କିଏ କ’ଣ କହିଲେ

କେନ୍ଦ୍ରର ଅଜବ ବିଚାର; ଗରିବୀର ଦୁଇଟି ପରିଭାଷା

ମତେ ଗୋଟିଏ ଦୁଇଟି କଥା ଅଡ଼ୁଆ ଲାଗୁଛି। ଗୋଟିଏ ହେଲା ସରକାର ଦାବି କରୁଛନ୍ତି ଯେ ଚାଷୀମାନଙ୍କ ପାଇଁ ଏମ୍ଏସ୍‌ପି ଖର୍ଚ୍ଚ ଦେଢ଼ଗୁଣା କରିଛନ୍ତି ତାହା ତଥ୍ୟ ଦୃଷ୍ଟିରୁ ଆଦୌ ଠିକ୍‌ ନୁହେଁ। ଏମ୍‌ଏସପି ପାଇଁ ସବୁଆଡ଼େ ଆନ୍ଦୋଳନ ଲାଗିଛି କିନ୍ତୁ ସରକାର ଧାନର ଏମ୍‌ଏସପି କେତେବେଳେ ଦେଢ଼ଗୁଣା କଲେ ଖର୍ଚ୍ଚ ଅନୁସାରେ ସେ ହିସାବ ମୁଁ ପାଉନାହିଁ। ଦ୍ବିତୀୟ ଅଡ଼ୁଆଟି ହେଉଛି ନିର୍ବାଚନକୁ ଆଖି ଆଗରେ ରଖି ମଧ୍ୟ ବର୍ଗର ଆୟକର ଟିକସ ସର୍ବନିମ୍ନ ହାର ୫ ଲକ୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ େହଲା। ଅନ୍ୟପ‌କ୍ଷରେ ଯେତେବେଳେ ଆମେ ସଂରକ୍ଷଣ ନୀତିରେ ଗୋଟିଏ ପରିବର୍ତ୍ତନ କଲେ ସେତେବେଳେ ୮ ଲକ୍ଷ ଟଙ୍କାରୁ କମ୍‌ ପାଉଥିବା ବ୍ୟକ୍ତିମାନେ ତାଙ୍କର ୧୦ ପ୍ରତିଶତ ସଂରକ୍ଷଣ ପାଇବେ। ସରକାରଙ୍କ ବିଚାରରେ ୮ ଲକ୍ଷରୁ କମ୍‌ ରୋଜଗାର କରୁଥିବା ବ୍ୟକ୍ତିମାନେ ଗରିବ ଏବଂ ସଂରକ୍ଷଣ ପାଇବା ପାଇଁ ହକ୍‌ଦାର। କିନ୍ତୁ ୫ ଲକ୍ଷରୁ ଊର୍ଦ୍ଧ୍ବ ରୋଜଗାର କରୁଥିବା ବ୍ୟକ୍ତି ଟିକସ ଦେବାପାଇଁ ବାଧ୍ୟ। ଏହାକୁ ମୁଁ ସହଜରେ ଗ୍ରହଣ କରିପାରୁନି। େସହିପରି ରାଜ୍ୟ ସରକାରଙ୍କ କାଳିଆ ଯୋଜନା େକନ୍ଦ୍ର ସରକାରଙ୍କୁ ପ୍ରଭାବିତ କଲାଭଳି ମନେ ହେଉଛି। ବଜେଟ୍‌ରେ ଆଲୋଚନା କଲାଭଳି ନାହିଁ ଯାହା କି ଓଡ଼ିଶା ବାସୀଙ୍କୁ ପ୍ରଭାବିତ କରିବ।
ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ, ରାଜ୍ୟସଭା

