ଅପ୍ରେଲ ୨୦୧୮ରେ ଜିଏସ୍‌ଟିରୁ ୧ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ଆୟ ସହ ସୃଷ୍ଟି ହେଲା ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଲାଗୁହେବା ପରେ ଗତ ୨୦୧୮ ଅପ୍ରେଲ ମାସରେ ଦେଶରେ ଜିଏସ୍‌ଟିରୁ ରାଜସ୍ୱ ଆୟ ସର୍ବକାଳୀନ ବୃହତ ରହିଥିବା ଜାଣିବାକୁ ମିଳିଛି। ୨୦୧୮ ଅପ୍ରେଲ ମାସରେ କେନ୍ଦ୍ର ସରକାର ଜିଏସ୍‌ଟିରୁ ୧ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରାଜସ୍ୱ ଆୟ କରିବାରେ ସମର୍ଥ ହୋଇଛନ୍ତି। ଯାହାକି ଏକ ସର୍ବକାଳୀନ ରେକର୍ଡ। ଅନ୍ୟପକ୍ଷରେ, ଦେଶର ମାସିକ ରାଜସ୍ୱ ଆୟ ୧ ଟ୍ରିଲିୟନ୍‌କୁ ଅତିକ୍ରମ କରାଇବା ପାଇଁ ସରକାର ଦୀର୍ଘ ଦିନରୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ୨୦୧୮ ଅପ୍ରେଲ ମାସରେ କେବଳ ମାତ୍ର ଜିଏସ୍‌ଟିରୁ ହୋଇଥିବା ରାଜସ୍ୱ ଆୟ ସେଇ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିଯିବାରେ ସମର୍ଥ ହୋଇଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।


ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି, ଅପ୍ରେଲ ୨୦୧୮ରେ ଜିଏସ୍‌ଟିରୁ ସର୍ବମୋଟ ୧,୦୩,୪୫୮ କୋଟିର ରାଜସ୍ୱ ଆୟ ହୋଇଥିବା ବେଳେ ଏଥି ମଧ୍ୟରେ ସେଣ୍ଟ୍ରାଲ ଜିଏସ୍‌ଟି (ସିଜିଏସ୍‌ଟି)ର ଭାଗ ୧୮,୬୫୨ କୋଟି, ଷ୍ଟେଟ ଜିଏସ୍‌ଟି (ଏସ୍‌ ଜିଏସ୍‌ଟି) ୨୫,୭୦୪ କୋଟି ଓ ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି (ଆଇ ଜିଏସ୍‌ଟି) ୫୦,୫୪୮ କୋଟି ରହିଥିବା ବେଳେ ବିଭିନ୍ନ ସେସ୍‌ରୁ ଆୟ ହୋଇଛି ୮,୫୫୪ କୋଟି। ଜିଏସ୍‌ଟିରୁ ଏହି ବିପୁଳ ରାଜସ୍ୱ ଆୟ ଦେଶର ଅର୍ଥନୈତିକ ଅଗ୍ରଗତିର ସୂଚନା ଦେଉଛି କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

ସମ୍ବନ୍ଧିତ ଖବର