ମହାସମୁଦ୍ରରେ ଚୀନର ମୁକାବିଲା ଲାଗି ସମରାଭ୍ୟାସ କରୁଛି ଭାରତ, ଚୀନ ଗଣମାଧ୍ୟମର ଚିନ୍ତା

ନୂଆଦିଲ୍ଲୀ : ଭାରତ ଏବେ ଏକ ବୃହତ ସମରାଭ୍ୟାସ ଚଳାଇଛି । ଗଗନଶକ୍ତି ନାମକ ଏହି ସମରାଭ୍ୟାସ ଏପର୍ଯ୍ୟନ୍ତ ଭାରତ କରିଥିବା ସମରାଭ୍ୟାସ ମଧ୍ୟରେ ସବୁଠାରୁ ବିଶାଳ ବୋଲି କୁହାଯାଉଛି । ଏହା ଦ୍ୱାରା ଭାରତ ନିଜର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ପରୋକ୍ଷରେ ଚୀନକୁ ସଂକେତ ଦେଉଛି ।

ଏହି ସମରାଭ୍ୟାସ ଉତ୍ତରରେ ଚୀନକୁ ଲାଗିଥିବା ସୀମାରେ ହେଉଛି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ବିଶାଳ ଗଗନ ଶକ୍ତି ଯୁଦ୍ଧାଭ୍ୟାସରେ ୧୧୦୦ଟି ଲଢୁଆ ବିମାନ, ପରିବହନ ବିମାନ ଓ ହେଲିକାପ୍ଟର ଭାଗ ନେଇଛି । ଏଥିରେ ପ୍ରାୟ ୩୦୦ ଅଫିସର ଓ ୧୫୦୦୦ ବାୟୁସେନା ଜବାନ ଭାଗନେଇଛନ୍ତି । କିନ୍ତୁ କେବଳ ସୀମାରେ ନୁହେଁ ଭାରତ ମହାସାଗରରେ ମଧ୍ୟ ଭାରତ ନିଜର ଶକ୍ତି ପ୍ରଦର୍ଶନ କରୁଛି । ଗତକାଲି ଭାରତ ମହାସାଗରର ପଶ୍ଚିମ ପାର୍ଶ୍ୱରୁ ଆରମ୍ଭ କରି ପୂର୍ବରେ ଥିବା ମଲାକ୍କା ଷ୍ଟ୍ରେଟ ପର୍ଯ୍ୟନ୍ତ ଭାରତୀୟ ନୌସେନା ଓ ବାୟୁ ସେନା ସମରାଭ୍ୟାସ କରିଥିଲେ । ଆକାଶମାର୍ଗରୁ ମହାସମୁଦ୍ରରେ ଥିବା ଏକ ଟାର୍ଗେଟକୁ ଭେଦ କରିବାକୁ ଅଭ୍ୟାସ କରାଯାଇଥିଲା । ଦକ୍ଷିଣଭାରତରେ ଥିବା ବାୟୁସେନାଘାଟିରୁ ସୁଖୋଇ-୩୦ ଲଢୁଆ ବିମାନ ଉଡି ଭାରତ ମହାସାଗରରେ ଥିବା ମାଲକ୍କା ଷ୍ଟ୍ରେଟ, ନାଇନ ଡିଗ୍ରୀ ଚ୍ୟାନେଲ ଓ ଅନ୍ୟ କେତେକ ଟାର୍ଗେଟ ଉପରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ତେବେ ଏସବୁ ଟାର୍ଗେଟ୍‌ ବାଛିବାର ଏକ ସ୍ୱତନ୍ତ୍ର କାରଣ ରହିଛି ବୋଲି ମିଲିଟାରୀ ବିଶେଷଜ୍ଞମାନେ କହୁଛନ୍ତି । ତେବେ ଭାରତର ଏହି ଶକ୍ତି ପ୍ରଦର୍ଶନ ଦେଖି ଚୀନର ଗଣମାଧ୍ୟମରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି ।
ମାଲେସିଆ ଓ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ମଧ୍ୟରେ ଥିବା ଅଣଓସାରିଆ ସମୁଦ୍ରପଥ ମାଲକ୍କା ଷ୍ଟ୍ରେଟ ଦେଇ ଚୀନ ନୌସେନାର ଯୁଦ୍ଧଜାହଜ ଭାରତ ମହାସାଗରରେ ପ୍ରବେଶ କରୁଛନ୍ତି । ଏହା ହିଁ ସେମାନଙ୍କର ପ୍ରବେଶ ପଥ । ସେହିପରି ପଶ୍ଚିମରେ ଓମାନ ସାଗର ଦେଇ ଚୀନର ତୈଳବାହୀ ଜାହଜ ଗୁଡ଼ିକ ଯାଇଥାନ୍ତି । ଅର୍ଥାତ ଏହି ରାସ୍ତାଟି ଚୀନକୁ ତେଲ ଯୋଗାଇବାର ଏକ ପ୍ରମୁଖ ପଥ । ଏଠାରେ ଯୁଦ୍ଧାଭ୍ୟାସ କରି ଭାରତ ଚୀନକୁ ସଂକେତ ଦେଉଛି ଯେ ଚୀନ କୌଣସି ପ୍ରକାରର ଦୁଃସାହସ କଲେ ଚୀନକୁ ତେଲ ଯୋଗାଣ ସଂପୂର୍ଣ୍ଣ ବନ୍ଦ କରିଦେବାର କ୍ଷମତା ରଖୁଛି ଭାରତ ।

ସମ୍ବନ୍ଧିତ ଖବର