ମୋଦୀ ସରକାରଙ୍କ ନିର୍ବାଚନୀ ବଜେଟ

ଶୁକ୍ରବାର ସଂସଦରେ ଆଗତ କେନ୍ଦ୍ର ବଜେଟ ଏକ ନିର୍ବାଚନୀ ବାଧ୍ୟବାଧକତା। ଗତ ୪ବର୍ଷ ଧରି ମୋଦୀ ସରକାର ଭେଟି ଦେଇଥିବା ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟବିତ ଶ୍ରେଣୀକୁ ଚରମ ଅବହେଳା କରିଥିଲେ। କିିନ୍ତୁ ଏହି କାମଚଳା ବଜେଟରେ ଆୟକର ଛାଡ଼ର ଭେଳିକି ଦେଖାଇ ମଧ୍ୟମବର୍ଗଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରାଯାଇଛି। ଦେଶର ଦରିଦ୍ର, ଅବହେଳିତ ଏବଂ ବେକାରୀମାନଙ୍କ ପାଇଁ ନିଶ୍ଚିତ ସର୍ବନିମ୍ନ ଆୟ ବ୍ୟବସ୍ଥା କରିବାକୁ ରାୟପୁର ସଭାରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତିଶ୍ରୁତି ବିଜେପି ମନରେ ଭୟ ସଂଚାର କରିଛି । ଯାହା ଏବେ ଏହି ଅନ୍ତରୀଣ ବଜେଟରେ ପ୍ରତିଫଳିତ ହୋଇଛି। ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ମାସିକ ୧୦୦ ଟଙ୍କା ଜମାରେ ୬୦ ବର୍ଷ ପରେ ମାସିକ ୩ ହଜାର ଟଙ୍କା ପେନସନ ଯୋଜନା କରିବାକୁ ବଜେଟରେ ଉଲ୍ଲେଖ କରାଯାଇଛି। ବାର୍ଷିକ ୮ଲକ୍ଷ ଆୟ ପର୍ଯ୍ୟନ୍ତ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଥିଲେ ହେଁ ୮ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ କାହିଁକି ଆୟକର ଛାଡ଼ କରାଗଲାନି? ବଜେଟରେ ମହିଳା ଓ ଯୁବଗୋଷ୍ଠୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାନଯିବା ସେମାନଙ୍କ ପ୍ରତି ସରକାରଙ୍କ ସମ୍ବେଦନହୀନତାକୁ ସୂଚାଇ ଦେଇଛି । ଅନ୍ତରୀଣ ବଜେଟ ଦେଶର ବିକାଶମୂଳକ ପରିବର୍ତ୍ତନର ବାହକ ହେବ ବୋଲି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଯାହା କହିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ।
ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

ନିର୍ବାଚନ ବୈତରଣୀ ପାରି ହେବାର କୌଶଳ

କେନ୍ଦ୍ର ସରକାର ୫ବର୍ଷ ଧରି ଦେଶର ଚାଷୀଙ୍କୁ ପ୍ରତାରିତ କରିଛନ୍ତି। ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେଇ ଠକିଲେ । ଏବେ ନିର୍ବାଚନ ଆସିବାରୁ ଚାଷୀଙ୍କୁ ଭଣ୍ଡେଇବା ପାଇଁ କାଳିଆ ଯୋଜନା ପରି ସହାୟତା ଦେଇ ଚାଷୀଙ୍କ ଭୋଟ ହାତେଇବାକୁ ଉଦ୍ୟମ କରିଛନ୍ତି। ସେ ଆହୁରି କହିଛନ୍ତି, କିଛି ବିଶେଷଜ୍ଞଙ୍କ ମତରେ ଅନ୍ତରୀଣ ବଜେଟରେ ଏପରି ଘୋଷଣା ସମ୍ବିଧାନ ବିରୋଧୀ। ଅନ୍ତରୀଣ ବଜେଟରେ ଏପରି ଘୋଷଣା କରି ମୋଦୀ ସରକାର କେବଳ ଯେଣତେଣ ପ୍ରକାରେ ଠକି ନିର୍ବାଚନ ବୈତରଣୀ ପାରିହେବାର କୌଶଳ ଆପଣାଇଛନ୍ତି ।
ନରସିଂହ ମିଶ୍ର, ବିରୋଧୀ ଦଳ ନେତା

ଲୋକଙ୍କୁ ବୋକା ବନାଇବାକୁ ଏହି ବଜେଟ୍

ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟରେ ଲୋକଙ୍କୁ ବୋକା ବନାଇବାକୁ ଉଦ୍ୟମ କରାଯାଇଛି। ବିଗତ ୪ଟି ବଜେଟରେ କେନ୍ଦ୍ର ସରକାର କୋଟିପତିମାନଙ୍କୁ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ରିହାତି ଦେଇଛନ୍ତି। ଯଦି ସେହି ଟଙ୍କାକୁ ବିନିଯୋଗ କରାଯାଇଥାନ୍ତା ତାହେଲେ ଦେଶର ୩୦ କୋଟି ଗରିବ ପରିବାରକୁ ୧ ଟଙ୍କା ଦରରେ ୩୫ କେଜି ଲେଖାଏଁ ଚାଉଳ ଓ ଗହମ ମିଳିପାରିଥାନ୍ତା। ୪ବର୍ଷ ୯ ମାସ ଶାସନ ଭିତରେ ଦେଶକୁ ଏକ ଭୟଙ୍କର ପରିସ୍ଥିତି ଆଡ଼କୁ କେନ୍ଦ୍ର ସରକାର ଠେଲି ଦେଇଛନ୍ତି। ନିର୍ବାଚନ ବର୍ଷ ହୋଇଥିବାରୁ ଏ ବଜେଟରେ କେବଳ ଲୋକଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରାଯାଇଛି। ନିର୍ବାଚନରେ ଲୋକେ ବିଜେପିକୁ ଜବାବ ଦେବେ।
ଜନାର୍ଦ୍ଦନ ପତି, ରାଜ୍ୟ ସମ୍ପାଦକମଣ୍ଡଳି ସଦସ୍ୟ, ସିପିଆଇଏମ୍‌

ଆଶାଠୁ ଅଧିକ ମିଳିଛି

ଏହି ବଜେଟ ସବୁଠୁ ଉତ୍ତମ ବଜେଟ । ଲୋକେ କେନ୍ଦ୍ର ସରକାରଙ୍କଠୁ ଯାହା ଆଶା କରିଥିଲେ ତାଠୁ ଅଧିକ ଏହି ଅନ୍ତରୀଣ ବଜେଟରେ ମିଳିଛି ।
କନକ ବର୍ଦ୍ଧନ ସିଂହଦେଓ, ବିଜେପି ବିଧାୟକ ଦଳ ନେତା

ଚାଷୀଙ୍କ ଋଣ ଛାଡ଼ ନାହିଁ କି ପେନସନ୍ ନାହିଁ

ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସହାୟତା ନାଁରେ ପ୍ରତାରିତ କରାଯାଇଛି। ଓଡ଼ିଶାର କାଳିଆ, ତେଲେଙ୍ଗାନା ସରକାରଙ୍କ ଚାଷୀ ସହାୟତା ଯୋଜନା କରି ଦାନ ଉପରେ ଚାଷୀଙ୍କୁ ନିର୍ଭର କରିବାକୁ ଚାହିଁଛନ୍ତି ମୋଦୀ ସରକାର। ଏହାଦ୍ବାରା କୃଷି ଓ କୃଷକର ବିକାଶ ହେବ ନାହିଁ। ଚାଷୀଙ୍କ ପାଇଁ ଋଣ ଛାଡ଼, ପେନସନ୍ ଦେବା ନେଇ କିଛି ବି ବ୍ୟବସ୍ଥା କରାଯାଇନି । ଏ ବଜେଟ ଉପସ୍ଥାପନ ବେଳେ ବେକାରୀମାନେ ଏବେ ନିଯୁକ୍ତି ଦାତା ହୋଇଥିବା ନେଇ ଯାହା ବିବୃତି ଦେଇଛନ୍ତି ତାହା ଅସତ୍ୟ। କାମଚଳା ବଜେଟରେ ଆୟକର ରିହାତି ନେଇ ଘୋଷଣା କରିବା ଅଧିକାର ସରକାରର ନାହିଁ। ଏହା କାମଚଳା ବଜେଟ ନୁ‌େହଁ ନିର୍ବାଚନୀ ଭାଷଣ।
ଦିବାକର ନାୟକ, ସିପିଆଇ ନେତା

ଏହା ଐତିହାସିକ ଧୋକା

କେନ୍ଦ୍ର ସରକାରଙ୍କ ବଜେଟ ବେକାରୀ ଯୁବକଯୁବତୀ ଓ ଚାଷୀଙ୍କ ପାଇଁ ଐତିହାସିକ ଧୋକା। ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କହିଥିଲେ। ଧାନର ଏମ୍‌ଏସ୍‌ପି ବଢ଼ାଇବାକୁ କହିଥିଲେ। ଏବେ ବଜେଟରେ ଯେଭଳି ଚାଷୀଙ୍କୁ ୬ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରିଛନ୍ତି ତାହା ଚାଷୀ ଆତ୍ମହତ୍ୟା ରୋକିବାରୁ ସମର୍ଥ ହେବନାହିଁ। ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କ ପାଇଁ ଏହି ଯୋଜନାରେ କିଛି ବି ବ୍ୟବସ୍ଥା ନାହିଁ। ବରଂ ଓଡ଼ିଶା ସରକାର କରିଥିବା କାଳିଆ ଯୋଜନା ଏହାଠାରୁ ଭଲ। ଦୁଗ୍ଧ ପାଇଁ ଏମଏମ୍‌ପି ଧାର୍ଯ୍ୟ ନକରି କାମଧେନୁ ଆୟୋଗ ଗଠନ କରିବା ନିଷ୍ପତ୍ତି କେବଳ ନିର୍ବାଚନୀ ଧୂଆଁବାଣ।
ରବି ବେହେରା, ଓଡ଼ିଶା ସଭାପତି, ସମାଜବାଦୀ ପାର୍ଟି

ସହାୟତା କେବଳ ପ୍ରହସନ

ଅନ୍ତରୀଣ ବଜେଟରେ ଚାଷୀଙ୍କୁ ସହାୟତା ନାଁରେ କେବଳ ପ୍ରହସନ କରିଛନ୍ତି କେନ୍ଦ୍ର ସରକାର । ଭୋଟ ହାତେଇବା ପାଇଁ ମୋଦୀ ସରକାରଙ୍କ ଏହା ହେଉଛି ଚାଷୀ ତୁଷ୍ଟିକରଣ ରାଜନୀତି । ବିମୁଦ୍ରାକରଣ ପରେ କ୍ରମବର୍ଦ୍ଧିଷ୍ଣୁ ବେରୋଜଗାରୀ ସମସ୍ୟାର ସମାଧାନ ପାଇଁ କୌଣସି ଦିଗ ଦିଆଯାଇନି।
ନିଶିକାନ୍ତ ମହାପାତ୍ର, ସଭାପତି ଓଡ଼ିଶା ଶାଖା, ଆମ୍‌ ଆଦମୀ ପାର୍ଟି

