ମହାନଦୀ ଜଳ ବିବାଦ ମାମଲା : ଓଡ଼ିଶାର ଦାବି ଉପରେ ଜବାବ ରଖିଲା ଛତିଶଗଡ଼

ନୂଆଦିଲ୍ଲୀ : ଓଡ଼ିଶା ଏବଂ ଛତିଶଗଡ଼ କିଏ କେତେ ପରିମାଣରେ ମହାନଦୀ ଜଳ ବ୍ୟବହାର କରିବେ ତାହା ଟ୍ରିବ୍ୟୁନାଲଙ୍କ ଆଦେଶ ଦ୍ବାରା ସ୍ଥିର ହୋଇପାରିବ ଏବଂ ଏ ବାବଦରେ ଓଡ଼ିଶାର ପୂର୍ବ ଦାବି ଗ୍ରହଣୀୟ ନୁହେଁ ବୋଲି ଛତିଶଗଡ଼ ପକ୍ଷରୁ ଦାଖଲ କରାଯାଇଥିବା ‘ଷ୍ଟେଟମେଣ୍ଟ ଅଫ୍ କ୍ଲେମସ୍’ ର ଜବାବରେ କୁହାଯାଇଛି। ମହାନଦୀ ଜଳବିବାଦ ମାମଲାରେ ଓଡ଼ିଶା ଦ୍ବାରା ଗତ ବର୍ଷ ଡିସେମ୍ବର ୧୨ରେ ଯେଉଁ ସବୁ ଅଧିକାର ସଂପର୍କିତ ଦାବି ଉପସ୍ଥାପନ କରାଯାଇଥିଲା ତାହାର ଜବାବ ନିକଟରେ ଛତିଶଗଡ଼ ଦ୍ବାରା ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି। ଏବେ ଏହାର ଉତ୍ତର ଦେବାପାଇଁ ଓଡ଼ିଶା ସରକାରଙ୍କୁ ଟ୍ରିବ୍ୟୁନାଲ ୩ ସପ୍ତାହ ସମୟ ଦେଇଛନ୍ତି।

ଟ୍ରିବ୍ୟୁନାଲ୍‌ରେ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ୨୩୧ ପୃଷ୍ଠାର ଜବାବରେ କୁହାଯାଇଛି ଆନ୍ତଃରାଜ୍ୟ ମହାନଦୀ ଜଳବଣ୍ଟନ ପାଇଁ ହୀରାକୁଦ ଡ୍ୟାମ୍‌ର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ କୌଣସି ବୁଝାମଣା, ରାଜିନାମା କିମ୍ବା ବ୍ୟବସ୍ଥା ନାହିଁ । ହୀରାକୁଦ ଡ୍ୟାମ୍‌ ବିଶେଷ ରୂପେ ଏକ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ। ଏହା ଓଡ଼ିଶାର ହିତ ପାଇଁ କରାଯାଇଥିବା ଛତିଶଗଡ଼ କହିଛି। ୧୯୪୭ର ହୀରାକୁଦ ଡ୍ୟାମ୍‌ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅବିଶ୍ବସନୀୟ ହାଇଡ୍ରୋଲୋଜି ଉପରେ ଆଧାରିତ। ଓଡ଼ିଶାର କହିବା ଅନୁସାରେ ହୀରାକୁଦ ଡ୍ୟାମର ୭୫ ପ୍ରତିଶତ ନିର୍ଭରଯୋଗ୍ୟ ଜଳପ୍ରବାହ କେବଳ ୧୮.୨୪୨ ଏମଏଏଫ୍ । ଛତିଶଗଡ଼ ଦ୍ବାରା ମହାନଦୀ ଉପରମୁଣ୍ଡରେ ନିର୍ମାଣ କରାଯାଉଥିବା ୬ଟି ବ୍ୟରେଜ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହଁ ବୋଲି ଛତିଶଗଡ଼ କହିଛି। କେନ୍ଦ୍ରୀୟ ଜଳ ଆୟୋଗ ଦ୍ବାରା ଜୁଲାଇ ୧୩, ୨୦୧୬ରେ ବସନ୍ତପୁର ଗଜ୍‌ର ଆକଳନ କରାଯାଇ ମହାନଦୀର ଉପରମୁଣ୍ଡର ପ୍ରକଳ୍ପ ଯୋଗୁଁ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି। ଅପରପକ୍ଷେ ସେପ୍ଟେମ୍ବର ୦୨, ୨୦୧୬ରେ ହାଇଡ୍ରୋଲୋଜି ନିର୍ଦ୍ଦେଶକଙ୍କ ଅନୁସାରେ ଅଣମୌସୁମୀ ଋତୁରେ ଜଳ ପ୍ରଭାବ ହ୍ରାସ ପାଇଥିବା କୌଣସି ଟ୍ରେଣ୍ଡ୍ ମିଳିନଥିଲା। ଓଡ଼ିଶା ଦ୍ବାରା ୧୨.୨୮ ଏମଏଏଫ୍ ଅଧିକ ପରିମାଣର ଜଳ ନିଷ୍କାସନ କରାଯାଉଛି। ଓଡ଼ିଶା ଦ୍ବାରା ପୂର୍ବରୁ ପ୍ରତି ଜବାବରେ ଏହା ସ୍ବୀକାର କରାଯାଉଥିବା ଛତିଶଗଡ଼ ପକ୍ଷରୁ କୁହାଯାଇଛି। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ପ୍ରତିଜବାବରେ ଜଳ ବର୍ଷ ୧୯୯୦-୯୧, ୧୯୯୪-୯୫, ୧୯୯୮-୯୯, ୧୯୯୯-୨୦୦୦, ୨୦୦୩-୦୪, ୨୦୦୫-୦୬, ୨୦୦୭-୦୮ ଓ ୨୦୦୮-୦୯ରେ ଅଧିକ ଜଳ ନେଇଥିବା ସ୍ବୀକାର କରାଯାଇଛି ବୋଲି ଛତିଶଗଡ଼ କହିଛି। ଏତଦ୍‌ବ୍ୟତୀତ ମହାନଦୀ ଅବବାହିକାରୁ ଓଡ଼ିଶା ୨.୦୮୨ ଏମଏଏଫ୍ ଜଳ ଶିଳ୍ପ ସଂସ୍ଥା ପାଇଁ ଉପଯୋଗ ନିମନ୍ତେ ଯୋଜନା କରିଛି ବୋଲି ଛତିଶଗଡ଼ ଉତ୍ତରରେ ଦର୍ଶାଇଛି।

ମହାନଦୀ ଅବବାହିକାର ଜଳ ପ୍ରବାହ ହ୍ରାସ କରିବା ପରିସରକୁ ଓଡ଼ିଶା ବହୁ ମାତ୍ରାରେ ପରିବର୍ତ୍ତନ କରିଛି। ହୀରାକୁଦର ହାରାହାରି ୦.୬୭ ପ୍ରତିଶତ ଜଳ ପ୍ରବାହ ଥିବା ବେଳେ ପ୍ରସ୍ତାବିତ ୬ଟି ବ୍ୟାରେଜ୍‌ର କ୍ଷମତା କେବଳ ୦.୨୨ ଏମଏଏଫ୍ ରହିଛି। ଅଣମୌସୁମୀ ଋତୁରେ ଜଳ ପ୍ରବାହ ହ୍ରାସ ହୋଇନାହିଁ । ଓଡ଼ିଶା ଭୂତଳ ଜଳ ସମ୍ଭାବନାକୁ ବିକଶିତ କରିବା‌େର ବିଫଳ ହୋଇଛି। ଓଡ଼ିଶା ଅଣମୌସୁମୀ ସମୟରେ ଅଧିକ ପରିମାଣରେ ଜଳ ବ୍ୟବହାର କରିଥିବାର ସ୍ବୀକାର କରିଛି। ଓଡ଼ିଶାର ପ୍ରମୁଖ ଜଳସମ୍ପଦ ଓ ବର୍ଷାରେ- ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୂବର୍ଣ୍ଣରେଖା, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ, ମାଛକୁଣ୍ଡରେ ଭୂପୃଷ୍ଠ ଜଳର ଉପଲବ୍ଧତା ତଥା ଉପଯୋଗୀତା ରହିଛି। ଛତିଶଗଡ଼ ଦ୍ବାରା ପୁଣି କୁହାଯାଇଛି ଓଡ଼ିଶା ଦ୍ବାରା ମହାନଦୀ ଅବବାହିକା ବାହାରର ତିନୋଟି ସ୍ଥାନ- ଟିକରା ଅବବାହିକାକୁ ୧୪୯୩.୨୪ ଏମସିଏମ, ବ୍ରାହ୍ମଣୀ ଅବବାହିକାକୁ ୬୬୯.୩ ଏମସିଏମ, ଋଷିକୂଲ୍ୟା ଅବବାହିକାକୁ ୧୬୬୩ ଏମସିଏମ୍‌ ଜଳ ରପ୍ତାନୀ କରୁଥିବା ଦେଖାଯାଇଛି। ଏହି ତିନୋଟି ସ୍ଥାନ ହୀରାକୁଦ ଡ୍ୟାମ୍‌ର ତଳମୁଣ୍ଡରେ ଅନ୍ତର୍ଗତ। ଏସବୁ ଜଳ ରପ୍ତାନୀ ପ୍ରକଳ୍ପକୁ ଅବବାହିକାର ଅନ୍ୟ ରାଜ୍ୟମାନଙ୍କ ସହିତ ବିଚାରବିମର୍ଶ କରାନଯାଇ କାର୍ଯ୍ୟକାରୀ କରାଯାଇଛି। ମହାନଦୀ ଅବବାହିକା ବାହାରକୁ ଜଳ ରପ୍ତାନୀ କରିବା ପ୍ରମାଣ କରୁଛି ଯେ ଓଡ଼ିଶାରେ ଅଧିକ ଜଳ ରହିଛି, ଯେତିକି ଓଡ଼ିଶା ମହାନଦୀ ଅବବାହିକାରୁ ଚାହୁଁଛି।

ଛତିଶଗଡ଼ର ୪୪ ପ୍ରତିଶତ ବନ୍ୟାଞ୍ଚଳ ରହିଛି। ବିକାଶ ପାଇଁ ପରିବେଶ ପ୍ରତିବନ୍ଧକ ସାଜିଛି। ଲୋକମାନଙ୍କର ଆର୍ଥିକ ବିକାଶର ଆଶା ମହାନଦୀ ଅବବାହିକାରୁ କାରଯାଇପାରିବ। ଓଡ଼ିଶା ଅନ୍ୟ ସେବୁ ଅବବାହିକାରୁ ଲାଭବାନ ହେଉଛି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମଞ୍ଜୁରି ନେବା ଆବଶ୍ୟକତା ନାହିଁ । ଏହା ଗୋଟିଏ ପୁରୁଣା ରାଜ୍ୟ ଯାହା ବିକଶିତ ହୋଇସାରିଛି। ହୀରାକୁଦ ଡ୍ୟାମ ନିର୍ମାଣ ଯୋଗୁଁ ଛତିଶଗଡ଼ କ୍ଷତିର ସମ୍ମୁଖୀନ ହୋଇଛି ବୋଲି ଛତିଶଗଡ଼ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର