ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଂଚଳରେ ଜଣେ ମେଜର୍ଙ୍କ ପତ୍ନୀଙ୍କୁ ଗତକାଲି ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଥିବା ବେଳେ ପୁଲିସ ଏହି ମାମଲାରେ ଆଜି ଆଉ ଜଣେ ମେଜର୍ଙ୍କୁ ଉତ୍ତର ପ୍ରଦେଶର ମିରଟ୍ରୁ ଗିରଫ କରିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ପ୍ରେମ ସଂପର୍କ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ମେଜର ନିଖିଲ ହାଣ୍ଡାଙ୍କୁ ଗିରଫ କରି ଜେରା ଚଳାଇଛି। ନିଖିଲଙ୍କୁ ନାଗାଲ୍ୟାଣ୍ଡର ଦିମାପୁରରେ ପୋଷ୍ଟିଂ ହୋଇଥିଲା। ଆଜି ତାଙ୍କୁ ଗିରଫ ପରେ ପରବର୍ତ୍ତୀ ତଦନ୍ତ ପାଇଁ ଦିଲ୍ଲୀ ଅଣାଯାଇଛି । ମିଳିଥିବା ଖବର ମୁତାବକ, ଗତକାଲି ସକାଳ ୯ଟା ବେଳେ ମେଜର ଅମିତ ଦ୍ୱିବେଦୀଙ୍କ ୩୦ ବର୍ଷୀୟା ପତ୍ନୀ ଶୈଲଜା ଦ୍ୱିବେଦୀ ଫିଜିଓଥେରାପି ପାଇଁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ସେନା ହସ୍ପିଟାଲକୁ ଯାଇ ଆଉ ଫେରିନଥିଲେ। ଶୈଲଜାଙ୍କୁ ଗଳାକାଟି ହତ୍ୟା କରାଯିବା ପରେ ରାସ୍ତାରେ ପିଙ୍ଗି ଦିଆଯାଇଥିଲା। କେବଳ ଏତିକି ନୁହେଁ ହତ୍ୟାକାରୀ ମୃତ ଶୈଲଜାଙ୍କ ଉପରେ କାର ମଧ୍ୟ ଚଢ଼ାଇ ଦେଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ନିଖିଲ ଏବଂ ଅମିତ ପୂର୍ବରୁ ନାଗାଲ୍ୟାଣ୍ଡରେ ମିଳିତ ଭାବେ କାମ କରୁଥିଲେ। ସେହି ସମୟରେ ଶୈଲଜା ଓ ନିଖିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଶୈଲଜାଙ୍କୁ ସେ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। କିନ୍ତୁ ଅମିତଙ୍କର ଦିଲ୍ଲୀ ପୋଷ୍ଟିଂ ହେବାପରେ ଶୈଲଜା ସ୍ୱାମୀଙ୍କ ସହିତ ଦିଲ୍ଲୀ ପଳାଇ ଆସିଥିଲେ। ଶୁକ୍ରବାର ରାତିରେ ମେଜର ହାଣ୍ଡା ଶୈଲଜାଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ ବୋଲି ଜଣାପଡ଼ିଛି। ଗତକାଲି ସେ ଶୈଲଜାଙ୍କୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରୁୁ ନିଜର ହୋଣ୍ଡା ସିଟି କାର୍ରେ ନେଇଥିଲେ। ଏହାପରେ ସେ ତାଙ୍କୁ ହତ୍ୟା କରି ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ପୁଲିସ୍ ସନ୍ଦେହ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
କେମିତି ଧରା ହେଲେ ମେଜର
ନୂଆଦିଲ୍ଲୀ: ଜଣେ ମେଜରଙ୍କ ପତ୍ନୀଙ୍କୁ ଆଉ ଜଣେ ମେଜର ହତ୍ୟା କରିବା ଘଟଣା ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୁଲିସ୍ ମାତ୍ର ୨୪ ଘଣ୍ଟା ମଧ୍ୟରେ ହତ୍ୟାକାରୀ ମେଜର ନିଖିଲ ହାଣ୍ଡାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗତକାଲି ଅପରାହ୍ଣ ୪ଟା ସୁଦ୍ଧା ଶୈଲଜା ଘରକୁ ନଫେରିବାକୁ ମେଜର ଦ୍ୱିବେଦୀ ଏନେଇ ପୁଲିସ୍ରେ ଅଭିଯୋଗ କରିଥିଲେ। ଏହି ସମୟରେ ପୁଲିସ୍ କ୍ୟାଣ୍ଟନମେଣ୍ଟ ରୋଡରୁ ଜବତ କରିଥିବା ଶବ ଚିହ୍ନଟ କରିବା ପରେ ମୃତ ଶୈଲଜା ମେଜରଙ୍କ ପତ୍ନୀ ବୋଲି ଜଣାପଡ଼ିଥିଲା। ତେବେ ଏହି ଘଟଣାରେ କାହାକୁ ଆପଣ ସନ୍ଦେହ କରୁଛନ୍ତି ବୋଲି ପୁଲିସ୍ ପଚାରିଥିବା ପ୍ରଶ୍ନର ଉତ୍ତରରେ ମେଜର ଦ୍ୱିବେଦୀ ପ୍ରଥମେ ମେଜର ହାଣ୍ଡାଙ୍କ ନାମ ନେଇଥିଲେ। ଦିଲ୍ଲୀ ପୁଲିସ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଥିଲା। ଶୈଲଜାଙ୍କ ଶେଷ ଫୋନ୍ କଲ ଆଧାରରେ ପୁଲିସ୍ ମେଜର ନିଖିଲ ହାଣ୍ଡାଙ୍କ ଉପରେ ସନ୍ଦେହ କରିଥିଲା। ହତ୍ୟା ପରଠାରୁ ନିଖିଲ ପୁଲିସ୍ ନଜରରୁ ବଞ୍ଚିବା ପାଇଁ ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରୁଥିଲେ। ହସ୍ପିଟାଲର ସିସିଟିଭି ଫୁଟେଜରେ ମଧ୍ୟ ଶୈଲଜାଙ୍କ ସହ ମେଜର ହାଣ୍ଡାଙ୍କୁ ଦେଖିବାକୁ ମିଳିଥିଲା କିନ୍ତୁ ହତ୍ୟା ପରଠାରୁ ମେଜର ହାଣ୍ଡାଙ୍କ ଫୋନ ସ୍ୱିଚ୍ ଅଫ୍ ଥିବାରୁ ସେ ପ୍ରଥମେ ପୁଲିସର ସନ୍ଦେହ ଘେରକୁ ଆସିଥିଲେ। ଶୈଲଜା ଓ ନିଖିଲ ହାଣ୍ଡାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଥିଲା। ଯେଉଁସ୍ଥାନରୁ ଶୈଲଜାଙ୍କ ମୃତଦେହ ମିଳିଥିଲା, ସେହି ସ୍ଥାନର ଲୋକଙ୍କ ସୂଚନା ଆଧାରରେ ପୁଲିସ୍ ସମସ୍ତ ସିଲଭର ରଙ୍ଗର ହୋଣ୍ଡା ସିଟି କାର ଉପରେ ନଜର ରଖିଥିଲା। ମିରଟରେ ସନ୍ଦିଗ୍ଧ କାର ବୁଲୁଥିବା ନେଇ ଖବର ମିଳିବା ପରେ ପୁଲିସ ଚଢଉ କରି ମେଜର ହାଣ୍ଡାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।