ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଜମି ଦେବାକୁ ମନା କରୁଛନ୍ତି ୭୦ଟି ଗାଁର ଲୋକ, ଯିଏ ଗଲା ତାକୁ ପିଟୁଛନ୍ତି

ମୁମ୍ବାଇ : ୨୦୨୨ ସୁଦ୍ଧା ମୁମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହି ପ୍ରକଳ୍ପ ଆଗରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି । ଜମି ଅଧିଗ୍ରହଣକୁ ନେଇ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ସମସ୍ୟା ଦେଖାଦେଇଛି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ପାଲଘର ଜିଲ୍ଲାରେ ଲୋକମାନେ ଜମି ଛାଡିବାକୁ ମନା କରୁଥିବାରୁ ସରକାର ଏବେ ଚିନ୍ତାରେ ପଡିଛନ୍ତି ।

ଏହି ଜିଲ୍ଲାରେ ଥିବା ପ୍ରାୟ ୭୦ଟି ଗାଁର ଲୋକମାନେ ରେଳବାଇକୁ ଜମି ଦେବାକୁ ମନା କରିଦେଇଛନ୍ତି । ଆହୁରି ମଧ୍ୟ ଏହି ପ୍ରକଳ୍ପ ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ କରିବା ପାଇଁ ଏହି ଲୋକମାନେ ପ୍ରସ୍ତୁତ ହେଉଛନ୍ତି । ପୁଣି ଏହି ଜନ ଆନ୍ଦୋଳନକୁ କେତେକ ସ୍ଥାନୀୟ ନେତା ଉସୁକାଉଥିବାରୁ ପରିସ୍ଥିତି ଜଟିଳ ହୋଇପଡିଛି । ମିଳିଥିବା ସୂଚନା ଅନୁସାରେ ଏହି ୭୦ଟି ଗାଁ ମଧ୍ୟରୁ ୨୩ଟି ଗାଁ ଲୋକ ସରକାର ବା ରେଳବିଭାଗ ସହ କୌଣସି ପ୍ରକାର କଥାବାର୍ତ୍ତ ମଧ୍ୟ କରୁନାହାନ୍ତି । କୌଣସି ସରକାରୀ ଅଧିକାରୀ କଥାବାର୍ତ୍ତା କରିବାକୁ ଗାଁକୁ ଗଲେ ସେମାନଙ୍କୁ ମାଡ ମାରୁଛନ୍ତି । ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ସରକାର ମୋଟ ୧୪୦୦ ହେକ୍ଟର ଜମି ଅଧିଗ୍ରହଣ କରୁଛନ୍ତି । କିନ୍ତୁ ଏହି ୭୦ ଟି ଗାଁରେ ଥିବା ୨୦୦ ହେକ୍ଟର ଜମି ଅଧିଗ୍ରହଣ ହୋଇପାରୁନାହିଁ ।

ନରେନ୍ଦ୍ର ମୋଦି ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା ହେଉଛି ଏହି ବୁଲେଟ୍‌ ଟ୍ରେନ ପ୍ରକଳ୍ପ । ଏହାକୁ ଜାପାନ ସହାୟତାରେ ନିର୍ମାଣ କରାଯାଉଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମିଳିତଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅହମଦାବାଦର ସାବରମତୀ ଷ୍ଟେସନରୁ ବାହାରି ମୁମ୍ବାଇ ପହଞ୍ଚିବାକୁ ବୁଲେଟ ଟ୍ରେନକୁ ମାତ୍ର ୨ ଘଣ୍ଟା ସମୟ ଲାଗିବ । ଅର୍ଥାତ ୫୦୮ କିଲୋମିଟର ଦୂରତ୍ୱ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ । ଏହାର ସର୍ବାଧିକ ଘଣ୍ଟାପ୍ରତି ବେଗ ୩୨୦ କିଲୋମିଟର ରହିବ । ସାବରମତୀ ଷ୍ଟେସନରୁ ମୁମ୍ବାଇ ମଧ୍ୟରେ ୧୨ଟି ଷ୍ଟେସନ ରହିବ । ଦିନକୁ ୭୦ ଥର ଯିବା ଆସିବା କରିବ ଏହି ଟ୍ରେନ ।

ସମ୍ବନ୍ଧିତ ଖବର