ଡିଏମକେ ରାଜନୀତି : ବାପା ମରିବା ସପ୍ତାହେ ପୂରିନି, ପରିବାରରେ କ୍ଷମତା ଲଢ଼େଇ ଆରମ୍ଭ

ଚେନ୍ନାଇ: ଡିଏମକେ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ମୃତ୍ୟୁ ୭ ଦିନ ପୂରି ନାହିଁ। ମାତ୍ର ଡିଏମକେ ପାର୍ଟିରେ ଅଧିକାର ସାବ୍ୟସ୍ତ କରିବା ପାଇଁ କରୁଣାନିଧିଙ୍କ ଦୁଇ ପୁଅଙ୍କ ଭିତରେ ଆରମ୍ଭ ହୋଇଯାଇଛି କ୍ଷମତା ପାଇଁ ଲଢ଼େଇ। ଚେନ୍ନାଇର ମେରିନା ବିଚ୍‌ରେ ଥିବା କରୁଣାନିଧିଙ୍କ ସମାଧିସ୍ଥଳରେ ଠିଆ ହୋଇ ଆଜି କରୁଣାନିଧିଙ୍କ ବଡ଼ପୁଅ ଏମ କେ ଆଲାଗିରି ନିଜ ଭାଇ ଏମ କେ ଷ୍ଟାଲିନଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ପଛରେ ସମଗ୍ର ଡିଏମକେ କର୍ମକର୍ତ୍ତାଙ୍କ ସମର୍ଥନ ରହିଛି। ଆଉ ସମୟ ଏହାର ଜବାବ ଦେବ ବୋଲି ଆଲାଗିରି ଖୋଲାଖୋଲିି ଭାବେ କହିଛନ୍ତି।  ଆଲାଗିରିଙ୍କ ମନ୍ତବ୍ୟ ଏଇଥି ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି ଯେ ଆସନ୍ତାକାଲି ଡିଏମକେର କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି।  ଏଥିରେ ଡିଏମକେର କାର୍ଯ୍ୟକାରୀ ସଭାପତି ଏମକେ ଷ୍ଟାଲିନଙ୍କୁ ପଦୋନ୍ନତି ଦିଆଯାଇ ଡିଏମକେର ସଭାପତି ଘୋଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ମିଟିଂର ଏଜେଣ୍ଡା ଅନୁଯାୟୀ, ଆସନ୍ତାକାଲି କରୁଣାନିଧିଙ୍କ ବିୟୋଗରେ କେବଳ ଶୋକସଭା ଅନୁଷ୍ଠତ ହେବ। ପରେ ଏହି କାର୍ଯ୍ୟକାରିଣୀ ଆସନ୍ତା ସାଧାରଣ ପରିଷଦ ବୈଠକ ପାଇଁ ଦିନ ଧାର୍ଯ୍ୟ କରିବେ। ସାଧାରଣ ପରିଷଦରେ ଷ୍ଟାଲିନଙ୍କୁ ସଭାପତି ଘୋଷଣା କରିବାର ବ୍ୟବସ୍ଥା କରାଯିବ।

ସୂଚନାଯୋଗ୍ୟ ଯେ ଆଲାଗିରିଙ୍କୁ କରୁଣାନିଧି ୨୦୧୪ ମସିହାରେ ଦଳବିରୋଧୀ କାର୍ଯ୍ୟପାଇଁ ପାର୍ଟିରୁ ବହଷ୍କାର କରିଥିଲେ। ପରେ ଷ୍ଟାଲିନଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ  ଘୋଷଣା କରିଥିଲେ। ଆଉ ୨୦୧୭ ମସିହାରେ ଷ୍ଟାଲିନଙ୍କ ଦଳର କାର୍ଯ୍ୟକାରୀ ସଭାପତି ଘୋଷଣା କରିଥିଲେ କରୁଣାନିଧି। ତେବେ ଦଳରୁ ବହିଷ୍କାର ହୋଇଥିଲେ ମଧ୍ୟ ନିଜ ବାପାଙ୍କୁ ସମ୍ମାନ ଜଣାଇ ଆଲାଗିରି ଏ ନେଇ ବିଶେଷ କିଛି ପାଟିଗୋଳ କରି ନ ଥିଲେ। ମାତ୍ର କରୁଣାନିଧିଙ୍କ ମୃତ୍ୟୁ ପରେ ପୁଣି ଥରେ ଅଲାଗିରି ସକ୍ରିୟ ହୋଇ ଉଠିଥିବାରୁ ଆଗାମୀ ଦିନରେ ଡିଏମକେ ରାଜନୀତି ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର