ଘଟଣାକ୍ରମ:ତୁରନ୍ତ ଫାଶୀ ଦିଅ

ନୂଆଦିଲ୍ଲୀ: ନିର୍ଭୟା ଗୁଣଦୁଷ୍କର୍ମ ମାମଲାରେ  ସୁପ୍ରିମ୍‌କୋର୍ଟ ୩ ଜଣ ଅଭିଯୁକ୍ତଙ୍କ ରିଭ୍ୟୁ ପିଟିସନ୍‌କୁ ଖାରଜ କରିଦେବା ପରେ ସେମାନଙ୍କୁ ତୁରନ୍ତ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ପୀଡ଼ିତାଙ୍କ ପିତାମାତା ଅନୁରୋଧ କରିଛନ୍ତି। କହିଛନ୍ତି, ଆଉ ଅଧିକ ସମୟ ନଷ୍ଟ ନ କରି ଦୋଷୀମାନଙ୍କୁ ଦଣ୍ଡବିଧାନ କରାଯିବା ଆବଶ୍ୟକ। ତେବେ ଆଜି ସୁପ୍ରିମ୍‌କୋର୍ଟଙ୍କ ରାୟକୁ ପ୍ରଶଂସା କରି ସେମାନେ କହିଛନ୍ତି, ଦେଶର ବିଚାର ବ୍ୟବସ୍ଥା ଉପରେ ଆମର ବିଶ୍ୱାସ ବଢ଼ିବାରେ ଲାଗିଛି। ରାୟ ପ୍ରକାଶ ପରେ ଦିଲ୍ଲୀ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ମାଆ ଆଶାଦେବୀ କହିଛନ୍ତି ଯେ ତାଙ୍କୁ ତୁରନ୍ତ ନ୍ୟାୟ ମିଳିବା ଦରକାର। ବିଶେଷକରି ନିର୍ଭୟାକୁ ନ୍ୟାୟ ଦେବା ପାଇଁ ଦେଶର ବିଚାର ବ୍ୟବସ୍ଥାକୁ କଠୋର କରିବା ପାଇଁ ସେ ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି, ଆମର ସଂଘର୍ଷ ଏଇଠି ସରୁନାହିଁ। କାରଣ ଦେଶରେ ବିଚାର ପ୍ରକ୍ରିୟା ବିଳମ୍ବ ହେଉଛି। ଏହା ସମାଜର ଅନ୍ୟ ପୀଡ଼ିତାଙ୍କୁ ନ୍ୟାୟ ଯୋଗାଇବାରେ ବାଧକ ସାଜୁଛି। ତେଣୁ ନିର୍ଭୟା ଦୋଷୀଙ୍କୁ ତୁରନ୍ତ ଫାଶୀ ଦେଇ ଅନ୍ୟ ପୀଡ଼ିତାଙ୍କ କଥା ବିଚାର କରାଯିବା ଦରକାର।
ଅନ୍ୟପକ୍ଷରେ ପୀଡ଼ିତାଙ୍କ ବିତା ବଦ୍ରିନାଥ ସିଂହ କହିଛନ୍ତି, ଆମେ ଜାଣିଥିଲୁ ଆଜି ସୁପ୍ରିମ୍‌କୋର୍ଟରେ ଅପରାଧୀମାନଙ୍କ ଆବେଦନ ଖାରଜ ହୋଇଯିବ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଗୁରୁତ୍ୱପୂର୍ଣ୍ଣ। ଏବେ ବହୁତ ବିଳମ୍ବ ହୋଇଗଲାଣି। ଦୋଷୀଙ୍କୁ ଶୀଘ୍ର ଫାଶୀ ଦିଆଗଲେ ଦେଶରେ ଦୁଷ୍କର୍ମ ଓ ହତ୍ୟା ଭଳି ଘୃଣ୍ୟ ଘଟଣା ସଂଖ୍ୟା ହ୍ରାସ ପାଆନ୍ତା। ତଥାପି ମୋର ବିଶ୍ୱାସ ନିର୍ଭୟା ମାମଲାର ଅପରାଧୀମାନେ ତୁରନ୍ତ ଫାଶୀ ପାଇବେ। ଅପରାଧୀଙ୍କ ମାମଲା ଲଢୁଥିବା ଓକିଲ ଏ ପି ସିଂହ କହିଛନ୍ତି, ସମସ୍ତଙ୍କ ପାଇଁ ଆଇନ ସମାନ ହେବା ଉଚିତ। କିନ୍ତୁ ତାଙ୍କ ମହକିଲଙ୍କ କ୍ଷେତ୍ରରେ ଅନ୍ୟାୟ କରାଯାଉଛି। ଗଣମାଧ୍ୟମ, ଜନତା ଓ ରାଜନୈତିକ ଚାପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏନ୍‌ସିଡବ୍ଲ୍ୟୁର ଅଧ୍ୟକ୍ଷା ରେଖା ଶର୍ମା ଏହି ରାୟକୁ ସମର୍ଥନ ଜଣାଇଛନ୍ତି। ତୁରନ୍ତ ଦୋଷୀମାନଙ୍କୁ ଫାଶୀ ଦେବାକୁ ସେ ଅନୁରୋଧ କରିଛନ୍ତି।
ଆଉ ଦୁଇଟି ବିକଳ୍ପ
