ଡୋକଲାମ ବିବାଦ ପରେ ଭାରତ-ଚୀନ୍‌ ପ୍ରଥମ ସୀମା ବୈଠକ

ନୂଆଦିଲ୍ଲୀ: ଦୀର୍ଘ ୭୩ ଦିନ ଧରି ଲାଗି ରହିଥିବା ଡୋକଲାମ ବିବାଦର ଅବସାନ ପରେ ଆଜି ପ୍ରଥମ ଥର ଲାଗି ଭାରତ ଏବଂ ଚୀନ୍‌ ମଧ୍ୟରେ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ସୀମା ବିବାଦ ଆଲୋଚନା ହୋଇଛି। ଏହା ଭାରତ ଏବଂ ଚୀନ୍‌ ମଧ୍ୟରେ ୨୦ତମ ସୀମା ବୈଠକ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ତାଙ୍କ ଚୀନ୍‌ ପ୍ରତିପକ୍ଷ ୟାଙ୍ଗ ଜିଏଚି ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଜି ନୁଆଦିଲ୍ଲୀରେ ସୀମା ସଂକ୍ରାନ୍ତ ଆଲୋଚନାରେ ସାମିଲ ହୋଇଛନ୍ତି। ଆଜି ବୈଠକରେ ଡୋକଲାମ୍‌ ବିବାଦ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ଏଥିସହ ଅନ୍ୟ ପ୍ରମୁଖ ସୀମା ସଂକ୍ରାନ୍ତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି। ତେବେ ଏହା ପୂର୍ବରୁ ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଙ୍ଗ ଭାରତକୁ ଚେତାବନୀ ଦେଇ କହିଥିଲେ ଯେ ଡୋକଲାମ୍‌ ବିବାଦ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ପ୍ରମୁଖ ପରୀକ୍ଷାରେ ପରିଣତ ହୋଇଛି ଏବଂ ଭବିଷ୍ୟତରେ ଏମିିତି ପରିସ୍ଥିତିରୁ ଦୂରେଇ ରହିବାଲାଗି ଉଭୟ ଭାରତ ଏବଂ ଚୀନ୍‌ ଏଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍‌। ଉଲ୍ଲେଖଯୋଗ୍ୟ ଭୁଟାନ୍‌ ଅଞ୍ଚଳରେ ଚୀନ୍‌ର ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଜୁନ୍‌ ୧୬ରେ ଆରମ୍ଭ ହୋଇଥିବା ଡୋକଲାମ ବିବାଦ ଉଭୟ ଭାରତ ଏବଂ ଚୀନ୍‌ ମଧ୍ୟରେ ପାରସ୍ପରିକ ବୁଝାମଣା ଦ୍ୱାରା ଅଗଷ୍ଟ ୨୮ ତାରିଖରେ ସମାଧାନ ହୋଇଥିଲା।

ସମ୍ବନ୍ଧିତ ଖବର