‘ହେଲ୍‌ମେଟ୍‌ ନ ପିନ୍ଧି ମୁଁ ପ୍ରକୃତ ମଣିଷ ଭଳି ମରିବାକୁ ଚାହେଁ’, ବୋଲି ଲେଖିଥିଲେ ବାଇକ୍‌ ଆରୋହୀ, ଏହା ଦେଖି ଟ୍ରାଫିକ୍‌ ପୁଲିସ କ’ଣ ଜବାବ ଦେଲେ ଜାଣନ୍ତୁ…

ନୂଆଦିଲ୍ଲୀ: ଟ୍ରାଫିକ୍‌ ନିୟମ ଭାଙ୍ଗିବା ଆଜିକାଲି ଲୋକମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । କିଛି ଲୋକ ଟ୍ରାଫିକ୍‌ ନିୟମକୁ ମାନୁଥିବା ବେଳେ, ଆଉ କିଛି ଲୋକ ଏହାର ସଂପୂର୍ଣ୍ଣ ଅବମାନନା କରୁଛନ୍ତି । ଗତ ଶନିବାର ବେଙ୍ଗାଲୁରୁରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଟ୍ରାଫିକ୍‌ ପୁଲିସ ଚପଲ ଫିଙ୍ଗିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଆଜି ପୁଣି ଏକ ସେଭଳି ଅନ୍ୟ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । କିନ୍ତୁ, ଏଥର ଟ୍ରାଫିକ୍‌ ପୁଲିସଙ୍କ କାମ ପାଇଁ ନୁହେଁ; ବରଂ ଚାଳକଙ୍କ ଅଜବ କାମ ପାଇଁ । ହାଇଦ୍ରାବାଦ୍‌ ରାସ୍ତାରେ ଜଣେ ଯୁବକ ବିନା ହେଲ୍‌ମେଟ୍‌ ଗାଡ଼ି ଚଳାଉଥିବାର ପୁଲିସ ଦେଖିବାକୁ ପାଇଥିଲା ।
ଏବେ ଆପଣ ଭାବୁଥିବେ ଏଥିରେ ନୂଆ କଥା କ’ଣ? ନୂଆ କଥା ଟି ହେଲା, ଚାଳକ ଜଣଙ୍କ ହେଲମେଟ୍‌ ପିନ୍ଧି ନଥିବା ବେଳେ ନିଜ ବାଇକ୍‌ ପଛପଟେ, ‘ନୋ ହେଲ୍‌ମେଟ୍‌ ଆଇ ଡ଼ାଏ ଲାଇକ୍‌ ଏ ରିୟଲ ମ୍ୟାନ୍‌’ ବୋଲି ଲେଖିଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ଚାଳକଙ୍କୁ ଆଇନ ବିଷୟରେ ଜଣାଇବା ପାଇଁ ଏହାର ଏକ ଫଟୋ ସହ ଇ-ଚାଲାଣକୁ ଯୋଡ଼ି ଟ୍ରାଫିକ୍‌ ପୁଲିସ ଟ୍ଵିଟରରେ ଏକ ପୋଷ୍ଟ କରିଥିଲେ ।

ଖାଲି ସେତିକି ନୁହେଁ ପୋଷ୍ଟ କରି ‘ଆମକୁ କ୍ଷମା କରିଦେବେ କ୍ରିଷ୍ଣା ରେଡ୍ଡି ସାର୍‌, ଆମେ ଆପଣଙ୍କୁ ମରିବାକୁ ଦେବୁ ନାହିଁ । ଆପଣ ପ୍ରକୃତ ମଣିଷ ଭଳି ବଞ୍ଚନ୍ତୁ, ତାହା ଆମେ ଦେଖିବାକୁ ଚାହୁଁଛୁ । ଦୟାକରି ହେଲ୍‌ମେଟ୍‌ ପିନ୍ଧି ଗାଡ଼ି ଚଲାନ୍ତୁ’ ବୋଲି ଲେଖିଥିଲେ । ଟ୍ଵିଟରରେ ଏହି ପୋଷ୍ଟ କରାଯିବା ପରେ ବ୍ୟବହାରକାରୀମାନେ ଟ୍ରାଫିକ୍‌ ପୁଲିସଙ୍କ ଏହି ପଦକ୍ଷପକୁ ଖୁବ୍‌ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର