ରୋଗୀ ମରିଯିବାରୁ ଉଭେଇ ଗଲା ଡାକ୍ତରଖାନା

ମୁମ୍ବାଇ: ନାଲାସୋପାରା ନର୍ସିଙ୍ଗ୍‌ ହୋମ୍‌ରେ ମଙ୍ଗଳବାର ଦିନ ଭର୍ତ୍ତି ହୋଇଥିବା ଜ୍ୱରରେ ପଡ଼ିଥିବା ଜଣେ ମହିଳାଙ୍କର ମୃତ୍ୟୁ ହେବାର କେତେ ଘଣ୍ଟା ପରେ ନର୍ସିଙ୍ଗ୍‌ ହୋମ୍‌ ବନ୍ଦ କରି ସମସ୍ତ ଡାକ୍ତରୀ କର୍ମଚାରୀ ପଳାଇ ଯାଇଥିବା କଥା ଅଭିଯୋଗ ହୋଇଛି। ରାଗି ଯାଇଥିବା ପରିବାରର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ଶାନ୍ତ କରିବା ପରେ ପୁଲିସ ଅନୀଲ କୁମାର ଯାଦବ ନାମକ ଜଣେ ଡାକ୍ତରଙ୍କୁ ପଚରା ଉଚୁରା ପାଇଁ ରାତି ତମାମ ଅଟକ ରଖିଥିଲା। ସେ କୁଆଡ଼େ ନୀତୁ ସିଂହ ନାମ୍ନା ସେ ୩୫ ବର୍ଷୀୟ ରୋଗୀଙ୍କୁ ନେଇ ଅନ୍ୟ ଏକ ନର୍ସିଙ୍ଗ୍‌ ହୋମ୍‌ରେ ଛାଡ଼ି ଦେଇ ଚମ୍ପଟ୍‌ ମାରିଥିଲେ।

ସୋମବାର ସକାଳେ, ତିନୋଟି ପିଲାର ମାଆ ନୀତୁ ଜ୍ୱରରେ ପଡ଼ି ଦୁର୍ଗେଶ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ମାତ୍ର ୧୫ ଦିନ ତଳେ ସେ ନର୍ସିଙ୍ଗ୍‌ ହୋମ୍‌ଟି ଖୋଲାଯାଇଥିଲା। ଘର ପାଖ ହୋଇଥିବାରୁ ନୀତୁଙ୍କୁ ସେଠାରେ ଭର୍ତ୍ତି କରାଇବାକୁ ସ୍ଥିର କରାଯାଇଥିଲା। ଏକ ଟେକ୍ସଟ୍‌ଟାଇଲ୍‌ କମ୍ପାନିରେ କାର୍ଯ୍ୟରତ ତାଙ୍କ ସ୍ୱାମୀ ନରେନ୍ଦ୍ର କାମରେ ପାଟନା ଯାଇଥିଲେ।

ନୀତୁଙ୍କ ସମ୍ପର୍କୀୟ ଭାଇ ରଞ୍ଜିତ ସିଂହ କହନ୍ତି: ଆଡ୍‌ମିସନ୍‌ କରିବା ପରେ ଡାକ୍ତର ଯାଦବ କହିଲେ କି, ଭଲ ଅଛନ୍ତି, କିନ୍ତୁ ଗୋଟିଏ ଦିନ ଅନୁଧ୍ୟାନରେ ରହିବେ। ଡାକ୍ତରଖାନରେ ଥିଲା ୩ଟି ଶଯ୍ୟା ଏବଂ ଜଣେ ପିଅନ।

ମଙ୍ଗଳବାର ପ୍ରାୟ ସକାଳ ସାଢ଼େ ଛଅଟା ବେଳେ ପରିବାର ଲୋକେ ଜାଣି ଆଶ୍ଚର୍ଯ୍ୟ ହେଲେ ଯେ ସେ ଅଞ୍ଚଳରେ ଥିବା ଅନ୍ୟ ଏକ ନର୍ସିଂହୋମ୍‌କୁ ଡାକ୍ତର ଯାଦବ ନିଜେ ଏକ ଅଟୋରିକ୍ସାରେ ନୀତୁକୁ ନେଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ସେ ଡାକ୍ତରଖାନା ନୀତୁଙ୍କୁ ଭର୍ତ୍ତି କରାଇ ଦେଲା ନାହିଁ। ପରିବାର ଲୋକଙ୍କ କହିବା ଅନୁସାରେ, ଡାକ୍ତର ଯାଦବ ରୋଗୀକୁ ସେଠାରେ ଛାଡ଼ି ଦେଇ ଖସି ପଳାଇଗଲେ। ସକାଳ ପ୍ରାୟ ସାଢ଼େ ନଅଟା ବେଳେ ସେ ଡାକ୍ତରଖାନା ନୀତୁଙ୍କୁ ମୃତ ଘୋଷଣା କଲା।

ପରିବାର ଲୋକଙ୍କୁ ନୀତୁଙ୍କ ଶବ ଦିଆଯିବା ସମୟରେ ସ୍ଥାନୀୟ ଲୋକେ ଡାକ୍ତରୀ ଅବହେଳା କାରଣ ଦର୍ଶାଇ ପ୍ରତିବାଦ ଆରମ୍ଭ କଲେ। ସନ୍ଧ୍ୟା ଯାଏଁ ପ୍ରତିବାଦ ଚାଲିଲା। ସେମାନେ ଯାଇ ଦୁର୍ଗେଶ ହସ୍‌ପିଟାଲ୍‌ରେ ପହଞ୍ଚିବା ପରେ ଦେଖିଲେ ଦ୍ୱିତୀୟ ମହଲା ନିର୍ମାଣାଧୀନ ଥିବା କୋଠାରେ ଝୁଲୁଥିବା ଡାକ୍ତରଖାନାର ନାମଫଳନ ଉଭାନ୍‌ ହୋଇ ଯାଇଛି। ଡାକ୍ତରଖାନା ବନ୍ଦ ହୋଇଯିବା ସହ ସେଥିରେ ଥିବା ଉପକରଣ ଓ ଶଯ୍ୟା ଉଠାଇ ନିଆଯାଇଛି।

ଦ୍ୱିତୀୟ ବ୍ୟବଚ୍ଛେଦ ନିମନ୍ତେ ନୀତୁଙ୍କ ଶବକୁ ବୁଧବାର ଦିନ ଜେଜେ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ପୁଲିସ ରିପୋର୍ଟକୁ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର