ନିର୍ଭୟା ମାମଲା: ମାର୍ଚ୍ଚ ୩ରେ ଫାଶୀ ସାନି ‘ମୃତ୍ୟୁ ପରୱାନା’ ଜାରି

ମୁଁ ସେତେ ଖୁସି ନୁହେଁ: ନିର୍ଭୟା ମା’

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଜି ସାନି ‘ମୃତ୍ୟୁ ପରୱାନା’ (ଡେଥ୍‌ ୱାରେଣ୍ଟ) ଜାରି କରିଛନ୍ତି। ଅତିରିକ୍ତ ସେସନ୍‌ସ ଜଜ୍‌ ଧର୍ମେନ୍ଦ୍ର ରାଣା ୪ ନିର୍ଭୟା ଦୋଷୀ ମୁକେଶ କୁମାର ସିଂହ (୩୨), ପୱନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଏବଂ ଅକ୍ଷୟ କୁମାର (୩୧)ଙ୍କ ବିରୋଧରେ ‘ମୃତ୍ୟୁ ପରୱାନା’ ଜାରି କରିଛନ୍ତି। ତୃତୀୟ ଥର ପାଇଁ ଏହି ୪ ଦୋଷୀଙ୍କ ବିରୋଧରେ ‘ମୃତ୍ୟୁ ପରୱାନା’ ଜାରି କରାଯାଇଛି। ପ୍ରଥମେ ଜାନୁଆରି ୨୨ରେ ୪ ଦୋଷୀଙ୍କୁ ଫାଶୀ ମିଳିବ ବୋଲି କୋର୍ଟ ‘ମୃତ୍ୟୁ ପରୱାନା’ ଜାରି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ‌ଫେବ୍ରୁଆରି ୧କୁ ଫାଶୀ ତାରିଖ ଘୁଞ୍ଚିଥିଲା। ତେବେ କୋର୍ଟ ଜାନୁଆରି ୩୧ରେ ଶୁଣାଣି କରି ଫେବ୍ରୁଆରି ୧ ଫାଶୀ ତାରିଖ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଏବେ ମାର୍ଚ୍ଚ ୩ରେ ଏହି ୪ ଜଣ ଦୋଷୀଙ୍କୁ ଫାଶୀ ମିଳିବ ବୋଲି ଆଜି କୋର୍ଟ ସାନି ‘ମୃତ୍ୟୁ ପରୱାନା’ ଜାରି କରିଛନ୍ତି। ଆଜି କୋର୍ଟ ଚାଲିଥିବାବେଳେ ଦୋଷୀ ମୁକେଶ ତାଙ୍କ ଓକିଲଙ୍କୁ ବଦଳାଇଥିବା କହିଛନ୍ତି। ବ୍ରିନ୍ଦା ଗ୍ରୋଭରଙ୍କ ବଦଳରେ ରବି କ୍ବା‌ଜି ତାଙ୍କ ମାମଲା ଲଢ଼ିବେ ବୋଲି ସେ କୋର୍ଟଙ୍କୁ ଜଣାଇଥିଲେ।

