ଐତିହାସିକ ଘଟଣା: ପାକିସ୍ତାନ ସିନେଟ୍‌କୁ ହିନ୍ଦୁ ମହିଳା ନିର୍ବାଚିତ

କରାଚି: ମୁସଲମାନ ବହୁଳ ଦେଶ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରୁ ହିନ୍ଦୁ ଦଳିତ ମହିଳା କୃଷ୍ଣାକୁମାରୀ କୋହ୍ଲି ସର୍ବପ୍ରଥମ ସିନେଟର୍‌ ହେବାର ଗୌରବ ଅର୍ଜନ କରିଛନ୍ତି।

୯ ବର୍ଷୀୟ କୋହ୍ଲି ବିଲ୍‌ଓ୍ଵାଲ୍‌ ଭୁଟ୍ଟୋ ଜର୍ଦାରିଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପଲସ୍‌ ପାର୍ଟିର ଜଣେ ସଦସ୍ୟା। ସିନ୍ଧ୍‌ ପ୍ରଦେଶରେ ଥିବା ସଂରକ୍ଷିତ ମହିଳା ଆସନରୁ ସେ ନିର୍ବାଚନ ଜିଣିଛନ୍ତି। ସନ୍ଧ୍‌ ପ୍ରଦେଶର ଥର୍‌ ଜିଲ୍ଲା ଅନ୍ତର୍ଗତ ସୁଦୂର ନଗରପରକାର୍‌ ଗାଁରେ କୋହ୍ଲିଙ୍କ ଘର।

ଦରିଦ୍ର କୂଳରେ ଫେବ୍ରୁଆରି ୧୯୭୯ରେ ଜନ୍ମିତା କୋହ୍ଲିଙ୍କ ପରିବାର ସଦସ୍ୟମାନେ ଉମରକୋଟ ଜିଲ୍ଲା ଅନ୍ତର୍ଗତ କୁନ୍‌ରି ଜମିଦାରଙ୍କ ଘରୋଇ କାରାଗାରରେ ୩ ବର୍ଷ ବନ୍ଦୀ ହୋଇ ଥିଲେ। ସେତେବେଳେ କୋହ୍ଲି ତୃତୀୟ ଶ୍ରେଣୀରେ ପଢୁଥିଲେ।

୯ମ ଶ୍ରେଣୀରେ ପଢୁଥିବାବେଳେ ୧୬ ବର୍ଷ ବୟସରେ ଲାଲଚାନ୍ଦଙ୍କ ସହ ତାଙ୍କର ବିବାହ ହୋଇଥିଲା। କିନ୍ତୁ, ସେ ପଢ଼ାପଢ଼ି ଚାଲୁ ରଖି ୨୦୧୩ ମସିହାରେ ସିନ୍ଧ୍‌ ବିଶ୍ୱ ବିଦ୍ୟାଳୟରୁ ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଜଣେ ସାମାଜିକ କର୍ମୀ ଭାବେ ସେ ଓ ତାଙ୍କ ଭାଇ ପିପିପିରେ ଯୋଗ ଦେଇଥିଲେ। ପରେ ସେ ବେରାନୋ ୟୁନିୟନ୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ତାଙ୍କର ନିର୍ବାଚନ ପାକିସ୍ତାନରେ ଥିବା ମହିଳା ଏବଂ ସଂଖ୍ୟାଲଘୁ ଅଧିକାର ପାଇଁ ଏକ ମାଇଲ୍‌ ସ୍ତମ୍ଭ ସଦୃଶ।

ସମ୍ବନ୍ଧିତ ଖବର