‘ପ୍ରଥମ ମହିଳା’ ହେବାକୁ ଟ୍ରମ୍ପ୍‌ଙ୍କ ଦୁଇ ପତ୍ନୀଙ୍କ ମଧ୍ୟରେ ଲଢ଼େଇ!

ଓ୍ଵାସିଂଟନ: ଆମେରିକାର ପ୍ରଥମ ମହିଳା ଭାବେ ମେଲାନିଆ ଟ୍ରମ୍ପ୍‌ଙ୍କୁ ସମଗ୍ର ବିଶ୍ୱ ଜାଣିଛି। ତେବେ ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପ୍‌ ଏବେ ନିଜକୁ ପ୍ରଥମ ମହିଳା ଭାବେ ଦାବି କରି ମେଲାନିଆଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ମେଲାନିଆ ଏହାର ଜବାବରେ କହିଛନ୍ତି ଯେ ଇଭାନା ଏଭଳି ବୟାନ ଦେଇ କେବଳ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି। ୬୮ ବର୍ଷୀୟ ଇଭାନା ଜଣେ ପୂର୍ବ ମଡେଲ ଏବଂ ଶିଳ୍ପପତି ଭାବେ ଜଣାଶୁଣା। ୧୯୭୭ରେ ସେ ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କୁ ବିବାହ କରିଥିଲେ ଏବଂ ୧୯୯୨ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଇଭାନା ନିକଟରେ ତାଙ୍କ ଜୀବନ ଉପରେ ଆଧାରିତ ଏକ ପୁସ୍ତକର ପ୍ରଚାର ପାଇଁ ଟେଲିଭିଜନ କାର୍ଯ୍ୟକ୍ରମରେ କହିଥିଲେ- ମୋ ପାଖରେ ହ୍ଵାଇଟ୍‌ ହାଉସ୍‌ର ସିଧାସଳଖ ନମ୍ବର ରହିଛି, କିନ୍ତୁ ମୁଁ କଲ୍‌ କରିବାକୁ ଚାହୁନାହିଁ। ସେଠାରେ ମେଲାନିଆ ଅଛନ୍ତି, ସେ ମୋ ପାଇଁ ଇର୍ଷା କରିବେ। ଦେଖିବାକୁ ଗଲେ ମୁ ହିଁ ଟ୍ରମ୍ପ୍‌ଙ୍କ ପ୍ରଥମ ପତ୍ନୀ ବୋଲି ଇଭାନା କହିଛନ୍ତି।

ତେବେ ଟ୍ରମ୍ପ୍‌ଙ୍କ ତୃତୀୟ ପତ୍ନୀ ତଥା ପ୍ରଥମ ମହିଳା ମେଲାନିଆ ଇଭାନାଙ୍କ ଏହି ବୟାନକୁ ଗମ୍ଭୀରତାର ସହ ନେଇଛନ୍ତି। ମେଲାନିଆଙ୍କ ପ୍ରବକ୍ତା ଷ୍ଟେଫ୍‌ନି ଗ୍ରିସ୍‌୍‌ମ କହିଛନ୍ତି ଯେ ଆମେରିକାର ପ୍ରଥମ ମହିଳା ମେଲାନିଆ ଏବଂ ଏହା ତାଙ୍କର ସ୍ୱାଭାବିକ ଅଧିକାର। ଟ୍ରମ୍ପ୍‌ଙ୍କ ପ୍ରଥମ ପତ୍ନୀଙ୍କ ବୟାନ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି। ଛାଡ଼ପତ୍ର ସମୟରେ ଟ୍ରମ୍ପ୍‌ଙ୍କ ପ୍ରଥମ ପତ୍ନୀ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ଅଦାଲତକୁ କହିଥିଲେ ଯେ ଏଥିରେ ଟ୍ରମ୍ପ୍‌ଙ୍କ କୌଣସି ଅପରାଧିକ ଭାବନା ନଥିଲା। ଟ୍ରମ୍ପ୍‌ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାପରେ ଇଭାନା ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ମେଲାନିଆ ପ୍ରଥମ ମହିଳା ହେବାକୁ କେବେ ବି ଯୋଗ୍ୟ ନୁହନ୍ତି।

ସମ୍ବନ୍ଧିତ ଖବର