ମାକ୍ସ ହସ୍ପିଟାଲ୍‌ର ଲାଇସେନ୍ସ ରଦ୍ଦ

ଜୀବନ୍ତ ଶିଶୁକୁ ମୃତ ଘୋଷଣା କରିଥିବା

ନୂଆଦିଲ୍ଲୀ: ଗତ ସପ୍ତାହରେ ଜଣେ ଅପରିପକ୍ୱ ନବଜାତ ଶିଶୁକୁ ଭୁଲ୍‌ରେ ମୃତ ଘୋଷଣା କରିଥିବା ଦିଲ୍ଲୀ ସାଲିମାରବାଗ ସ୍ଥିତ ମାକ୍ସ ହସ୍ପିଟାଲ୍‌ର ଲାଇସେନ୍ସକୁ ଦିଲ୍ଲୀ ସରକାର ରଦ୍ଦ କରି ଦେଇଛନ୍ତି। ସଂପୃକ୍ତ ହସ୍ପିଟାଲ୍‌ ନବଜାତଙ୍କ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦାରିତ ସ୍ୱାସ୍ଥ୍ୟ ପରିଚାଳନା ପ୍ରକ୍ରିୟା ଠିକ୍‌ରେ ପାଳନ କରୁନାହିଁ ଏବଂ ଏ କ୍ଷେତ୍ରରେ ଏଭଳି ଅଭ୍ୟାସଗତ ଉଲ୍ଲଂଘନକାରୀ ବିରୋଧରେ ପୂର୍ବରୁ ତିନି ତିନି ଥର ନୋଟିସ ଜାରି କରାଯାଇଥିଲା ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି।

ସୂଚନା ଥାଉ କି, ଗତ ୩୦ ତାରିଖରେ ମାକ୍ସ ହସ୍ପିଟାଲ୍‌ରେ ସ୍ଥାନୀୟ ବାସିନ୍ଦା ଆଶିଷ କୁମାରଙ୍କ ପତ୍ନୀ ଦୁଇଟି ଅପରିପକ୍ୱ ଯମଜ ସନ୍ତାନ(ପୁଅ ଏବଂ ଝିଅ)କୁ ଜନ୍ମ ଦେଇଥିଲେ। ତେବେ ହସ୍ପିଟାଲ୍‌ ପକ୍ଷରୁ ଉଭୟ ସନ୍ତାନ ମୃତ ଅବସ୍ଥାରେ ଜନ୍ମ ନେଇଥିଲେ ବୋଲି ଘୋଷଣା କରିବା ସହ ସେମାନଙ୍କୁ ଏକ ପଲିଥିନ୍‌ ବ୍ୟାଗ୍‌ରେ ଭରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ମୃତ ଶିଶୁ ଦୁଇଟିକୁ ଅନ୍ତିମ ସତ୍କାର କରିବାକୁ ନେଲା ବେଳେ ପୁତ୍ରସନ୍ତାନଟି ଜୀବିତ ଥିବା ଜଣାପଡ଼ିଥିଲା। ତାହାକୁ ତୁରନ୍ତ ପିତମ୍‌ପୁରା ସ୍ଥିତ ଏକ ନର୍ସିଂ ହୋମ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର