ବିଫଳ ହୋଇଥିଲା ଗତ ଶନିବାର ହୋଇଥିବା ‘ଅଗ୍ନି-୩’ର ପରୀକ୍ଷଣ ! ବିଫଳତାର କାରଣ ଖୋଜିବ ଡିଆରଡିଓ

ନୂଆଦିଲ୍ଲୀ : କଣ ଗତ ଶନିବାରଦିନ ଓଡ଼ିଶା ଉପକୂଳରେ ଥିବା କାଲାମ ଦ୍ୱୀପରୁ ଉତକ୍ଷେପଣ ହୋଇଥିବା ଅଗ୍ନି-୩ କ୍ଷେପଣାସ୍ତ୍ରର ପରୀକ୍ଷଣ ବିଫଳ ହୋଇଥିଲା ? କଣ ଏହା ଅଳ୍ପ କିଛି ବାଟ ଗଲା ପରେ ହିଁ ବିଫଳ ହୋଇଯାଇଥିଲା ?

‘ଦ ପ୍ରିଣ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗତ ଶନିବାର ହୋଇଥିବା ଅଗ୍ନି-୩ର ପ୍ରଥମ ରାତ୍ରୀକାଳୀନ ପରୀକ୍ଷଣ ବିଫଳ ହୋଇଥିଲା । ପ୍ରାୟ ୩ ହଜାର କିଲୋମିଟର ରେଞ୍ଜ୍‌ ଥିବା ଏହି କ୍ଷେପଣାସ୍ତ୍ର ମାତ୍ର ୧୧୫ କିଲୋମିଟର ଯିବା ପରେ ନିଜର ସ୍ୱାଭାବିକ ଗତିପଥରୁ ଅଲଗା ହେବାରେ ଲାଗିଲା । ଏହାକୁ ଦୃଷ୍ଟିରେ ରଖି ମିଶନ ଟିମ ଆକାଶରେ ହିଁ ଏହାକୁ ଧ୍ୱଂସ କରିଦେଇଥିଲେ । ଏବେ ବିଫଳତାର କାରଣ ଖୋଜିବାକୁ ଡିଆରଡିଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କ୍ଷେପଣାସ୍ତ୍ରର ନିର୍ମାଣ ବେଳେ ରହିଯାଇଥିବା କେତେକ ତ୍ରୁଟି ଯୋଗୁଁ ଏପରି ହୋଇଥିବା ସଂଦେହ କରାଯାଉଛି ।

ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଆରଡିଓ) ଦ୍ୱାରା ବିକଶିତ ଅଣୁ ଅସ୍ତ୍ରବହନ କରିପାରୁଥିବା ଅଗ୍ନି-୩ ଇତି ମଧ୍ୟରେ ଭାରତୀୟ ସେନାରେ ସାମିଲ ହୋଇସାରିଛି । ଏହାର ରେଞ୍ଜରେ ପାକିସ୍ତାନର ସବୁ ଅଞ୍ଚଳ ଓ ଚୀନର ଅଧିକାଂଶ ଅଂଚଳ ଆସୁଛି । ପୂର୍ବରୁ ଅଗ୍ନି-୩ର ଅନେକ ଥର ପରୀକ୍ଷା କରାଯାଇଥିଲେ ମଧ୍ୟ ଗତ ଶନିବାରଦିନ ପ୍ରଥମ ଥର ପାଇଁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା ରାତିରେ ହୋଇଥିଲା ।

ସମ୍ବନ୍ଧିତ ଖବର