ସେହିଭଳି ଅନ୍ୟତମ ଦୋଷୀ ବିନୟ ତିହାର ଜେଲରେ ଆମରଣ ଅନଶନ ଚଳାଇଛି। ବିନୟକୁ ଜେଲରେ ଅପମାନିତ କରାଯାଇଛି ଏବଂ ତା’ ମାନସିକ ଅବସ୍ଥା ସ୍ବାଭାବିକ ନାହିଁ ବୋଲି ବିନୟର ଓକିଲ କୋର୍ଟକୁ ଜଣାଇଥିଲେ। ବିନୟ ପ୍ରତି ଉପଯୁକ୍ତ ଦୃଷ୍ଟି ଦେବାକୁ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ଆଜିର ଶୁଣାଣି କାଳରେ ଅଦାଲତଙ୍କୁ କହିଥିଲା ଯେ ସେ ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଆଗତ କରିବାକୁ ଚାହୁଁଛି। ତେବେ ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ସେମାନଙ୍କ ନିକଟରେ ଉପଲବ୍‌ଧ ଥିବା ସମସ୍ତ ନ୍ୟାୟିକ ପ୍ରକ୍ରିୟା ୭ ଦିନ ମଧ୍ୟରେ ଶେଷ କରିବାକୁ ଯେଉଁ ସମୟ ଦେଇଥିଲେ ତାହା ଗତ ୧୨ରେ ଶେଷ ହୋଇ ଯାଇଛି ବୋଲି କୋର୍ଟ କହିଥିଲେ। ଏଣୁ ସେମାନଙ୍କର ଆଉ କୌଣସି ଆବେଦନକୁ ବିଚାର ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବିଚାରପତି କହିବା ସହ ନୂଆ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଥିଲେ। ସେହିଭଳି ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବାକୁ ଅକ୍ଷୟର ଓକିଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିର୍ଭୟାର ପିତାମାତା ଏବଂ ଦିଲ୍ଲୀ ସରକାରଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ନୂଆ ମୃତ୍ୟୁ ପରୱା‌ନା ଜାରି କରିଥିଲେ। ଆଜି କୋର୍ଟ ଚାଲିଥିବାବେଳେ ଦୋଷୀ ମୁକେଶ କାନ୍ଦି ପକାଇଥିଲା।

ଆଜି କୋର୍ଟ ସାନି ମୃତ୍ୟୁ ପରୱାନା ଜାରି କରିବା ସତ୍ତ୍ବେ ମଧ୍ୟ ନିର୍ଭୟାର ମା’ଆଶା ଦେବୀ ଏଥିରେ ଖୁସି ନାହାନ୍ତି। ତୃତୀୟ ଥର ପାଇଁ ମୃ୍ତ୍ୟୁ ପରୱାନା ଜାରି କରାଯିବା ଘଟଣା ପରେ ସେ ଏତେ ମାତ୍ରାରେ ଖୁସି ନାହାନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ଦୋଷୀ ଫାଶୀ ପାଇବା ନେଇ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଲାଣି। ତେବେ ମାର୍ଚ୍ଚ ୩ରେ ସମସ୍ତ ଦୋଷୀଙ୍କୁ ଫାଶୀ ମିଳିବ ବୋଲି ସେ ଆଶା ରଖିଛନ୍ତି ବୋଲି କହିଛନ୍ତି ଆଶା ଦେବୀ। ଅପରପକ୍ଷେ, ପଟିଆଲା ହାଉସ କୋର୍ଟଙ୍କ ଆଜିର ଶୁଣାଣି ଉପରେ ସରକାରୀ ଓକିଲ ରାଜୀବ ମୋହନ ସନ୍ତୋଷ ପ୍ରକାଶ କରିଛନ୍ତି। ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ସେମାନଙ୍କର ସମସ୍ତ ନ୍ୟାୟିକ ସୁବିଧା ଉପଯୋଗ କରି ସାରିଛନ୍ତି। ଆଜିର ଦିନରେ ଆଉ କୌଣସି ଆବେଦନ ପଡ଼ି ରହିନାହିଁ ବୋଲି ରାଜୀବ ମୋହନ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦିଲ୍ଲୀର ଏକ ଚଳନ୍ତା ବସରେ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ଗୁରୁତର ଅବସ୍ଥାରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନିର୍ଭୟାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁକେଶ , ପୱନ, ବିନୟ ଏବଂ ଅକ୍ଷୟ କୁମାର ସମେତ ରାମ ସିଂହ ଓ ଅନ୍ୟ ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିଲେ। ୨୦୧୩ରେ ଏକ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲା। ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାମିଲ ଥିବା ନାବାଳକ ଦୋଷୀକୁ ୩ ବର୍ଷ ସୁଧାର ଗୃହ‌ରେ ରଖାଯିବା ପରେ ୨୦୧୫ରେ ମୁକ୍ତ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର