ଆତଙ୍କବାଦ ରୋକିବାରେ ବିଫଳ ପାକିସ୍ତାନକୁ ‘ଏଫ୍‌ଏଟିଏଫ୍‌’ ‘ଗ୍ରେ ଲିଷ୍ଟ୍‍’ଭୁକ୍ତ କରିବା ନିଷ୍ପତ୍ତିକୁ ଭାରତର ସ୍ୱାଗତ

ନୂଆଦିଲ୍ଲୀ: ପାକିସ୍ତାନରୁ ଏବଂ ପାକିସ୍ତାନ ଭିତରେ ଥାଇ ଆତଙ୍କବାଦୀମାନେ ଚଳାଉଥିବା କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହୋଇଥିବା ପାକିସ୍ତାନକୁ ‘ଗ୍ରେ ଲିଷ୍ଟ୍‍’ଭୁକ୍ତ କରିବାକୁ ‘ଫାଇନାନ୍‌ସିଆଲ୍‌ ଆକ୍‌ସନ୍‌ ଟାସ୍କ୍‌ ଫୋର୍ସ’ର (ଏଫ୍‌ଏଟିଏଫ୍‌) ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି।

ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଟୁଇଟ୍‌ କରି କହିଛି: ଆଇସିଆର୍‌ଜି ମନିଟରିଙ୍ଗ୍‌ ପାଇଁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ୍‍’ଭୁକ୍ତ କରିବା ନିଷ୍ପତ୍ତିକୁ ଭାରତ ସ୍ୱାଗତ କରୁଛି।

୧୯୮୯ରେ ସଂସ୍ଥାପିତ ଇଣ୍ଟର୍‌-ଗଭର୍ଣ୍ଣମେଣ୍ଟାଲ୍‌ ସଂଗଠନ ‘ଏଫ୍‌ଏଟିଏଫ୍‌’ କଳାଟଙ୍କା ଧଳା କରିବା, ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ଆନ୍ତର୍ଜାତିକ ଅର୍ଥନୈତିକ ସଂସ୍ଥାର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ୟା ଆଦି ବିରୋଧରେ ଲଢ଼େଇ କରେ।

ଜୁନ୍‌ ୨୪ ରୁ ୨୯ ତାରିଖ ଯାଏଁ ଏଫ୍‌ଏଟିଏଫ୍‌ ପ୍ଲେନେରି ପ୍ୟାରିସ୍‌ ଠାରେ ଆଗତ କରିଥିବା ବୈଠକରେ ‘ଇଣ୍ଟର୍‌ନେସ୍‌ନାଲ୍‌ କୋପରେସନ୍‌ ରିଭ୍ୟୁ ଗ୍ରୁପ୍‌’ର ରିପୋର୍ଟ ସମୀକ୍ଷା କରିବା ପରେ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି।

ପ୍ୟାରିସ୍‌ସ୍ଥିତ ‘ଏଫ୍‌ଏଟିଏଫ୍‌’ର ‘ଗ୍ରେ ଲିଷ୍ଟ୍‍’ରେ ସ୍ଥାନୀତ ହେବାରେ ପାକିସ୍ତାନ ହେଉଛି ନବମ ଦେଶ। ଅନ୍ୟ ଆଠଟି ଦେଶ ହେଉଛି: ଇଥିଓପିଆ, ସର୍ବିଆ, ଶ୍ରୀଲଙ୍କା, ସିରିଆ, ଟ୍ରିନିଦାଦ୍‌ ଓ ତୋବାଗୋ, ଟ୍ୟୁନିସିଆ ଏବଂ ୟେମେନ୍‌।

‘ଏଫ୍‌ଏଟିଏଫ୍‌’ର ‘ଗ୍ରେ ଲିଷ୍ଟ୍‍’ରେ ସ୍ଥାନ ପାଇବା ପରେ ପାକିସ୍ତାନର ଆର୍ଥନୀତି ଏବଂ ଆନ୍ତର୍ଜାତିକ ସମ୍ମାନ କ୍ଷୁର୍ଣ୍ଣ ହୋଇ ପାରେ।

ସମ୍ବନ୍ଧିତ ଖବର