ମହାରାଷ୍ଟ୍ରରେ ଏନ୍‌କାଉଣ୍ଟର : ୭୨ ଘଣ୍ଟାରେ ୩୭ ମାଓବାଦୀ ନିପାତ, ମାଓନେତା ଗଣପତି ନିହତ!

ମୁମ୍ବାଇ : ମହାରାଷ୍ଟ୍ରର ଗଡ଼ଚିରୋଲି ଜଙ୍ଗଲରେ ଗତ ୨୨ ତାରିଖରେ ହୋଇଥିବା ଏନ୍‌କାଉଣ୍ଟରରେ ୩୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଗତକାଲି ୨୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିକଟସ୍ଥ ଇନ୍ଦ୍ରାବତୀ ନଦୀରୁ ଆଜି ଆଉ ୧୫ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଯେ ଏହି ଏନ୍‌କାଉଣ୍ଟରରେ ଦୁର୍ଦାନ୍ତ ମାଓ ନେତା ଗଣପତି ପ୍ରାଣ ହରାଇଥିବାର ସନ୍ଦେହ କରାଯାଉଛି। ଯଦି ଏହି ରିପୋର୍ଟ ସତ ହୁଏ ତାହାହେଲେ ପୋଲିସ ପାଇଁ ଏହା ହେବ ସବୁଠାରୁ ବଡ଼ ସଫଳତା। ତାଙ୍କର ମୃତ୍ୟୁ ମାଓ ଆନ୍ଦୋଳନର ମେରୁଦଣ୍ଡକୁ ଭାଙ୍ଗି ଦେବ ବୋଲି କୁହାଯାଉଛି।

ଡିଆଇଜି ଅଙ୍କୁଶ ସିନ୍ଦେ ଆଜି ଏହି ସୂଚନା ଦେଇ କହିଛନ୍ତି ଯେ ଜଙ୍ଗଲରେ ମାଓବାଦୀମାନଙ୍କ ସହିତ ଗଣପତି ଗୁପ୍ତ ବୈଠକ ଚଳାଇଥିବା ନେଇ ପୁଲିସକୁ ନିର୍ଦିଷ୍ଟ ଖବର ମିଳିଥିଲା। ଯେଉଁ ୩୭ ମାଓବାଦୀଙ୍କ ଶବ ମିଳିଛି ସେଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। କିନ୍ତୁ ପୁଲିସ ପାଖରେ ସୂଚନା ଥିଲା ଯେ ମାଓବାଦୀମାନଙ୍କ ବୈଠକରେ ଗଣପତି ଉପସ୍ଥିତ ଥିଲେ। ବୈଠକ ଚାଲିିଥିବା ବେଳେ ସ୍ୱତନ୍ତ୍ର ପୁଲିସ କମାଣ୍ଡୋ ବାହିନୀ ସି-୬୦ ଉକ୍ତ କ୍ୟାମ୍ପକୁ ଚାରିଆଡ଼ୁ ଘେରିଯାଇ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଏଭଳି ଆକ୍ରମଣରୁ ଗଣପତି ରକ୍ଷା ପାଇବାର ଆଶା କମ୍‌। ନିଶ୍ଚିତ ରୂପେ ସେ ପ୍ରାଣ ହରାଇ ଥାଇପାରନ୍ତି। ତେବେ ଶବ ଚିହ୍ନଟ ହେବାପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ମୁପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି ବେଆଇନ ଘୋଷିତ ସିପିଆଇ (ମାଓବାଦୀ)ର ସବୁଠାରୁ ବରିଷ୍ଠ ନେତା ରୂପେ ପରିଚିତ। ତାଙ୍କୁ ଧରିବା ଲାଗି ସୁରକ୍ଷା ବାହିନୀ ଅନେକ ଥର ଉଦ୍ୟମ କରିଥିଲେ ମଧ୍ୟ ଶେଷ ମୁହୂର୍ତରେ ସେ ଖସି ପଳାଇବାକୁ ସକ୍ଷମ ହେଉଥିଲେ। ସ୍କୁଲ ଶିକ୍ଷକରୁ ନିଜର ଚାକିରି ଜୀବନ ଆରମ୍ଭ କରିଥିବା ଗଣପତି ୨୦୦୪ରେ ଏହି ସଂଗଠନର ସାଧାରଣ ସଂପାଦକ ହୋଇଥିଲେ। ପିପୁଲସ ଓ୍ଵାର ଗ୍ରୁପ (ପିଡୁବ୍ଲ୍ୟୁଜି) ଏବଂ ଏମ୍‌ସିସିଆଇ ମିଶ୍ରଣ ପରେ ସିପିଆଇ (ମାଓବାଦୀ) ଗଠନ ହୋଇଥିଲା। ଏହା ଦେଶର ସବୁଠାରୁ ବଡ଼ ବାମପନ୍ଥୀ ବିଦ୍ରୋହୀ ସଂଗଠନ।

ସୂଚନାଯୋଗ୍ୟ, ଗତ ୨୨ ତାରିଖ ହୋଇଥିବା ଏନକାଉଣ୍ଟର ପରେ ୧୬ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଥିଲା। ସେଠାରେ ବ୍ୟାପକ ଖାନତଲାସୀ ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଶବ ମିଳିନ ଥିଲା। ତେବେ ଆଜି ତଲାସୀ ଅଭିଯାନ ବେଳେ ନଦୀରେ ୧୫ ମାଓବାଦୀଙ୍କ ଶବ ଭାସୁଥିବାର ଦେଖାଯାଇଥିଲା। ସେଗୁଡ଼ିକୁ ଉଦ୍ଧାର କରାଯାଇଛି ଏବଂ ଖୁବଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଗତକାଲି ସନ୍ଧ୍ୟାରେ ଆଉ ଏକ ଏନକାଉଣ୍ଟରରେ ୬ ଜଣ ମାଓବାଦୀ ପ୍ରାଣ ହରାଇଥିଲା। ଯେଉଁ ୩୭ ମାଓବାଦୀ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ଆଇଜି ପ୍ରକାଶ କରିଛନ୍ତି। ଏନକାଉଣ୍ଟର ସ୍ଥଳରୁ ଏକେ-୪୭ ରାଇଫଲ ସମେତ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧିତ ଖବର