ଆକାଉଣ୍ଟ ହ୍ୟାକ୍‌ କରି ୧ଟଙ୍କା ଜମା କଲେ; ଆଧାର ନମ୍ବର ସାର୍ବଜନୀନ କରି ଅଡୁଆରେ ପଡ଼ିଲେ ଟ୍ରାଇ ମୁଖ୍ୟ

ବେଙ୍ଗାଲୁରୁ: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ଅଧ୍ୟକ୍ଷ ଆର୍‌ ଏସ୍‌ ଶର୍ମା ତାଙ୍କ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ଟୁଇଟର ଜରିଆରେ ସାର୍ବଜନୀନ କରି ହ୍ୟାକ୍‌ରମାନଙ୍କୁ ହ୍ୟାକ୍‌ କରିବା ପାଇଁ ଆହ୍ଵାନ ଦେବା ଘଟଣା ଏବେ ତାଙ୍କ ପାଇଁ ଏକ ଅଡୁଆଜନକ ପରିସ୍ଥିତି ସୃଷ୍ଟି କରିବା ସହ ଏକ ବିତର୍କର ସୂତ୍ରପାତ କରିଛି। ହ୍ୟାକରମାନେ ଗତକାଲି ତାଙ୍କ ଦ୍ୱାରା ପ୍ରଦତ୍ତ ଆଧାର ନମ୍ବରକୁ ବ୍ୟବହାର କରି ତାଙ୍କର ଅନେକ ବ୍ୟକ୍ତଗତ ଡାଟା ହ୍ୟାକ୍‌ କରି ତାକୁ ସର୍ବସାଧାରଣରେ ପ୍ରକାଶ କରିଥିଲେ। ଏହାପରେ ଆଜି ଆଉ କେତେକ ହ୍ୟାକର ଆଉପାଦେ ଆଗକୁ ଯାଇ ଟ୍ରାଇ ଅଧ୍ୟକ୍ଷ ଶର୍ମାଙ୍କ ଆଧାର ନମ୍ବରକୁ ଆଧାର ଆଧାରିତ ପେମେଣ୍ଟ ଆପ୍‌ ବ୍ୟବହାର କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ ଟଙ୍କା ଜମା କରିବା ସହ ଏହାର ରସିଦକୁ ଟୁଇଟରରେ ସାର୍ବଜନୀନ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଆଧାରର ଗୋପନୀୟତା ସପକ୍ଷରେ ଯୁକ୍ତି ବାଢ଼ୁଥିବା ଟ୍ରାଇ ମୁଖ୍ୟ ଶ୍ରୀ ଶର୍ମା ଗତ ଶନିବାର ଦିନ ତାଙ୍କ ନିଜର ୧୨ ଅଙ୍କ ବିଣିଷ୍ଟ ଆଧାର ନମ୍ବର ୭୬୨୧୭୭୬୮୨୭୪୦କୁ ଟୁଇଟର ପେଜ୍‌ରେ ସାର୍ବଜନୀନ କରି ଆଧାର ସୁରକ୍ଷାକୁ ଲିକ୍‌ କରି ତାଙ୍କ ବ୍ୟକ୍ତଗତ ଡାଟା ଲିକ୍‌ କରିବା ପାଇଁ ହ୍ୟାକରମାନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଏହାର କିଛି ଘଣ୍ଟା ପରେ ନିଜକୁ ଫ୍ରାନ୍‌ସର ସିକ୍ୟୁରିଟି ବିଶେଷଜ୍ଞ ଭାବେ ପରିଚୟ ଦେଇ ଇଲିଅଟ୍‌ ଆଲଡରସନ୍‌ ନାମକ ଜଣେ ବ୍ୟକ୍ତି ଶ୍ରୀ ଶର୍ମାଙ୍କ ଆଧାର ନମ୍ବର ବ୍ୟବହାର କରି ତାଙ୍କର ପାନ୍‌ ନମ୍ବର, ଇ-ମେଲ୍‌ ଠିକଣା, ଫୋନ୍‌ ନମ୍ବର ଆଦି ଟୁଇଟରରେ ପ୍ରକାଶ କରିଥିଲେ।

ଏହି ଘଟଣା ପରେ ଆଜି କିଛି ଭାରତୀୟ ଏଥିକାଲ୍‌ ହ୍ୟାକର ଶ୍ରୀ ଶର୍ମାଙ୍କ ଆଧାର ଡାଟାରୁ ୧୪ଟି ବ୍ୟକ୍ତଗତ ଡାଟା ସଂଗ୍ରହ କରି ସେସବୁକୁ ସାର୍ବଜନୀନ କରିଛନ୍ତି। ଏଥିରେ ତାଙ୍କର ମୋବାଇଲ ନମ୍ବର, ଘର ଠିକଣା, ଜନ୍ମ ତାରିଖ, ଭୋଟର ପରିଚୟ ପତ୍ର ନମ୍ବର, କେଉଁ ଟେଲିକମ୍‌ ଅପରେଟରଙ୍କୁ ବ୍ୟବହାର କରୁଛନ୍ତି, ମୋବାଇଲ ଫୋନ୍‌ର ମଡେଲ୍‌, ସହ କେଉଁ କେଉଁ ବ୍ୟାଙ୍କ୍‌ରେ କେତୋଟି ଆକାଉଣ୍ଟ ରହିଛି ସେସବୁର ତଥ୍ୟ ସାର୍ବଜନୀନ କରିଛନ୍ତି। ଏଥିସହ ଶ୍ରୀ ଶର୍ମାଙ୍କୁ ଆହ୍ଵାନ ଦେଇ ହ୍ୟାକରମାନେ କହିଛନ୍ତି ଯେ ତାଙ୍କ ଆକାଉଣ୍ଟରେ ଅଧିକ ପରିମାଣର ଅର୍ଥ ଜମା ଦେଇ ସେମାନେ ତାଙ୍କୁ ବ୍ଲାକ୍‌ମେଲ କରିବା ସହ ମନି ଲଣ୍ଡରିଙ୍ଗ୍‌ ମାମଲାରେ ଫସାଇ ଦେବା ପାଇଁ ମଧ୍ୟ କ୍ଷମତା ରଖିଛନ୍ତି।

ସମ୍ବନ୍ଧିତ ଖବର