ବିଜେପି-ଡିଏମକେ ମଧ୍ୟରେ ନୂଆ ସମୀକରଣକୁ ନେଇ କଳ୍ପନା ଜଳ୍ପନା

ନୂଆଦିଲ୍ଲୀ: ଟୁ-ଜି ଦୂର୍ନୀତି ମାମଲାରେ ସମସ୍ତ ଅଭିଯୁକ୍ତ ସ୍ୱତନ୍ତ୍ର ସିବିଆଇ ଅଦାଲତଙ୍କ ଦ୍ୱାରା ଖଲାସ ହେବା ଉଭୟ ଡିଏମକେ ଓ କଂଗ୍ରେସକୁ ଆଶ୍ୱସ୍ତ କରିଛି । ତେବେ ସିବିଆଇ କିପରି କେସକୁ ଦୂର୍ବଳ କଲା ତାହାକୁ ନେଇ ଅନେକ ମହଲରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଛି । ବିଶେଷକରି ରାଜନୈତିକ ବିଶ୍ଳେଷକ ମହଲରେ ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଅଧିକାଂଶ ରାଜନୈତିକ ସମୀକ୍ଷକ ଏକ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରୁଛନ୍ତି, ବିଶେଷକରି ତାମିଲନାଡୁରେ ବିଜେପି-ଡିଏମକେ ମଧ୍ୟରେ ସମ୍ପର୍କ ବଢିପାରେ ବୋଲି ଆଲୋଚନା ହେଉଛି । ନଭେମ୍ବର ୮ ତାରିଖରେ ବିମୁଦ୍ରାୟନ ବିରୋଧରେ କଳାଦିବସ ପାଳନ କରିଥିଲା ଡିଏମକେ । ଠିକ ଏହା ପରେ ପରେ ମୋଦି ଓ ଡିଏମକେ ନେତା ଷ୍ଟାଲିନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହା ପରେ ହିଁ ଏହି କଳ୍ପନା ଜଳ୍ପନାର ସୁତ୍ରପାତ ହୋଇଥିଲା ।

ଡିଏମକେର ଦୁଇଜଣ ମୁଖ୍ୟ ନେତା କାନୀମୋଝି ଓ ଏ.ରାଜା ଦୋଷମୁକ୍ତ ହେବା ଡିଏମକେ ମୁଣ୍ଡରୁ ଏକ ବଡ଼ କଳଙ୍କକୁ ଧୋଇଦେଇଛି । ସେହିପରି ବିଜେପି ପାଇଁ ଡିଏମକେର ସମର୍ଥନ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଏଆଇଏଡିଏମକେରେ ବିବାଦ ପରେ ଏହି ଦଳ ତାମିଲନାଡୁରେ ଦ୍ରୁତ ଗତିରେ ଲୋକପ୍ରିୟତା ହରାଉଛି । ଏହାଫଳରେ ଡିଏମକେର ଲୋକପ୍ରିୟତା ବଢୁଛି । ଏଣୁ ୨୦୧୯ ନିର୍ବାଚନ ଲାଗି ତାମିଲନାଡ଼ୁରେ ବିଜେପି ଏକ ଶକ୍ତିଶାଳୀ ଦଳ ସହିତ ହାତମିଳେଇବାକୁ ଚାହୁଁଛି ।

ସମ୍ବନ୍ଧିତ ଖବର