ଜମ୍ମୁ ଓ କଶ୍ମୀର ପୌର ନିର୍ବାଚନ: କଡ଼ା ନିରାପତ୍ତା ମଧ୍ୟରେ ୪୨୨ ଓ୍ଵାର୍ଡରେ ଚାଲିଛି ମତଦାନ

ଶ୍ରୀନଗର: ରାଜ୍ୟ କର୍ତ୍ତୃପକ୍ଷ ଏବଂ ନିର୍ବାଚନ କମିସନ୍‌ଙ୍କ ଦ୍ୱାରା ଆୟୋଜିତ କଡ଼ା ନିରାପତ୍ତା ମଧ୍ୟରେ ସୋମବାର ସକାଳୁ ଜମ୍ମୁ ଓ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ପୌର ନିର୍ବାଚନ ଆଗେଇ ଚାଲିଛି। ଡଜନାଧିକ ଜିଲ୍ଲାରେ ଥିବା ୪୨୨ଟି ଓ୍ଵାର୍ଡରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି।

ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ଭୋଟ୍‌ରେ ୧୨୮୩ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଭର କରୁଛି। ସେମାନଙ୍କ ମଧ୍ୟରୁ ଜମ୍ମୁରେ ୨୪୭ ଟି ଓ୍ଵାର୍ଡ, କଶ୍ମୀରରେ ୧୪୯ଟି ଓ୍ଵାର୍ଡ ଏବଂ ଲଦାଖରେ ୨୬ଟି ଓ୍ଵାର୍ଡରେ ଭୋଟ୍‌ ଗ୍ରହଣ ଚାଲିଛି।

୪ଟି ପର୍ଯ୍ୟାୟରେ ହେବାକୁ ଥିବା ପୌର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।

ଜମ୍ମୁ ଓ ଲଦାଖ ଅଞ୍ଚଳରେ ଭୋଟର୍‌ମାନଙ୍କୁ ପ୍ରଭାବିତ କରିବାକୁ ପ୍ରାର୍ଥୀମାନେ ସବୁ ମତେ ଉଦ୍ୟମ କରିଛନ୍ତି। ରାଜ୍ୟର ଦୁଇଟି ମୁଖ୍ୟ ଦଳ ନେସ୍‌ନାଲ୍‌ କନ୍‌ଫରେନ୍‌ସ୍‌ ଏବଂ ପିପଲ୍‌ସ୍‌ ଡେମୋକ୍ରାଟିକ୍‌ ପାଟି ଧମକ, ହିଂସା ଓ ବର୍ଜନ ଆଦି କରିବାରୁ କଶ୍ମୀର ଉପତ୍ୟକାରେ ପ୍ରଚାର ଅଭିଯାନ ମାନ୍ଦା ପଡ଼ି ଯାଇଥିଲା।

ଅକ୍ଟୋବର ୧୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ରେ ୩୮୪ଟି ଓ୍ଵାର୍ଡ, ଅକ୍ଟୋବର ୧୩ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ରେ ୨୦୭ଟି ଓ୍ଵାର୍ଡ ଏବଂ ଅକ୍ଟୋବର ୧୬ ତାରିଖ ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ରେ ୧୩୨ଟି ଓ୍ଵାର୍ଡରେ ଭୋଟ୍‌ ଗ୍ରହଣ କରାଯିବ।

ଅକ୍ଟୋବର ୨୦ ତାରିଖରେ ଭୋଟ୍‌ ଗଣତି ହେବ।

ସମ୍ବନ୍ଧିତ ଖବର