କୋଲେଜିୟମରେ ଅଟକିଲା କେଏମ ଜୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି କରାଯିବା ସଂପର୍କିତ ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏମ. ଜୋଶେଫ ସୁପ୍ରିମକୋର୍ଟ ବିଚାରପତି କରିବା ସମ୍ପର୍କିତ ନିଷ୍ପତ୍ତିକୁ ସୁପ୍ରିମକୋର୍ଟର କଲେଜିୟମ ସ୍ଥଗିତ ରଖିଛନ୍ତି । ପ୍ରଧାନ ବିଚାରପତି ଦିପକ ମିଶ୍ର, ଜଷ୍ଟିସ ଜେ. ଚେଲମେଶ୍ୱର,ରଂଜନ ଗୋଗୋଇ, ମଦନ ବି. ଲୋକୁର ଓ କୁରିଏନ ଜୋସେଫଙ୍କୁ ନେଇ ଗଠିତ କଲେଜିୟମର ଆଜି ବୈଠକ ବସିଥିଲା । ବୈଠକରେ ଜଷ୍ଟିସ କେ.ଏମ, ଜୋଶେଫଙ୍କୁ ନାମକୁ ପୁଣି ସୁପାରିଶ କରିବା ସଂପର୍କରେ ଆଲୋଚନା ହୋଇଥିଲା । କିନ୍ତୁ ଏ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିନାହିଁ । ଏହାଛଡ଼ା କୋଲକାତା, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ହାଇକୋର୍ଟର ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତିଭାବେ ପଦନ୍ନୋତି କରିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଗତ ସପ୍ତାହରେ କେନ୍ଦ୍ର ସରକାର କେଏମ ଜୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ କରିବା ପାଇଁ କୋଲେଜିୟମ କରିଥିବା ସୁପାରିଶକୁ ଫେରାଇ ଦେଇଥିଲେ । ଏଥିପାଇଁ ସରକାର ମୁଖ୍ୟତଃ ଦୁଇଟି କାରଣ ଦର୍ଶାଇଥିଲେ ।
ପ୍ରଥମ, ନ୍ୟାୟମୂର୍ତ୍ତି ଯୋଶେଫଙ୍କ ବରିଷ୍ଠତା ନାହିଁ। ବରିଷ୍ଠତା ତାଲିକାରେ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ଉପରେ ଆହୁରି ୪୧ଜଣ ହାଇକୋର୍ଟ ବିଚାରପତି ଅଛନ୍ତି। ସରକାରଙ୍କ ଯୁକ୍ତି ଯେ, ବରିଷ୍ଠତାରେ ୪୨ ନମ୍ବର ନ୍ୟାୟମୂର୍ତ୍ତି ଯୋଶେଫଙ୍କୁ ପଦୋନ୍ନତି ଦିଆଗଲେ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ ହେବ। ଦ୍ୱିତୀୟ କାରଣ, ଆଞ୍ଚଳିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ନ୍ୟାୟମୂର୍ତ୍ତି ଯୋଶେଫଙ୍କ ନିଯୁକ୍ତି ଭାରସାମ୍ୟ ପ୍ରଭାବିତ କରିବ। ନ୍ୟାୟମୂର୍ତ୍ତି ଯୋଶେଫ ମୂଳତଃ ବିଚାରପତି ଭାବେ ନିଯୁକ୍ତି ପାଇଥିବା କେରଳ ହାଇକୋର୍ଟର ବର୍ତ୍ତମାନ ସୁପ୍ରିମ୍ କୋର୍ଟ ବିଚାରପତି ମଣ୍ଡଳୀର ପ୍ରତିନିଧିତ୍ୱ ରହିଛି। ନ୍ୟାୟମୂର୍ତ୍ତି ଯୋଶେଫ ସୁପ୍ରିମ୍ କୋର୍ଟକୁ ଆସିଲେ କେରଳର ପ୍ରତିନିଧିତ୍ୱ ଅନୁପାତଠାରୁ ଅଧିକ ହେବ, ଯାହାଦ୍ୱାରା ଆଞ୍ଚଳିକ ଭାରସାମ୍ୟ ପ୍ରଭାବିତ ହୋଇପାରେ।

ସମ୍ବନ୍ଧିତ ଖବର