ଶ୍ରୀଲଙ୍କା ବୋମା ବିସ୍ଫୋରଣରେ ଅଳ୍ପକେ ବର୍ତ୍ତି ଯାଇଥିବା ଏହି କ୍ରିକେଟରଙ୍କୁ ଏବେ ବି ବାହାରକୁ ବାହାରିବା ପାଇଁ ଭୟ ଲାଗୁଛି
କଲମ୍ବୋ : କ୍ରିକେଟର ଦାସୁନ ଶନାକା ସେହି ସୌଭାଗ୍ୟ ଥିବା ଲୋକଙ୍କ ମଧ୍ୟରୁ ଜଣେ ଯିଏକି ଗତ ରବିବାର ରାଜଧାନୀ କଲମ୍ବୋ ଏବଂ ଆଖପାଖ ଅଞ୍ଚଳରେ କ୍ରମାଗତ ଭାବେ ହୋଇଥିବା ୮ଟି ବଡ ଧରଣର ଆତ୍ମଘାତୀ ବିସ୍ଫୋରଣରୁ ବର୍ତ୍ତି ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରିକେଟର ଦାସୁନ ଶନାକା ମଙ୍ଗଳବାର କହିଥିଲେ କି, ଇଷ୍ଟର ପର୍ବ ପାଳନ ପାଇଁ ମୁଁ ନିଶ୍ଚୟ ଚର୍ଚ୍ଚ ଯାଇ ଥାଆନ୍ତି। କିନ୍ତୁ ଗୋଟିଏ ଦିନ ପୂର୍ବରୁ ଲମ୍ବା ଯାତ୍ରା କରି ଫେରିଥିଲି ଓ ବହୁତ କ୍ଲାନ୍ତ ହୋଇଯାଇଥିଲି। ଏଥିପାଇଁ ଗୃହନଗର ନେଗୋମ୍ବୋ ସ୍ଥିତ ସେଣ୍ଟ୍ ସେବାଷ୍ଟିଆନ୍ ଚର୍ଚ୍ଚକୁ ପାର୍ଥନା ପାଇଁ ଯାଇ ପାରି ନଥିଲି। ସେଣ୍ଟ୍ ସେବାଷ୍ଟିଆନ୍ ଚର୍ଚ୍ଚ ସେହି ଗିରିଜା ଘର ଓ ହୋଟେଲ ମଧ୍ୟରୁ ଗୋଟିଏ ଯାହାକୁ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ପାଇଁ ଟାର୍ଗେଟ କରିଥିଲେ। ହଠାତ୍ ମୋତେ ଏହି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ମୁଁ ଚର୍ଚ୍ଚ ପାଖକୁ ଦୌଡ଼ି ଆସିଲା ବେଳକୁ ସବୁକିଛି ଛାରଖାର ହୋଇସାରିଥିଲା। ଲୋକମାନେ ଚର୍ଚ୍ଚ ଭିତରୁ ମୃତଦେହକୁ ବାହାର କରିବାକୁ ଚେଷ୍ଟା କରୁଥିଲେ। ଏସବୁ ଦୃଶ୍ୟ ଦେଖି ମୁଁ ପୂରା ସ୍ତବ୍ଧ ହୋଇ ଯାଇଥିଲି। ଚର୍ଚ୍ଚ ଭିତରେ ମୋର ଜେଜେ ମା’ ଓ ମା’ ଥିଲେ। ଯାହାଙ୍କୁ ମୁଁ ଜୀବିତ ଅବସ୍ଥାରେ ପାଇବି ବୋଲି ସେଠାକାର ଦୃଶ୍ୟ ଦେଖି କେବେ ଆଶା ବି କରି ନଥିଲି। ହେଲେ ସୌଭାଗ୍ୟବଶତଃ ଦୁହିଁଙ୍କର ବିଶେଷ କିଛି ହୋଇ ନଥିଲା। ଜେଜେମା’ଙ୍କ ମୁଣ୍ଡରେ ଆଘାତ ଲାଗି ଥିବା ବେଳେ ମା’ଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ସେଦିନର ଦୃଶ୍ୟକଥା ଭାବିଲେ ଏବେ ବି ମୋତେ ବାହାରକୁ ବାହାରିବା ପାଇଁ ଭୟ ଲାଗୁଛି।
ସୂଚନାଯୋଗ୍ୟ, ଏହି ବିସ୍ଫୋରଣ ଇଷ୍ଟର ପର୍ବ ପାଳନରେ ଲୋକେ ବ୍ୟସ୍ତ ଥିବା ବେଳେ ସକାଳ ପ୍ରାୟ ୮.୪୫ ସମୟରେ ଏହି କ୍ରମାଗତ ବିସ୍ଫୋରଣ ହୋଇଥିଲା। ପ୍ରଥମ ୬ଟି ବିସ୍ଫୋରଣ କଲମ୍ବୋର ୩ଟି ର୍ଗିଜା ଏବଂ ୩ଟି ପଞ୍ଚତାରକା ହୋଟେଲରେ ହୋଇଥିଲା। କଲମ୍ବୋର ସେଣ୍ଟ୍ ଆନ୍ଥୋନିସ ଚର୍ଚ୍ଚ, ପଶ୍ଚିମରେ ଥିବା ସମୁଦ୍ରତଟ ନେଗାମ୍ବୋ ସହରର ସେଣ୍ଟ୍ ସେବାଷ୍ଟିଆନ୍ ଚର୍ଚ୍ଚ ଏବଂ ବାଟିକଲଆ ସହରରେ ଥିବା ଏକ ଚର୍ଚ୍ଚରେ ବିସ୍ଫୋରଣ ଘଟିଥିଲା। ୩ଟି ପଞ୍ଚତାରକା ହୋଟେଲ ଯଥା ସାଙ୍ଗରିଲା, ସୀନାମନ୍ ଗ୍ରାଣ୍ଡ ଏବଂ କିଙ୍ଗ୍ସବରିରେ ହୋଇଥିଲା ଅନ୍ୟ ୩ଟି ବିସ୍ଫୋରଣ। ଏହି ୬ଟି ବିସ୍ଫୋରଣର କିଛି ଘଣ୍ଟା ପରେ ଜାତୀୟ ଚିଡ଼ିଆଖାନା ନିକଟରେ ଅନ୍ୟ ଏକ ବିସ୍ଫୋରଣ ଘଟିଥିଲା ବେଳେ କଲମ୍ବୋର ଏକ ହାଉସିଂ କଂପ୍ଲେକ୍ସରେ ଅଷ୍ଟମ ବିସ୍ଫୋରଣ ହୋଇଥିଲା।
ଏଥିରେ ୩୧୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଥିଲା। ମୃତକଙ୍କ ମଧ୍ୟରେ ୩୫ ଜଣ ବିଦେଶୀ ନାଗରିକ ରହିଥିବା ବେଳେ ଏହି ବିସ୍ଫୋରଣରେ ୧୦ଜଣ ଭାରତୀୟ ମଧ୍ୟ ପ୍ରାଣ ହରାଇଥିଲେ।