ଏକଜିଟ୍ ପୋଲ୍ : ଏମ୍‌ପି, ଛତିଶଗଡ଼ରେ ଟକ୍କର

ରାଜସ୍ଥାନରେ କଂଗ୍ରେସ, ତେଲେଙ୍ଗାନାରେ ଟିଆର୍‌ଏସ୍‌!

ନୂଆଦିଲ୍ଲୀ : ରାଜସ୍ଥାନରେ କଂଗ୍ରେସ ଏବଂ ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସିମିତି (ଟିଆରଏସ୍) ବିଜୟୀ ହେବେ। ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ଏବଂ କଂଗ୍ରେସ ମଧ୍ୟ‌େ‌ର କଡ଼ା ଟକ୍କର। କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନପାରେ। ଅନ୍ୟପକ୍ଷରେ କଂଗ୍ରେସ ହାତରୁ ଖସିଯିବ ମିଜୋରାମ‌। ଏଠାରେ ମିଜୋ ନେସନାଲ ଫ୍ରଣ୍ଟ (ଏମଏନଏଫ୍) ସରକାର ଗଠନ କରିବ। ନିର୍ବାଚନ ବେଳେ ଏହି ୫ଟି ରାଜ୍ୟରେ କରାଯାଇଥିବା ଏକଜିଟ୍ ପୋଲ ସର୍ଭେ ବା ବୁଥ୍‌ବାହୁଡ଼ା ମତରୁ ଏଭଳି ସୂଚନା ମିଳୁଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମରେ ଗତମାସ ନିର୍ବାଚନ ହୋଇଥିବା ବେଳେ ଆଜି ରାଜସ୍ଥାନ ଓ ତେଲେଙ୍ଗାନାରେ ଭୋଟ୍ ଗ୍ରହଣ କରାଯାଇଛି। ମତଦାନ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରଯାଇଥିବା ଏଭଳି ସର୍ଭେ ରି‌‌େପାର୍ଟ ପ୍ରକାଶ କରାଯାଇଛି। ତେ‌େବ ଆସନ୍ତା ୧୧ ତାରିଖ ମଙ୍ଗଳବାର ଦିନ ଭୋଟଗଣତି ପରେ ଚିତ୍ର ସ୍ପଷ୍ଟ ହୋଇଯିବ।

ଆସନ୍ତାବର୍ଷ ପ୍ରଥମ ଭାଗରେ ସାଧା‌ରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ଅଗ୍ନି ପରୀକ୍ଷା ହୋଇଛି। ଏହି ନିର୍ବାଚନର ଫଳାଫଳ ଆଗାମୀ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଯେଉଁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି ସେଥିମଧ୍ୟରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି କ୍ଷମତାସୀନ ଥିବାବେଳେ ତେଲେଙ୍ଗାନାରେ ଟିଆରଏସ୍ ଏବଂ ମିଜୋରମରେ କଂଗ୍ରେସ ଶାସନରେ ରହିଛି। ତେବେ ଏକଜିଟ୍ ପୋଲ ସର୍ଭେରୁ ଜଣାପଡ଼ିଛି ଯେ ତେଲେଙ୍ଗାନାକୁ ଛାଡ଼ିଦେଲେ ଅନ୍ୟ ୪ଟି ରାଜ୍ୟରେ ଫଳାଫଳ ଓଲଟପାଲଟ ହୋଇପାରେ।

ସର୍ଭେରୁ ଜଣାପଡ଼ିଛି ଯେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଅନ୍ୟମାନଙ୍କ ତୁଳନାରେ ଅଧିକ ଆସନ ପାଇବାର ସମ୍ଭାବନା ଥିଲେ ମଧ୍ୟ ଏହି ଦୁଇ ରାଜ୍ୟରେ ବିଜେପିର ଲୋକପ୍ରିୟତା ହ୍ରାସ ପାଇଛି। ସେହିଭଳି ତେଲେଙ୍ଗାନାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ପାର୍ଟିର ଲୋକପ୍ରିୟତା ମଧ୍ୟ କମିଯାଇଛି।

୨୩୦ ସଭ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ୧୧୬ଟି ଆସନ ଦରକାର ଥିବା ବେଳେ ବିଜେପି ଏହି ସଂଖ୍ୟା ହାସଲ କରିବ ବୋଲି ଇଣ୍ଡିଆ ଟିଭି ଏବଂ ରିପବ୍ଲିକ୍ ଟିଭି ପୂର୍ବାନୁମାନ କରିଛନ୍ତି। ଇଣ୍ଡିଆ ଟୁଡେ ଉଭୟ ବି‌େଜପି ଓ କଂଗ୍ରେସକୁ ସମାନ ସଂଖ୍ୟକ ଆସନ ଦେଇଥିବା ବେଳେ ଅନ୍ୟମାନେ ଝୁଲା ବିଧାନସଭା ହେବ ବୋଲି କହିଛନ୍ତି। ରାଜ୍ୟରେ ୧୫ ବର୍ଷ ହେଲା ବିଜେପି ସରକାର ରହିଛି। ସେହିଭଳି ଛତିଶଗଡ଼ରେ ଦୁଇଟି ସଂସ୍ଥା ବିଜେପି ସପକ୍ଷରେ ମତ ଦେଇଥିବା ବେଳେ ତିନିଟି ସଂସ୍ଥା କଂଗ୍ରେସ ସପକ୍ଷରେ ମତ ଦେଇଛନ୍ତି। ଦୁଇଟି ସଂସ୍ଥା ଝୁଲା ବିଧାନସଭା ହେବ ବୋଲି କହିଛନ୍ତି।

ସେହିଭଳି ରାଜସ୍ଥାନରେ ପ୍ରାୟ ସବୁ ସଂସ୍ଥା ପୂର୍ବାନୁମାନ କରିଛନ୍ତି ଯେ ୧୦ ବର୍ଷ ଧରି ଶାସନରେ ଥିବା ବସୁନ୍ଧରା ରାଜେଙ୍କ ନେତୃତ୍ବାଧୀନ ବିଜେପି ସରକାର ପରାଜୟର ସମ୍ମୁଖୀନ ହେବ। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ। ତେବେ ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ କ୍ଷମତା ବଜାୟ ରଖିବ। କିନ୍ତୁ ଏହାର ଆସନ ସଂଖ୍ୟା ୯୦ରୁ ୭୦କୁ ହ୍ରାସ ପାଇପାରେ। ରାଜ୍ୟରେ କଂଗ୍ରେସ ଓ ଟିଡିପିର ଶକ୍ତି ବୃଦ୍ଧି ପାଇବ। ମିଜେରାମରେ କଂଗ୍ରେସକୁ ହରାଇ ମିଜୋ ନେସନାଲ ଫ୍ରଣ୍ଟ ସରକାର ଗଠନ କରିପାରେ। ତେବେ ଦୁଇ ଦଳ ମଧ୍ୟ କଡ଼ା ଟକ୍କର ହେବ ବୋଲି ଦୁଇଟି ସଂସ୍ଥା ସେମାନଙ୍କ ସର୍ଭେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର