ସାମ୍ବାଦିକ ଖସୋଗିଙ୍କ ହତ୍ୟା ଘଟଣା, ଅଡୁଆରେ ରାଜ ପରିବାର

ରିୟାଦ: ସାମ୍ବାଦିକ ଜମାଲ୍‌ ଖସୋଗିଙ୍କ ହତ୍ୟା ସମ୍ପର୍କରେ ସାଉଦି ଆରବ ସରକାର ରଖିଥିବା ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହି ଘଟଣା ପାଇଁ ସାଉଦିକୁ ଗଭୀର ନିନ୍ଦା କରିଛନ୍ତି। ଫଳରେ ସାଉଦି ରାଜ ପରିବାର ଅଡୁଆରେ ପଡ଼ିଛି ଯେଉଁଭଳି ଢଙ୍ଗରେ ସାଉଦି ଖସୋଗିଙ୍କ ହତ୍ୟା ଘଟଣାର ବିବୃତି ରଖିଲା, ସେଥିରେ ମଧ୍ୟ କିଛି ପାଶ୍ଚାତ୍ୟ ରାଷ୍ଟ୍ର ପ୍ରଶ୍ନ ଉଠାଇବା ସହ ତୁର୍କୀ କର୍ତ୍ତୃପକ୍ଷଙ୍କ ରିପୋର୍ଟକୁ ଅପେକ୍ଷା କରିଥିବା ଦର୍ଶାଇଛନ୍ତି। ଏହାପରେ ଦୋଷୀ ଅଧିକାରୀଙ୍କ ସମେତ ରିୟାଦ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ, ତାହା ସ୍ଥିର କରାଯିବ ବୋଲି ରାଷ୍ଟ୍ରଗୁଡ଼ିକ ସାଉଦି ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ଆଗାମୀ ସପ୍ତାହରେ ଖସୋଗିଙ୍କ ହତ୍ୟା ସମ୍ପର୍କରେ ନୂଆ ତଥ୍ୟ ପ୍ରକାଶ ପାଇବ ବୋଲି ତୁର୍କୀ ରାଷ୍ଟ୍ରପତି ରିସେପ୍ ତାୟିପ୍‌ ଏର୍ଡୋଗାନ୍‌ ରବିବାର କହିଛନ୍ତି।

ନିନ୍ଦା କଲେ ପାଶ୍ଚାତ୍ୟ ରାଷ୍ଟ୍ର
ତୁର୍କୀର ତଦନ୍ତ ରିପୋର୍ଟକୁ ଅପେକ୍ଷା
ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ୧୫ ଅଧିକାରୀ
ତଣ୍ଟି ଚିପି ହତ୍ୟା କରିଥିଲେ

ସୂଚନା ମୁତାବକ ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ ଓ କାନାଡ଼ା ଭଳି ରାଷ୍ଟ୍ରର ମନ୍ତ୍ରୀମାନେ ଖସୋଗିଙ୍କ ହତ୍ୟା ଘଟଣାରେ ସାଉଦି ଆରବକୁ ତୀବ୍ର ସମାଲୋଚନା କରିଛନ୍ତି। ହତ୍ୟା କରାଯିବାର ଦୁଇ ସପ୍ତାହ ପରେ ସାଉଦି ସରକାର ମୁହଁ ଖୋଲିବାକୁ ନେଇ ଏମାନେ ପ୍ରଶ୍ନ ଉଠାଇଛନ୍ତି। ଜଣେ ବରିଷ୍ଠ ସାଉଦି ଅଧିକାରୀଙ୍କ କହିବାନୁସାରେ ସାଉଦି ରାଜକୁମାର ମହମ୍ମଦ ବିନ୍ ସଲମାନ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶ ନଥିବା ସତ୍ତ୍ବେ ୧୫ ସାଉଦି ଅଧିକାରୀ ଖସୋଗିଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଗଣ୍ଡଗୋଳ ସୀମା ଟପିବା ପରେ ଖସୋଗିଙ୍କୁ ସେମାନେ ହତ୍ୟା କରିଥିଲେ। ପରେ ଜଣେ ସ୍ଥାନୀୟ ଲୋକଙ୍କ ସହାୟତାରେ ଖସୋଗିଙ୍କ ମୃତଦେହ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ୧୫ ଜଣଙ୍କ ମଧ୍ୟରୁ ଜଣେ ଅଧିକାରୀ ଖସୋଗିଙ୍କ ‌େପାଷାକ ପିନ୍ଧି ଘଟଣାସ୍ଥଳ (ସାଉଦିର ଇସ୍ତାନବୁଲସ୍ଥିତ ବାଣିଜ୍ୟ ଦୂତାବାସ) ଛାଡ଼ିଥିଲେ। ଏହାଦ୍ବାରା ଖ‌େସାଗି ଦୂତାବାସରୁ ବାହାରିଥିବା ନେଇ ଜଣାପଡ଼ିବ ବୋଲି ସେମାନେ ଭାବିଥିଲେ। ରିୟାଦକୁ ଉକ୍ତ ୧୫ ଜଣିଆ ଟିମ୍‌ ଭୁଲ ତଥ୍ୟ ଦେଇଥିଲା ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଏହି ଅଧିକାରୀ ଜଣକ କହିଛନ୍ତି। ସାଉଦି ସରକାରଙ୍କ ଏହି ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ପ୍ରକୃତରେ ୧୫ ଜଣ ଅଧିକାରୀ ଷଡ଼ଯନ୍ତ୍ର କରି ଯୋଜନାବଦ୍ଧ ଭାବେ ଖସୋଗିଙ୍କୁ ହତ୍ୟା କରିଛନ୍ତି। ତାଙ୍କ ସୂଚନା ମୁତାବକ ୫୯ ବର୍ଷୀୟ ଖସୋଗିଙ୍କୁ ସାମ୍ନାସାମ୍ନି ପଚରାଉଚରା ପାଇଁ ୧୫ ଜଣ ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ ‌େହାଇଥିଲା। ଏହାପରେ ଅକ୍ଟୋବର ୨ରେ ଏହି ଟିମ୍‌ ଖସୋଗିଙ୍କୁ ଜେରା କରିବା ସହ ତାଙ୍କୁ ଅପହରଣ କରି ହତ୍ୟା କରିବ ବୋଲି ଧମକ ଦେଇଥିଲା। ଖସୋଗି ପ୍ରବଳ ବିରୋଧ କରିବାରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଅକ୍ଟୋବର ୨ରେ ଖସୋଗିଙ୍କୁ ହତ୍ୟା କରାଯାଇଥିଲା ବେଳେ ସାଉଦି ସରକାର ମଧ୍ୟ ଏ କଥା ଜାଣିଥିଲେ। କିନ୍ତୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କୌଣସି ସୂଚନା ଦେଇନଥି‌େଲ। ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଚାପ ପଡ଼ିବା ପରେ ମାର୍‌ପିଟ୍‌ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଶନିବାର ସାଉଦି ସୂଚନା ଦେଇଥିଲା। କିନ୍ତୁ ପ୍ରକୃତରେ ଷଡ଼ଯନ୍ତ୍ର କରାଯାଇ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି। ଖସୋଗି ସାଉଦି ରାଜକୁମାର ମହମ୍ମଦ ବିନ୍ ସଲମାନ୍‌ଙ୍କର ଜଣେ ଦୃଢ଼ ସମାଲୋଚକ ଥିଲେ। ସେ ନିୟମିତ ଭାବେ ତାଙ୍କୁ ସମାଲୋଚନା କରି ସ୍ତମ୍ଭ ଲେଖୁଥିଲେ। ୱାସିଂଟନ୍ ପୋଷ୍ଟରେ ଜଣେ ସ୍ତମ୍ଭକାର ଭାବେ ସେ କାର୍ଯ୍ୟ କରୁଥିଲେ। ତୁର୍କୀର ତଦନ୍ତ ଏଜେନ୍ସିଗୁଡ଼ିକ ଦର୍ଶାଇଛନ୍ତି ଯେ ଖସୋଗିଙ୍କୁ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରାଯାଇଛି।

ସମ୍ବନ୍ଧିତ ଖବର