ଥାନାରୁ ମୋବାଇଲ୍‌ ଚୋରି

ଚେନ୍ନାଇ : ଲୋକଙ୍କ ଫୋନ୍ ଚୋରିହେଲେ ସେମାନେ ଥାନାକୁ ଯାଇ ଅଭିଯୋଗ କରିଥାନ୍ତି। କିନ୍ତୁ ଥାନାରେ ବ୍ୟବହୃତ ହେଉଥିବା ଫୋନ୍ ଯଦି ଚୋରି ‌ହୋଇଯାଏ, ତା’ହେଲେ କ’ଣ ହେବ? ପୁଲିସ କାହା ନିକଟ‌େରେ ଅଭିଯୋଗ କରିବ? ତାମିଲନାଡୁର ଏକ ଥାନାରେ ଏଭଳି ଘଟଣା ଘଟିଛି। ରାଜ୍ୟର କୁନ୍‌ରାଥର୍‌ ଥାନାରେ ଅଟକ ଥିବା ଜଣେ ମଦ୍ୟପ ବ୍ୟକ୍ତି ଏଭଳି କାଣ୍ଡ କରି ସମସ୍ତଙ୍କୁ ଚକିତ କରିଦେଇଛି। ପୁଲିସ ଆଖିରେ ଧୂଳିଦେଇ ବ୍ୟକ୍ତି ଜଣକ ଏକ ସିୟୁଜି (କ୍ଲୋଜ୍‌ଡ ୟୁଜର ଗ୍ରୁପ୍‌) ଫୋନ୍‌ ନେଇ ପଳାଇଛି। ଏହି ଫୋନ୍‌ଟିକୁ ଥାନାରେ ବ୍ୟବହାର କରାଯାଇଥାଏ। ଏହାପରେ ଉକ୍ତ ନମ୍ବରରେ ଫୋନ୍‌ କରିବାରୁ ତାହା ସ୍ବିଚ୍‌ ଅଫ୍‌ କହିଥିଲା। ବ୍ୟକ୍ତିଙ୍କର କୌଣସି ଖୋଜଖବର ନମିଳିବାରୁ ପୁଲିସ ବାଧ୍ୟହୋଇ ସମାନ ନମ୍ବର ଥିବା ଆଉ ଏକ ସଂଯୋଗ ନେଇଥିଲା। ମୋବାଇଲ୍‌ ଚୋରକୁ ଧରିବା ପାଇଁ ଏବେ ଚଢ଼ଉ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ସୋମବାର ବ୍ୟକ୍ତିଜଣକ ପ୍ରଚୁର ମଦ୍ୟପାନ କରି ସ୍ଥାନୀୟ ଅଞ୍ଚଳରେ ଗଣ୍ଡଗୋଳ କରୁଥିଲା। ଖବର ପାଇ ପୁଲିସ ତାକୁ ଆଣି ଥାନାରେ ଅଟକ ରଖିଥିଲା। ମଙ୍ଗଳବାର ସକାଳେ ତାଗିଦ୍‌ କରି ତାକୁ ଛାଡ଼ିଦେଇଥିଲା। କିନ୍ତୁ ଥାନାରୁ ଯିବା ବେଳେ ବ୍ୟକ୍ତି ଜଣକ ଫୋନ୍‌ ଧରି ଛୁ ମାରିଥିଲା।

ସମ୍ବନ୍ଧିତ ଖବର