ଜଷ୍ଟିସ୍‌ ଯୋଶେଫ୍‌ଙ୍କ ସୁପାରିସ ଖାରଜ:ଆସନ୍ତା ସପ୍ତାହରେ କଲେଜିୟମ ବୈଠକ

ନୂଆଦିଲ୍ଲୀ: ଜଷ୍ଟିସ୍‌ କେ.ଏମ୍‌ ଯୋଶେଫ୍‌ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କଲେଜିୟମ କରିଥିବା ସୁପାରିସକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିବାରୁ ଏହାକୁ ନେଇ ବିବାଦୀୟ ସ୍ଥିତି ଲାଗି ରହିଛି । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନ ବିଚାରପତି ଦୀପକ ମିଶ୍ର ଆସନ୍ତା ବୁଧବାର ଦିନ କଲେଜିୟମ ବୈଠକ ଡାକିଛନ୍ତି। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଲେଜିୟମର ୪ ବରିଷ୍ଠ ବିଚାରପତି ବିରୋଧ କରୁଥିବା ଜଣାପଡ଼ିଛି। ଜଷ୍ଟିସ ଯୋଶେଫ୍‌ଙ୍କ ସୁପାରିସ ଖାରଜ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଯୁକ୍ତି ଦର୍ଶାଇଛନ୍ତି ସେ ଉପରେ ବିସ୍ତତ ଆଲୋଚନା ହେବ ଏବଂ ଆବଶ୍ୟକସ୍ଥଳେ ଯୋଶେଫ୍‌ଙ୍କ ନାମ ପୁଣି ସୁପାରିସ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ବରୁ ଏଭଳି ଘଟିଥିବା ନଜିର୍‌ ରହିଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା କଲେଜିୟମ ସୁପାରିସ ପ୍ରତ୍ୟାଖ୍ୟାନକୁ ନ୍ୟାୟପାଳିକା ବ୍ୟାପାରରେ ହସ୍ତକ୍ଷେପ ବୋଲି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଆର୍‌.ଏମ୍‌.ଲୋଧା କହିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନ ବିଚାରପତି ତୁରନ୍ତ କେଲଜିୟମ ବୈଠକ ଡାକି ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଗତକାଲି ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ବେଳେ ଆଜି ସକାଳୁ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ନିକଟରୁ ଆସିଥିବା ଜଷ୍ଟିସ୍‌ ଯୋଶେଫଙ୍କ ସୁପାରିସ ଖାରଜ ସମ୍ପର୍କିତ ଚିଠିକୁ ପ୍ରଧାନ ବିଚାରପତି କଲେଜିୟମର ଅନ୍ୟ ୪ ବରିଷ୍ଠ ବିଚାରପତିଙ୍କ ନିକଟକୁ ପଠାଇଛନ୍ତି। ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ଜଷ୍ଟିସ୍‌ ଯୋଶେଫ ସର୍ବଭାରତୀୟ ବରିଷ୍ଠ ବିଚାରପତିଙ୍କ ତାଲିକାରେ ୪୨ ସ୍ଥାନରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ୍‌ ଚେ.ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ.ବି.ଲୋକୁର ଓ କୁରିଏନ ଜୋସେଫ କଲେଜିୟମର ସଦସ୍ୟ ଅଛନ୍ତି। ଜଷ୍ଟିସ ଚେଲେମେଶ୍ୱର ପୂର୍ବରୁ ମଧ୍ୟ କଲେଜିୟମ ନିଷ୍ପତ୍ତି ନେଇ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ଆସୁଛନ୍ତି ।

ସମ୍ବନ୍ଧିତ ଖବର