ମୋଦି-ଜିନପିଙ୍ଗ ଭେଟ, ସମ୍ପର୍କ ସୁଧାରିବା ଉପରେ ଗୁରୁତ୍ୱ

ବେଜିଂ : ଚୀନ ଗ୍ରସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ରୀୟ ଚୀନର ୟୁହାନଠାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତାଙ୍କ ଏହି ଅଣଔପଚାରିକ କଥାବାର୍ତ୍ତାରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବା ଓ ଆର୍ଥିକ ଭାଗିଦାରିତାକୁ ଆହୁରି ଗଭୀର କରିବା ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା । ଏହା ପୂର୍ବରୁ ହୁବେଇ ପାରମ୍ପାରିକ ମ୍ୟୁଜିୟମଠାରେ ମୋଦିଙ୍କ ସମ୍ମାନରେ ପାରମ୍ପାରିକ ଚାଇନା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ନୃତ୍ୟର ମହତ୍ତ୍ୱ ସମ୍ପର୍କରେ ନିଜେ ସି ଜିନପିଙ୍ଗ ମୋଦିଙ୍କୁ ବୁଝାଇଥିଲେ ।

ଗତ ବର୍ଷ ଭାରତ-ଭୁଟାନ-ଚୀନ ସୀମାରେ ଥିବା ଡୋକଲାମଠାରେ ଉଭୟ ଦେଶର ସେନା ପ୍ରାୟ ୭୦ ଦିନ ପାଇଁ ମୁହାଁମୁହିଁ ରହିଥିଲେ । ଏହା ଫଳରେ ଦୁଇ ଦେଶର ସମ୍ପର୍କ ବେଶ ଖରାପ ସ୍ତରକୁ ଚାଲିଯାଇଥିଲା । ଏହି ଡୋକଲାମ ସଂକଟ ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଚୀନ ଗ୍ରସ୍ତ । ଏହି ଦୃଷ୍ଟି କୋଣରୁ ଏହି ଗ୍ରସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି । ତେବେ ଏହା ଏକ ଅଣଔପଚାରିକ କଥାବାର୍ତ୍ତା ବୋଲି ଉଭୟ ଦେଶ ପକ୍ଷରୁ କୁହାଯାଇଛି । ଆସନ୍ତା ଜୁନ ମାସରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ କୋପରେସନ ଅର୍ଗାନାଇଜେନ (ଏସସିଓ) ସମିଟ୍‌ରେ ପୁଣି ଥରେ ଉଭୟ ନେତା ଔପଚାରିକ ଭାବେ କଥାବାର୍ତ୍ତା କରିବେ ।

ଆସନ୍ତା କାଲି ଉଭୟ ନେତା ୟୁହାନର ଇଷ୍ଟ ଲେକରେ ଏକ ନୌକାଯାତ୍ରା କରିବେ ଓ ଇଷ୍ଟଲେକ ଗେଷ୍ଟହାଉସରେ ମଧ୍ୟାହ୍ନ ଭୋଜନ କରି କଥାବାର୍ତ୍ତା କରିବେ । ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ମୋଦିଙ୍କ ୪ର୍ଥ ଚୀନଗ୍ରସ୍ତ ।

ସମ୍ବନ୍ଧିତ ଖବର