କୋଲକାତାରେ ଭୁଶୁଡ଼ିଲା ଫ୍ଲାଏଓଭର ବ୍ରିଜ୍‌, ଜଣେ ମୃତ, ୩ ଗୁରୁତର, ଉଦ୍ଧାର କାର୍ଯ୍ୟରେ ସେନା ସାମିଲ

କୋଲକାତା: କୋଲକାତାର ମଜେରହାଟ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ଫ୍ଲାଏ ଓଭର ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଫ୍ଲାଏଓଭର ବ୍ରିଜ୍‌ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୪୦ ବର୍ଷ ପୁରୁଣା ଏହି ଫ୍ଲାଏଓଭର ତଳେ ବହୁ ଗାଡ଼ି ଓ ଦୁଇଚକିଅା ଯାନ ଚାପି ହୋଇଥିବା ଅାଶଙ୍କା କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ .ଘୋଷଣା କରିଛନ୍ତି।

ଏହି ଦୁର୍ଘଟଣାରେ  ଆହତଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା କୋଲକାତା ପୁଲିସ କହିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫର ୩ଟି ଟିମ୍‌ ଓ ସେନାର ଯବାନମାନେ ଲାଗିଥିବା ଜଣାଯାଇଛି।

ଦୁର୍ଘଟଣା ଘଟିଥିବା ଅଞ୍ଚଳକୁ ପୁଲିସ ନିୟନ୍ତ୍ରଣରେ ରଖାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଲୋକଙ୍କୁ ଅନ୍ୟତ୍ର ଯିବା ପାଇଁ କୁହାଯାଉଥିବା ବେଳେ, ବ୍ରିଜ୍‌ର ଅବଶିଷ୍ଠାଂଶ ଭାଙ୍ଗିଯାଇପାରେ .ବୋଲି ଅାଶଙ୍କା ପ୍ରକାଶ ପାଇଛି। ଘଟଣା ପରେ  କୋଲକାତା ମହାନଗର ନିଗମ କର୍ତ୍ତୃପକ୍ଷ ଭୟଭୀତ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ ୨ ବର୍ଷ ତଳେ ମଧ୍ୟ କୋଲକାତାର ବଡ଼ ବଜାରସ୍ଥିତ ବିବେକାନନ୍ଦ ଫ୍ଲାଏଓଭର ବ୍ରିଜ ଭୁଶୁଡ଼ି ପଡ଼ିଥିଲା। ସେହ ଦୁର୍ଘଟଣାରେ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିଲେ। ୨୦୧୬ ମାର୍ଚ୍ଚ ୩୧ରେ ନିର୍ମାଣାଧିନ ୨.୨ କିଲୋମିଟର ଫ୍ଲାଏଓଭର ବ୍ରିଜ୍‌ର ୨ଟି ମୁଖ୍ୟ ଅଂଶ ଭୁଶୁଡ଼ି ପଡ଼ିଥିଲା।

ସମ୍ବନ୍ଧିତ ଖବର