କାର୍ତ୍ତିଙ୍କୁ ଗିରଫ କଲା ସିବିଆଇ

ବିଜେପିର ପ୍ରତିଶୋଧ ରାଜନୀତି: କଂଗ୍ରେସ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆର ବେଆଇନ ଅର୍ଥ କାରବାର ମାମଲାରେ ଆଜି ସିବିଆଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ଗିରଫ କରିଛି। ବିଦେଶ ଗସ୍ତ ସାରି ଆଜି କାର୍ତ୍ତି ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବାପରେ ସିବିଆଇ ସେଠାରୁ ତାଙ୍କୁ ଗିରଫ କରିଛି। ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌ କାର୍ତ୍ତିଙ୍କୁ ଜେରା ଚଳାଇଥିବା ଜଣାପଡ଼ିଛି । କାର୍ତ୍ତିଙ୍କୁ ପରବର୍ତ୍ତୀ ଜେରା ପାଇଁ ଦିଲ୍ଲୀ ନେବା ପୂର୍ବରୁ ତାଙ୍କୁ ଚେନ୍ନାଇର ଏକ ସିବିଆଇ କୋର୍ଟରେ ହାଜର କରାଯାଇଛି। ଅନ୍ୟପକ୍ଷରେ କାର୍ତ୍ତିଙ୍କ ଗିରଫକୁ ନେଇ ଆଜି କଂଗ୍ରେସ ବିଜେପିକୁ କଡ଼ା ସମାଲୋଚନା କରିଛି । କାର୍ତ୍ତିଙ୍କ ଗିରଫ ମୋଦି ସରକାରଙ୍କର ପ୍ରତିଶୋଧପୂର୍ଣ୍ଣ ରାଜନୀତି ବୋଲି କଂଗ୍ରେସ କହିଛି। ମୋଦି ସରକାର ନିଜ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପକୁ ଘଣ୍ଟ ଘୋଡ଼ାଇବାକୁ କାର୍ତ୍ତିଙ୍କୁ ଗିରଫ କରିଛିିି ଏବଂ ଏହାଦ୍ୱାରା ପିଏନ୍‌ବି ଦୁର୍ନୀତି ଏବଂ ନିରବ ମୋଦି ପ୍ରସଙ୍ଗକୁ ଗୌଣ କରିବାକୁ ବିଜେପି ଚାଲ୍‌ ଖେଳୁଛି ବୋଲି କଂଗ୍ରେସ କଂଗ୍ରେସ କହିଛି।

କାର୍ତ୍ତିଙ୍କ ବିରୋଧରେ ଇଡି ଜାରି କରିଥିବା ସମନ୍‌ ଉପରେ ରୋକ୍‌ ଲଗାଇବାପାଇଁ ସେ ନିକଟରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାର ଠିକ୍‌ ଗୋଟିଏ ସପ୍ତାହ ପରେ ସିବିଆଇ ତାଙ୍କୁ ଗିରଫ କରିଛି। ଏହାପୂର୍ବରୁ କାର୍ତ୍ତିଙ୍କ ଚାର୍ଟାଡ ଆକଉଣ୍ଟାଣ୍ଟ୍‌ଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ଉଲ୍ଳେଖଯୋଗ୍ୟ ୨୦୦୭ ମସିହାରେ ଆଇଏନ୍‌ଏକ୍ସ ମିଡିଆ ଦ୍ୱାରା ବିଦେଶୀ ପ୍ରତ୍ୟକ୍ଷ ପୁଂଜି ନିବେଶରେ ଅନିୟମିତତା ମାମଲାରେ କାର୍ତ୍ତି ସଂପୃକ୍ତ ଥିଲେ। ସିବିଆଇ ଅଭିଯୋଗ ଅନୁଯାୟୀ କାର୍ତ୍ତିଙ୍କ ବାପା ଅର୍ଥମନ୍ତ୍ରୀ ଥିବାବେଳେ ସେ ଅର୍ଥ ମନ୍ତ୍ରାଳୟରେ ନିଜ ପ୍ରଭାବ ବିସ୍ତାର କରି ଆଇଏନ୍‌ଏକ୍ସ ମିଡିଆକୁ ୩ଟି ମରିସସ୍‌ ନିବେଶକଙ୍କଠାରୁ ବିଦେଶୀ ପୁଂଜି ମଞ୍ଜୁର କରାଇବାରେ ସାହାଯ୍ୟ କରିଥିଲେ। କାର୍ତ୍ତି ଏହି ମାମଲାରେ ଲାଞ୍ଚ ଗ୍ରହଣ କରିଥିବା ପ୍ରମାଣ ମିଳିଥିବା ସିବିଆଇ ଦାବି କରିଛି । ସେହିପରି ଟିକସ ତଦନ୍ତକୁ ଲୁଚାଇବାପାଇଁ ମଧ୍ୟ କାର୍ତ୍ତି ଆଇଏନ୍‌ଏକ୍ସ ମିଡିଆଠାରୁ ଲାଞ୍ଚ ଗ୍ରହଣ କରିଥିଲେ ବୋଲି ସିବିଆଇ ଅଭିଯୋଗ କରିଥିଲା। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଉଭୟ ସିବିଆଇ ଏବଂ ଇଡି କାର୍ତ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏନେଇ ଉଭୟ ସିବିଆଇ ଏବଂ ଇଡି ଦ୍ୱାରା କାର୍ତ୍ତିଙ୍କ ବାସଭବନ ଏବଂ ଅଫିସରେ ପୂର୍ବରୁ ଅନେକବାର ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର