ଉର୍ଜିତ୍‌ ପଟେଲ୍‌ଙ୍କୁ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ପଦରୁ ଇସ୍ତଫା ଦେବାକୁ ସରକାର କହିନାହାନ୍ତି: ଅର୍ଥମନ୍ତ୍ରୀ ଜେଟ୍‌ଲୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଙ୍ଗଳବାର ସରକାର ଓ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର ଉର୍ଜିତ୍‌ ପଟେଲଙ୍କ ମଧ୍ୟରେ କୌଣସି ବିବାଦ ହୋଇ ନଥିବା ସ୍ପଷ୍ଟ କରିଛନ୍ତି। ସେ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ସରକାର ଉର୍ଜିତ୍‌ ପଟେଲ୍‌ଙ୍କୁ ଇସ୍ତଫା ଦେବା ଲାଗି ଆଦୌ କହି ନାହାନ୍ତି। ଯଦିଓ ରିଜର୍ଭ ବ୍ୟାଙ୍କ୍‌ର ଗଚ୍ଛିତ ଅର୍ଥର ପରିମାଣକୁ ନେଇ ମତାନ୍ତର ହୋଇଥିଲା,କିନ୍ତୁ ସରକାର ତାଙ୍କୁ ପଦ ଛାଡ଼ିବା ଲାଗି କହିନାହାନ୍ତି।

ଏଥିସହ ଅର୍ଥମନ୍ତ୍ରୀ ଜେଟ୍‌ଲୀ କହିଛନ୍ତି, ରିଜର୍ଭ ବ୍ୟାଙ୍କ୍‌ ଠାରୁ ସରକାର ପଇସାଟିଏ ବି ଆବଶ୍ୟକ କରନ୍ତି ନାହିଁ। ଚଳିତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ଅର୍ଥରୁ କେନ୍ଦ୍ର ସରକାରଙ୍କର ଲୋଡା ନାହିଁ।

ପଟେଲଙ୍କ ଇସ୍ତଫାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଜେଟ୍‌ଲି କହିଛନ୍ତି, ଆର୍‌ବିଆଇ ବୋର୍ଡ ବୈଠକରେ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ପାଣ୍ଠି ଉପରେ ଅତ୍ୟନ୍ତ ସୌହାଦ୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଥିଲା। ଏହାର ପରିମାଣ କେତେ ହେବା ଦରକାର ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ଆଦୌ ତତ୍କାଳୀନ ଗଭର୍ଣ୍ଣର ଉର୍ଜିତ୍‌ ପଟେଲ୍‌ଙ୍କ ଇସ୍ତଫା କଥା ଉଠାଯାଇ ନ ଥିଲା।

ଉଲ୍ଲେଖଯୋଗ୍ୟ କି ତତ୍କାଳୀନ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର ଉର୍ଜିତ୍‌ ପଟେଲ୍‌ ଇସ୍ତଫା ଦେବା ପରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କୁ ଶଶିକାନ୍ତ ଦାସଙ୍କୁ ସରକାର ନୂତନ ଗଭର୍ଣ୍ଣର ଭାବେ ନିଯୁକ୍ତି କରିଛନ୍ତି।

ସମ୍ବନ୍ଧିତ ଖବର