ଚାଷୀଙ୍କୁ ଏକକାଳୀନ ସହାୟତା ଦେବାର ଥିଲା

ଚାଷୀଙ୍କୁ ସହାୟତା ଦେବା ବଦଳରେ ଏକକାଳୀନ ମୋଟା ଅଙ୍କର ଅର୍ଥ ଦେଇଥିଲେ ଚାଷୀର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିଥାନ୍ତା। ୩ଟି ରାଜ୍ୟରେ ନିର୍ବାଚନ ହାରିବା ପରେ ବିଜେପି ଚାଷୀଙ୍କ ପାଇଁ ଏହି ବଜେଟରେ କିଛି ଘୋଷଣା କରିବା ଏହା ପୂର୍ବରୁ ଜଣାଥିଲା। କିନ୍ତୁ ପ୍ରକୃତ ଚାଷୀ କିପରି ଚିହ୍ନଟ ହେବେ ତାହା ଏବେ ବଡ଼ ପ୍ରଶ୍ନ। ସରକାରଙ୍କ ଚାଷୀ ସହାୟତା ଯୋଜନାର ଲାଭ କେବଳ ଜମି ମାଲିକ ପାଇଥାନ୍ତି। ଏହାଦ୍ବାରା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କିଛି ମିଳେ ନାହିଁ। ସେମାନଙ୍କ ପାଇଁ କେନ୍ଦ୍ର ସରକାର ବିକଳ୍ପ ରୋଜଗାରର ବ୍ୟବସ୍ଥା କରିବା ଦରକାର। ଆୟକରରେ ରିହାତି ଦେଇ ମଧ୍ୟମବର୍ଗକୁ ଖୁସି କରିବାକୁ ବିଜେପି ଉଦ୍ୟମ କରିଛି। ଯେଉଁମାନେ କି ବିଜେପିର ସମର୍ଥକ।
ଐର ମହାମେଘବାହନ ଖାରବେଳ ସ୍ବାଇଁ, ସଭାପତି, ଉତ୍କଳ ଭାରତ

ଓଡ଼ିଶା ପାଇଁ ନୈରାଶ୍ୟଜନକ

ଏହି ବଜେଟ୍‌ ଭୋଟ୍‌ ଉଦ୍ଦେଶ୍ୟରେ କରାଯାଇଛି। ବଜେଟ୍‌ରେ କୌଣସି ଗରିବ ଲୋକ ଉପକୃତ ହେବେ ନାହିଁ। ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ କିଛିଟା ଟିକସ ରିହାତି ଦିଆଯାଇଛି। ଧନୀ ଲୋକମାନଙ୍କ ପାଇଁ ବଜେଟ୍‌ ସହାୟକ ହେବ। ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ତଥା‌ ପାଇକ ବିଦ୍ରୋହର କାର୍ଯ୍ୟକ୍ରମ ପାଇଁ ଅର୍ଥ ଅନୁଦାନ ପ୍ରଦାନ କରାଗଲା ନାହିଁ। ମୋଟାମୋଟି ଭାବେ ବଜେଟ୍‌ ଓଡ଼ିଶାପାଇଁ ନୈରାଶ୍ୟଜନକ। ଲଲିପପ୍‌ ଧରାଇ ଦିଆଯାଇଛି।
ପ୍ରସନ୍ନ ପାଟ୍ଟଶାଣୀ, ବିଜେଡି ସାଂସଦ

ସବୁ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ

ଐତିହାସିକ ବଜେଟ୍‌ ଚାଷୀ, ମଧ୍ୟବିତ୍ତ, ମହିଳା, କୃଷକ ତଥା ସବୁ ବର୍ଗର ‌ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ। ସରକାର ଦେଶର ସମସ୍ତଙ୍କ ବିକାଶ ପାଇଁ ବଦ୍ଧ ପରିକର ଥିବାରୁ ବଜେଟ୍‌ରେ ସବୁ ବର୍ଗଙ୍କୁ ଧ୍ୟାନ ଦିଆଯାଇଛି। ଦେଶର ସାମଗ୍ରିକ ବିକାଶରେ ବ‌ଜେଟ୍‌ ସହାୟକ ହେବ।
ଜୁଏଲ୍‌ ଓରାମ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ

ସମ୍ବନ୍ଧିତ ଖବର