ସୁପ୍ରିମ୍‌କୋର୍ଟ ଆଜି ୪ ଅଭିଯୁକ୍ତଙ୍କ ରିଭ୍ୟୁ ପିଟିସନ୍‌କୁ ଖାରଜ କରି ସେମାନଙ୍କ ମୃତ୍ୟୁଦଣ୍ଡ ବାଟ ସଫା କରିଦେଇଛନ୍ତି। ତଥାପି ସେମାନଙ୍କ ନିକଟରେ ଏବେ ବି ଦୁଇଟି ବିକଳ୍ପ ରହିଛି, ଯାହାକୁ ମାଧ୍ୟମ କରି ସେମାନେ ଫାଶୀ ଦଣ୍ଡକୁ କୋହଳ କରିପାରିବେ। ପ୍ରଥମତଃ ଅଭିଯୁକ୍ତମାନଙ୍କ ପକ୍ଷରୁ ହେଉ ବା ତୃତୀୟ ପକ୍ଷରୁ କ୍ୟୁରେଟିଭ୍‌ ପିଟିସନ୍‌ କରାଯାଇ ପାରିବ। ଏହି ପିଟିସନ୍‌ ଦ୍ୱାରା ଅଭିଯୁକ୍ତ ଫାଶୀ ଦଣ୍ଡକୁ କୋହଳ କରିବା ପାଇଁ ପ୍ରାର୍ଥନା କରିପାରିବେ। ରିଭ୍ୟୁ ପିଟିସନ୍‌ ଖାରଜ ପରେ ହିଁ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ ହୋଇଥାଏ। ଦ୍ୱିତୀୟ ତଥା ଅନ୍ତିମ ବିକଳ୍ପ ଭାବେ ସେମାନେ ରାଷ୍ଟ୍ରପତିଙ୍କ ନିକଟରେ ସର୍ବକ୍ଷମା ପାଇଁ ଗୁହାରି କରିପାରିବେ। କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ପରେ ଏହି ବିକଳ୍ପର ବ୍ୟବହାର କରାଯାଇ ପାରିବ। ଅର୍ଥାତ୍‌ କୋର୍ଟଙ୍କ ପକ୍ଷରୁ ସବୁ ବାଟ ବନ୍ଦ ହୋଇଯିବା ପରେ ଅପରାଧୀ ଏହି ରାସ୍ତା ଆପଣାଇ ପାରିବେ।
ଡିସେମ୍ବର ୧୬, ୨୦୧୨: ଚଳନ୍ତା ବସ୍‌ରେ ଦିଲ୍ଲୀର ଜଣେ ପାରାମେଡିକାଲ ଛାତ୍ରୀଙ୍କୁ ଜଣେ ନାବାଳକଙ୍କ ସମେତ ୬ ଜଣ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ଘଟାଇ ସେମାନେ ପୀଡ଼ିତାଙ୍କୁ ବସ୍‌ରୁ ବାହାରକୁ ଫିଙ୍ଗିଦେଇଥିଲେ
ଡିସେମ୍ବର ୧୭, ୨୦୧୨: ଦିଲ୍ଲୀ ପୁଲିସ ଏହି ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ତଥା ବସ୍‌ ଡ୍ରାଇଭର ରାମ ସିଂହ, ତା’ ଭାଇ ମୁକେଶ, ବିନୟ ଶର୍ମା ଏବଂ ପବନ ଗୁପ୍ତାଙ୍କୁ ଚିହ୍ନଟ କରିଥିଲା
ଡିସେମ୍ବର ୧୮, ୨୦୧୨: ସମସ୍ତ ୪ ଅଭିଯୁକ୍ତ ଗିରଫ ହେଲେ
ଡିସେମ୍ବର ୨୯, ୨୦୧୨ : ପୀଡ଼ିତା ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ୍‌ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ
ଜାନୁଆରି ୩, ୨୦୧୩ : ପାଞ୍ଚଜଣ ସାବାଳକ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ
ଫେବ୍ରୁଆରି ୨୮, ୨୦୧୩ : ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ମାମଲାରେ ନାବାଳକ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରିଥିଲେ
ମାର୍ଚ୍ଚ ୧୧, ୨୦୧୩ : ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲ୍‌ରେ ଆତ୍ମହତ୍ୟା କରିଥିଲା
ସେପ୍ଟେମ୍ବର ୧୩, ୨୦୧୩ : ୪ ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ବିଚାରପତି ଯୋଗେଶ ଖାନ୍ନା ଫାଶୀଦଣ୍ଡାଦେଶ ଦେଇଥିଲେ।
ମାର୍ଚ୍ଚ ୧୩, ୨୦୧୪ : ଦିଲ୍ଲୀ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ।
ମେ’ ୫, ୨୦୧୭ : ହାଇକୋର୍ଟ ଫାଶୀ ଦଣ୍ଡାଦେଶ ସୁପ୍ରିମକୋର୍ଟରେ କାଏମ

ସମ୍ବନ୍ଧିତ ଖବର