୁ ଝଟ୍‌କା ଦେଇଛି। ୩ଟି ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ଅନେକ କସରତ କରିଥିଲା। ୨୦୧୯ ନିର୍ବାଚନ ପାଇଁ ଏହା ମହତ୍ତ୍ବପୂର୍ଣ୍ଣ ଥିବାରୁ କେବଳ ବିଜେପି କାହିଁକି କଂଗ୍ରେସ-ଜେଡିଏସ୍‌ ମେଣ୍ଟ ମଧ୍ୟ ଭଲ ଭାବେ ପ୍ରସ୍ତୁତି କରିଥିଲେ। କିନ୍ତୁ ବିଜେପିକୁ‌ କେବଳ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ଦୁଇଟି ଆସନରେ ବିଜୟୀ ହୋଇ ମେଣ୍ଟ ଆଗାମୀ ଲୋକସଭା ନିର୍ବାଚନ ପାଇଁ ନିଜକୁ ଅଧିକ ଶକ୍ତିଶାଳୀ କରିଛି।
ଯେଉଁ ୫ଟି ଆସନ (୩ ଲୋକସଭା, ୨ ବିଧାନସଭା) ପାଇଁ ଉପନିର୍ବାଚନ ହୋଇଥିଲା, ତନ୍ମଧ୍ୟରୁ ୪ଟି ଆସନ ଇସ୍ତଫା ‌ଯୋଗୁ ଖାଲିପଡ଼ିଥିଲା। ୨ଟି ମହତ୍ତ୍ବପୂର୍ଣ୍ଣ ଲୋକସଭା ଆସନକୁ ବିଜେପି ଜାଣିଶୁଣି ହାତଛଡ଼ା କରିଦେଇଥିଲା। ସିମୋଗା ଲୋକସଭା ଆସନକୁ ବିଜେପିର ବରିଷ୍ଠ ନେତା ବି ଏସ୍‌ ୟେଦୁରପ୍ପା ଛାଡ଼ିଦେଇଥିଲା ବେଳେ ବେଲାରି ଆସନକୁ ଦଳର ଲୋକପ୍ରିୟ ନେତା ବି ଶ୍ରୀରାମୁଲୁ ଛାଡ଼ିଥିଲେ। ଦୁଇଜଣଯାକ ବିଧାନସଭା ନିର୍ବାଚନରେ ଜିତିବା ପରେ ଏଭଳି ପଦକ୍ଷେପ ନେଇଥିଲେ। କିନ୍ତୁ ଏହା ଦଳ ପାଇଁ ମହଙ୍ଗା ହୋଇଛି। ଯଦିଓ ସିମୋଗା ଆସନ ବିଜେପି ହାତରେ ରହିଛି, ବିଜେପି ଗଡ଼ କୁହାଯାଉଥିବା ବେଲାରି ହାତରୁ ଖସିଯାଇଛି।
ଅନ୍ୟପକ୍ଷରେ ଚଳିତବର୍ଷ ମେ ମାସରେ କର୍ଣ୍ଣାଟକରେ ହୋଇଥିବା ବିଧାନସଭା ନିର୍ବାଚନରେ ଜେଡିଏସ୍‌ ଓ କଂଗ୍ରେସ ପୃଥକ୍‌ ଭାବେ ଲଢ଼ିଥିଲେ। କିନ୍ତୁ ପରେ ଉଭୟ ମେଣ୍ଟ ଗଠନ କରି ରାଜ୍ୟରେ ସରକାର ଗଢ଼ିଥିଲେ। ତେବେ ଉପନିର୍ବାଚନରେ ମେଣ୍ଟକୁ ଫାଇଦା ମିଳିଥିବାରୁ ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ଉଭୟ ପୁଣି ଏକାଠି ଲଢ଼ିବେ। ଏହି ଉପନିର୍ବାଚନ ମେଣ୍ଟ ପାଇଁ ଭିଟାମିନ୍‌ ବୋଲି କୁହାଯାଉଛି।‌ ମେଣ୍ଟକୁ ମିଳିଥିବା ଏହି ଶକ୍ତିର ସାମ୍ନା କରିବା ବିଜେପି ପାଇଁ କଷ୍ଟକର ହେବ ବୋଲି ଆଶଙ୍କା କରାଯାଉଛି।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ମେ ମାସ ନିର୍ବାଚନରେ ୨୨୪ ବିଧାନସଭା ଆସନ ମଧ୍ୟରୁ ବିଜେପି ସର୍ବାଧିକ ୧୦୪ ଆସନ ଅକ୍ତିଆର କରିଥିଲା। ତେଣୁ ଉପନିର୍ବାଚନରେ ବିଜୟ ହାସଲ କରି ନିଜ ଶକ୍ତି ବଢ଼ାଇବ ବୋଲି ଆଶା ରଖିଥିଲା। କିନ୍ତୁ ରାମନାଗଡ଼ ଓ ଜାମଖଣ୍ଡିରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଜିତିବା ପରେ ରାଜ୍ୟ ବିଜେପିକୁ ନିରାଶ ହେବାକୁ ପଡ଼ିଛି। ରାମନାଗଡ଼କୁ ଜେଡିଏସ୍‌ର ଗଡ଼ ବୋଲି କୁହାଯାଉଥିବା ବେଳେ ବିଜେପି ଏଠାରେ ଜିତିବାକୁ ଚେଷ୍ଟା କରିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀଙ୍କ ପତ୍ନୀ ଅନିତା କୁମାରସ୍ବାମୀ ଜିତିବା ପରେ ଏଠାରେ ଦଳ ନିଜ ଉପସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଛି। ଜାମଖଣ୍ଡି ବିଧାନସଭା ଆସନରେ କଂଗ୍ରେସର ଆନନ୍ଦ ନ୍ୟାମଗୌଡ଼ା ସହାନୁଭୂତି ମାଧ୍ୟମରେ ବିଜୟ ହାସଲ କରିଛନ୍ତି। ତାଙ୍କ ପିତା ସିଦ୍ଦୁ ନ୍ୟାମଗୌଡ଼ାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା। ଏହି ଆସନରେ ବିଜେପିର କୁଲକର୍ଣ୍ଣୀ ଶ୍ରୀକାନ୍ତ ସୁବ୍ରାଓ ପରାଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର