ମୋଦି-ଜିନ୍‌ପିଙ୍ଗ୍‌ ବୈଠକ : ଶାନ୍ତି ପାଇଁ ସାକ୍ଷାତ, ୨୪ ଘଣ୍ଟାରେ ୬ ଥର ଆଲୋଚନା

ଉହାନ : ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ଚୀନ ଗସ୍ତରେ ଯାଇଥିବା ମୋଦିଙ୍କୁ ସେଠାରେ ଭବ୍ୟ ସମ୍ବର୍ଧନା ଜ୍ଞାପନ କରାଯାଇଛି। ଦୁଇ ନେତାଙ୍କ ମଧ୍ୟରେ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଛି। ଏହି ଦ୍ୱିପାକ୍ଷିକ ଆଲୋଚନାକୁ ନେଇ କେବଳ ଭାରତ ନୁହେଁ ଚୀନ ଗଣମାଧ୍ୟମରେ ମଧ୍ୟ ବ୍ୟାପକ ଉତ୍ସାହ ଦେଖାଦେଇଛି। ସାକ୍ଷାତ ଆଲୋଚନା ଭାରତ ଏବଂ ଚୀନ୍‌ ଦ୍ୱିପାକ୍ଷିକ ସଂପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଉଭୟ ପକ୍ଷର ନେତାମାନେ ମତ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଅନୌପଚାରିକ ଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହି ଅବସରରେ କୌଣସି ଚୁକ୍ତି ସ୍ୱାକ୍ଷର ହେବ ନାହିଁ କିମ୍ବା ମିଳିତ ଘୋଷଣାନାମା ମଧ୍ୟ ପ୍ରକାଶ ପାଇବ ନାହିଁ। ଏହାସତ୍ତ୍ୱେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନାକୁ ଉଭୟ ପକ୍ଷ ବିଶେଷ ଗୁରୁତ୍ୱ ଦେଉଛନ୍ତି। ୨୪ ଘଣ୍ଟା ଭିତରେ ଦୁଇ ନେତାଙ୍କ ମଧ୍ୟରେ ୬ ଥର ସାକ୍ଷାତ ଆଲୋଚନା ହେଉଛି ପ୍ରମାଣ। ଆଲୋଚନା ବେଳେ ଚୀନ ରାଷ୍ଟ୍ରପତି କହିଥିଲେ ଯେ ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ଭାରତ-ଚୀନ ସୁସଂପର୍କ ଜରୁରୀ। ସୀମା ବିବାଦ ସମେତ ସମସ୍ତ ଦ୍ୱିପାକ୍ଷିକ ସଙ୍କଟର ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦୁଇ ଦିନିଆ ଶିଖର ବୈଠକ ଚୀନ୍‌ର ଉହାନ ସହରରେ ଆଜିଠାରୁ ଆରମ୍ଭ ହୋଇଛି ଏବଂ ସମସ୍ତ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ସହମତି ଭିତ୍ତିରେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କୁ ଉହାନ ସହରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଉଭୟ ନେତା ପ୍ରାୟ ୩୦ ସେକେଣ୍ଡ ଧରି କରମର୍ଦ୍ଦନ କରିଥିଲେ। ଅପରାହ୍ନ ସାଢ଼େ ୩ ଟାରେ ଶିଖର ବୈଠକ ଆରମ୍ଭ ହୋଇଥିଲା ଏବଂ ଏଥିରେ ଉଭୟ ରାଷ୍ଟ୍ରର ପ୍ରତିନିଧିମଣ୍ଡଳ ମଧ୍ୟ ସାମିଲ ଥିଲେ। ବିଶ୍ୱ ଜନସଂଖ୍ୟାର ୪୦ ପ୍ରତିଶତ ଭାରତ ଓ ଚୀନ୍‌ରେ ରହିଥିବାରୁ ଉଭୟ ରାଷ୍ଟ୍ର ଏହାକୁ ଏକ ସୁଯୋଗ ଭାବେ ନେଇ ସମସ୍ତ ସମସ୍ୟା ସମାଧାନର ରାସ୍ତା ମିଳିତ ଭାବେ ଖୋଜିବା ଓ କାମ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ଵାନକୁ ଚୀନ୍‌ ଗ୍ରହଣ କରିବା ସହ ଦୁଇ ବୃହତ୍‌ ଶକ୍ତି ଏ ଦିଗରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ରଣନୀତି ପ୍ରସ୍ତୁତ ହେବ ବୋଲି ଜିନ୍‌୍‌ପିଙ୍ଗ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୦୦ ବର୍ଷର ଇତିହାସରେ ୧୬୦୦ ବର୍ଷ ଭାରତ ଓ ଚୀନ୍‌ ବିଶ୍ୱ ଅର୍ଥନୀତିରେ ଇଂଜିନ ଭଳି କାର୍ଯ୍ୟ କରିଛନ୍ତି। ଉଭୟ ରାଷ୍ଟ୍ରର ମହାନ ସଂସ୍କୃତି ବିଶ୍ୱ ପାଇଁ ସର୍ବଦା କଲ୍ୟାଣକାରୀ ସାବ୍ୟସ୍ତ ହୋଇଛି ବୋଲି ମୋଦି କହିଛନ୍ତି। ଆଜି ପ୍ରତିନିଧିସ୍ତରୀୟ ବୈଠକ ପୂର୍ବରୁ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ସିଧାସଳଖ କଥାବର୍ତ୍ତା ହୋଇଥିଲା । ଆସନ୍ତାକାଲି ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହେବ ଏବଂ ଏହାପରେ ପ୍ରଧାନମନ୍ତ୍ରୀ ସେଠାରୁ ଭାରତ ଫେରିବା କାର୍ଯ୍ୟକ୍ରମ ରହିଛି।

ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି, ସ୍ଥିରତା ଓ ପ୍ରଗତିକୁ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ୨୦୧୯ରେ ଜିନ୍‌ପିଙ୍ଗ୍‌ଙ୍କୁ ଭାରତ ଆସିବା ପାଇଁ ମୋଦି ନିମନ୍ତ୍ରଣ କରିଛନ୍ତି। ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ହୁବେଇ ମ୍ୟୁଜିୟମ ଗସ୍ତ କରିଥିଲେ ଏବଂ ସେଠାରେ ରଂଗାରଂଗ କାର୍ଯ୍ୟକ୍ରମ ସହିତ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ମୋଦିଙ୍କ ଚଳିତ ଗସ୍ତକୁ ମିଶାଇ ରାଜଧାନୀ ବେଂଜି ବାହାରେ ତାଙ୍କୁ ଦୁଇଥର ଜିନ୍‌ପିଙ୍ଗ ସ୍ୱାଗତ କରିଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ। ପ୍ରତିନିଧିସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ଚୀନ୍‌ ବିଶ୍ୱ ଶାନ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଉଭୟ ରାଷ୍ଟ୍ର ଏ ଦିଗରେ ମିଳିତ ପ୍ରୟାସରେ ଆଗକୁ ବଢ଼ିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଚୀନ୍‌ ଏବଂ ଭାରତର ସଂସ୍କୃତିରେ ନଦୀର ଯଥେଷ୍ଟ ମହତ୍ତ୍ୱ ରହିଛି ଏବଂ ସମସ୍ତ ବିକାଶ ନଦୀ ତଟବର୍ତ୍ତୀ ଅଂଚଳରେ ସମ୍ଭବ ହୋଇପାରିଛି। ଉଭୟ ରାଷ୍ଟ୍ର ସେମାନଙ୍କର ଐତିହାସିକ ଓ ସାଂସ୍କୃତିକ ସଂପର୍କକୁ ଆଧାର କରି ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିପାରିବେ ଏବଂ ବିଶ୍ୱ କଲ୍ୟାଣ ଦିଗରେ ଆଗକୁ ବଢ଼ିବେ ବୋଲି ସହମତି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର