ବିଚାରପତିଙ୍କ ବିବାଦୀୟ ମନ୍ତବ୍ୟ : ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯିବା ଉଚିତ ଥିଲା

ସିଲଙ୍ଗ୍ : ବିଭାଜନ ସମୟରେ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯିବା ଉଚିତ ଥିଲା। କିନ୍ତୁ ଏହାକୁ ଧର୍ମନି‌ରପେକ୍ଷ ରାଷ୍ଟ୍ର ବିବେଚନା କରାଗଲା। ମେଘାଳୟ ହାଇକୋର୍ଟ ବୁଧବାର ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିଚାରପତି ଏସ୍‌ ଆର୍‌ ସେନ୍‌ ଆହୁରି କହିଛନ୍ତି ଯେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଆଜି ବି ଅନେକ ହିନ୍ଦୁ, ଶିଖ୍‌, ଈଶାଇ, ଜୈନ, ବୌଦ୍ଧ, ପାର୍ସି ପ୍ରମୁଖ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି। କିନ୍ତୁ ସେଠାରେ ଏମାନଙ୍କୁ ଅନେକ ସମସ୍ୟାର ଶିକାର ହେବାକୁ ପଡ଼ୁଛି। ତେଣୁ ଏହି ଲୋକମାନେ ଯେ କୌଣସି ସମୟରେ ଭାରତ ଆସିଲେ, ସେମାନଙ୍କୁ ବିନା ପ୍ରମାଣପତ୍ରରେ ଏବଂ ବିନା ପଚରାଉଚରାରେ ନାଗରିକତ୍ବ ଦିଆଯିବା ଆବଶ୍ୟକ। ନାଗରିକତ୍ବ ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇନଥିବା ଅମନ୍‌ ରାଣା ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ମେଘାଳୟ ହାଇକୋର୍ଟ ଏଭଳି କହିଛନ୍ତି। କୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀ, ଆଇନ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କୁ ଏଭଳି ଆଇନ ଆଣିବା ଆବଶ୍ୟକ, ଯଦ୍ଦ୍ବାରା ଏହି ଲୋକମାନଙ୍କୁ ସହଜରେ ନାଗରିକତା ପ୍ରମାଣପତ୍ର ମିଳିପାରିବ। ଫଳ‌ରେ ସେମାନେ ଶାନ୍ତିରେ ଭାରତ ମଧ୍ୟରେ ରହିପାରିବେ।

ବିଚାରପତି ଜଷ୍ଟିସ୍ ସେନ୍‌ ଆହୁରି କହିଛନ୍ତି ଯେ ଭାରତ ବିଶ୍ବର ସବୁଠୁ ବଡ଼ ରାଷ୍ଟ୍ର ଥିଲା ଏବଂ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅସ୍ତିତ୍ବ ନଥିଲା। ଏମାନେ ସବୁ ଗୋଟିଏ ରାଷ୍ଟ୍ର ଥିଲେ ଏବଂ ହିନ୍ଦୁ ସାମ୍ରାଜ୍ୟ ଦ୍ବାରା ଶାସିତ ହେଉଥିଲେ। ଏହାପରେ ମୁଗଲମାନେ ଭାରତ ଆସି ଅନେକ ଅଂଶକୁ ନିଜ କବ୍‌ଜାକୁ ନେଇଥିଲେ। ବିଭିନ୍ନ ଅଞ୍ଚଳ‌ରେ ଏମା‌ନେ ଶାସନ କ୍ଷମତା ହାତକୁ ନେଲେ। ଏହି ସମୟରେ ବହୁ ମାତ୍ରାରେ ଧର୍ମ ପରିବର୍ତ୍ତନ କରାଯାଇଥିଲା।

ସମ୍ବନ୍ଧିତ ଖବର