କରୋନା ମୁକାବିଲା: ଗୋଟିଏ ବର୍ଷ ପାଇଁ ୩୦% ହ୍ରାସ ହେଲା ସାଂସଦ ଓ ମନ୍ତ୍ରୀମାନଙ୍କ ଦରମା
ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସୋମବାର କହିଛନ୍ତି ଯେ ସଂସଦର ସଦସ୍ୟମାନଙ୍କ ଦରମା, ପେନ୍ସନ୍ ଏବଂ ଭତ୍ତାକୁ ଏକ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ସୋମବାର ସାଂସଦ ଓ ମନ୍ତ୍ରୀଙ୍କ ଦରମାକୁ ଏକ ବର୍ଷ ପାଇଁ ୩୦ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସମସ୍ତ ସାଂସଦଙ୍କ ଦରମା ଏବଂ ପେନ୍ସନ୍ ପରିବର୍ତ୍ତନ ପାଇଁ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ସଂସଦର ସଦସ୍ୟ ଅଧିନିୟମ, ୧୯୫୪ରେ ସଂଶୋଧନ ପାଇଁ ଏହି ବିଲ୍ ପାରିତ ହୋଇଛି, ଯେଉଁଥିରେ ପ୍ରସ୍ତାବ ଦିଆଯାଇଥିଲା ଯେ ସମସ୍ତ ସାଂସଦଙ୍କ ଭତ୍ତା ଏବଂ ପେନ୍ସନ୍ ଏପ୍ରିଲ ୧, ୨୦୨୦ଠାରୁ ଗୋଟିଏ ବର୍ଷ ପାଇଁ ୩୦ପ୍ରତିଶତ ହ୍ରାସ ପାଇବ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଜାଭେଦକର କହିଛନ୍ତି ଯେ, କ୍ୟାବିନେଟ୍ ଏମ୍ପିଲାଡସ ପାଣ୍ଠିକୁ ୨୦୨୦-୨୦୧୧ ଏବଂ ୨୦୧୧-୨୦୧୨ ବର୍ଷ ପାଇଁ ସାମୟିକ ଭାବେ ସ୍ଥଗିତ ରଖିଛି। ଦେଶରେ କରୋନା ସଙ୍କଟ ଯୋଗୁଁ ଏହା କରାଯାଉଛି | ଏହି ଦୁଇ ବର୍ଷରେ ଏମ୍ପିଲାଡସର ମୋଟ ୭,୯୦୦ କୋଟି ଟଙ୍କା ଭାରତର ଏକୀକରଣ ପାଣ୍ଠିକୁ ଯିବ | ଏହା ସହ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ରାଜ୍ୟପାଳମାନେ ମଧ୍ୟ ବେତନରେ ୩୦ପ୍ରତିଶତ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଦେଶରେ ଗରିବଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ ଲକ୍ଷ ୭୦ହଜାର କୋଟି ଟଙ୍କାର ପ୍ୟାକେଜ ଦେଇ ସାରିଛନ୍ତି। ଏହା ବ୍ୟତୀତ, ଲକଡାଉନ୍ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କୁ ରିଲିଫ୍ ଯୋଗାଇବା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି |
ଭାରତୀୟ ଜନତା ପାର୍ଟିର ୪୦ତମ ପ୍ରତିଷ୍ଠା ଦିବସ ଅବସରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଦୀର୍ଘ ସମୟ ପାଇଁ ପ୍ରସ୍ତୁତ ହେବାକୁ କହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ମୁତାବକ, କରୋନାଭାଇରସ୍ ବିରୋଧରେ ଦୀର୍ଘ ଦିନ ଲଢ଼େଇ ଚାଲିବ। ତେଣୁ, ଲୋକେ କ୍ଳାନ୍ତ ହୁଅନ୍ତୁ ନାହିଁ କି, ପରାସ୍ତ ହୁଅନ୍ତୁ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ କହିଥିଲେ । ଭାରତୀୟ ଜନତା ପାର୍ଟିର ୪୦ତମ ପ୍ରତିଷ୍ଠା ଦିବସ ଅବସରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଭାରତରୁ କୋଭିଡ୍-୧୯କୁ ବିଲୋପ କରିବାକୁ ସାମାଜିକ ଦୂରତ୍ୱ ଉପରେ ଗୁରତ୍ୱ ଦେବା ଅପରିହାର୍ଯ୍ୟ । ଏହାଛଡ଼ା ଅସୁବିଧାରେ ଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା କରିବାକୁ ମଧ୍ୟ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସଙ୍କଟମୟ ପରିସ୍ଥିତିରେ ଯେମିତି କେହି ଭୋକିଲା ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେ ତାଙ୍କୁ କହିଥିଲେ।