ଲୋକସଭାରେ ଶୋକ: ଦିନକ ପାଇଁ ଗୃହ ମୁଲତବୀ

ନୂଆଦିଲ୍ଲୀ : ଆସିକା‌ ସାଂସଦ ଲଡ଼ୁ କିଶୋର ସ୍ବାଇଁଙ୍କ ବିୟୋଗରେ ଆଜି ଲୋକସଭାରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରାଯିବାପରେ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବୀ କରାଯାଇଛି।

ବାଚସ୍ପତି ସୁମିତ୍ରା ମହାଜନ ଆଜି ‌ଏହି ଦିବଗଂତ ସାଂସଦଙ୍କ ଉଦ୍ଦେଶ୍ୟରେ ଶୋକପାଠ କରି କହିଥିଲେ ଯେ, ଜଣେ କୃଷିବିତ୍ ଓ ସକ୍ରିୟ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ଲଡ଼ୁକିଶୋରଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା। ଲୋକସଭା ସଦସ୍ୟ ରୂପେ ସେ ନିର୍ବାଚିତ‌ ହେବା ପୂର୍ବରୁ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭା ସଭ୍ୟ ଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲଡ଼ୁକିଶୋର ସ୍ବାଇଁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ଲଡ଼ୁ କିଶୋର ସ୍ବାଇଁ ତାଙ୍କ ରାଜନୈତିକ ଜୀବନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ‌।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନଙ୍କ ପାଇଁ କରିଥିବା ସେବା ପାଇଁ ସେ ସର୍ବଦା ମନେ ରହିବେ। ଗ୍ରାମୀଣ ଅଞ୍ଚଳର ବିକାଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ।

ସମ୍ବନ୍ଧିତ ଖବର