କର୍ଣ୍ଣାଟକ ନିର୍ବାଚନ: ଜୁନିୟର ୟଦୁରପ୍ପାଙ୍କୁ ଟିକେଟ୍‌ ମିଳିଲାନି

ଅସନ୍ତୁଷ୍ଟ ବିଜେପି କର୍ମୀଙ୍କ ବିକ୍ଷୋଭ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କେଇଟା ଦିନ ବାକି ଥିବାବେଳେ ନିର୍ବାଚନୀ ମଇଦାନରେ ଏବେ ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି। ତେବେ ମହୀଶୁରର ବରୁଣା ନିର୍ବାଚନ ମଣ୍ଡଳୀ ମୁଖ୍ୟମନ୍ତ୍ରୀ ସିଦ୍ଦରାମୟାଙ୍କ ପୁଅ ଯତୀନ୍ଦ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ୟଦୁରପ୍ପାଙ୍କ ପୁଅ ବି ଓ୍ଵାଇ ବିଜୟେନ୍ଦ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଥିଲେ ମଧ୍ୟ ଏବେ ସେପରି ହେବନାହିଁ। ୟଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କ ଟିକେଟ୍‌ କଟିଯାଇଥିବାରୁ ସେ ନିର୍ବାଚନ ଲଢ଼ିପାରିବେନି। ଆଜି ମହୀଶୁର ନିକଟସ୍ଥ ନାନ୍‌ଜନଗୁଡ଼ୁ ଠାରେ ବିଜେପି ଦ୍ୱାରା ଆୟୋଜିତ ଏକ ବୈଠକରେ ରାଜ୍ୟ ସଭାପତି ୟଦୁରପ୍ପା ଘୋଷଣା କରି କହିଥିଲେ ଯେ ତାଙ୍କ ପୁଅ ବିଜୟେନ୍ଦ୍ର ଆଜି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି। ତାଙ୍କ ଜାଗାରେ ଜଣେ ସାଧାରଣ ଲୋକ ନିର୍ବାଚନ ଲଢ଼ିବେ। ତେଣୁ ସମସ୍ତଙ୍କୁ ଅନୁରୋଧ ଯିଏ ବି ନିର୍ବାଚନ ଲଢ଼ିବେ ତାଙ୍କୁ ଜିତିବାରେ ପୂର୍ଣ୍ଣ ସମର୍ଥନ ମିଳୁ। ତେବେ ଏହି ଘୋଷଣା ପରେ ଉପସ୍ଥିତ ବିଜେପି କର୍ମୀମାନେ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ କରିଥିଲେ ଏବଂ ମଞ୍ଚ ଉପରକୁ ଚଢ଼ିଯାଇ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଅଣାୟତ ହୋଇଯିବାରୁ ପୁଲିସ ମଧ୍ୟ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା। ମହୀଶୁରର ବରୁଣା ନିର୍ବାଚନମଣ୍ଡଳୀ ଚଳିତ ନିର୍ବାଚନର ମୁଖ୍ୟ କେନ୍ଦ୍ର ବିନ୍ଦୁ ଥିଲା। ବିଜୟେନ୍ଦ୍ର ଏହି ନିର୍ବାଚନ ମଣ୍ଡଳୀରୁ ଲଢିବା ନେଇ ପୂର୍ବରୁ ମଧ୍ୟ ଘୋଷଣା ହୋଇସାରିଥିଲା ବେଳେ ସେ ଜୋରସୋରରେ ପ୍ରଚାର ମଧ୍ୟ କରୁଥିଲେ। ଏପରିକି ଉକ୍ତ ଅଞ୍ଚଳରେ ଭଡାଘର ନେଇ ନିଜେ ନିର୍ବାଚନ ପ୍ରଚାର ପ୍ରକ୍ରିୟାର ତଦାରଖ କରୁଥିଲେ।

କର୍ଣ୍ଣାଟକରେ ଝୁଲା ବିଧାନସଭା!

ବେଙ୍ଗାଲୁରୁ: ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥର ରାଜ୍ୟରେ ଝୁଲା ବିଧାନସଭା ହେବ ବୋଲି ପୂର୍ବାନୁମାନ କରାଯାଉଛି। ଆଜି ଟାଇମ୍ସ ନାଓ ଏବଂ ଏଭିପି ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ଦୁଇଟି ଯାକ ରିପୋର୍ଟ ମୁତାବକ, ରାଜ୍ୟର ମୋଟ ୨୨୪ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ହାରାହାରି ୯୧ଟି ଆସନ ଏବଂ ବିଜେପି ୮୯ଟି ଆସନ ଜିତିବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ହାରାହାରି ୪୦ଟି ଆସନ ପାଇବାକୁ ଥିବା ଜେଡିଏସ୍‌ କିଙ୍ଗ୍‌ମେକର ସାବ୍ୟସ୍ତ ହେବ। ଟାଇମ୍ସ ନାଓର ସର୍ଭେ ମୁତାବକ, ୨୦୧୩ ମସିହାରେ ମାତ୍ର ୪୦ଟି ଆସନ ଜିତିଥିବା ବିଜେପି ଏଥର ଦୁଇଗୁଣା ଅର୍ଥାତ୍‌ ୮୯ଟି ଆସନ ଦଖଲ କରିବ। କିନ୍ତୁ ଗତବର୍ଷ ୧୨୨ଟି ଆସନ ଜିତି ସରକାର ଗଢିଥିବା କଂଗ୍ରେସ ଚଳିତବର୍ଷ ୯୧ଟି ଆସନ ଅକ୍ତିଆର କରିପାରିବ। ସେହିଭଳି ଏଭିପିର ସର୍ଭେ ମୁତାବକ, ୮୯ରୁ ୯୫ଟି ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ୮୫ରୁ ୯୧ ଟି ଆସନ ଜିତିବ। ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ୩୦ ପ୍ରତିଶତ ଲୋକ ସିଦ୍ଦରାମୟାଙ୍କୁ, ୨୫ ପ୍ରତିଶତ ଲୋକେ ୟେଦୁରପ୍ପାଙ୍କୁ ଓ ୨୦ ପ୍ରତିଶତ ଲୋକ ଜେଡିଏସ୍‌ ମୁଖ୍ୟ କୁମାରସ୍ୱାମୀଙ୍କୁ ପସନ୍ଦ କରିଛନ୍ତି। କାବେରୀ ଜଳ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ କର୍ଣ୍ଣାଟକ ସପକ୍ଷରେ ଆସିଥିବାରୁ ଏହା ବିଜେପିକୁ ଅଧିକ ଭୋଟ ଦେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର