ସୀମାରେ ସୀମିତ ନୁହେଁ ଚୀନ୍‌ର ଚତୁର ଖେଳ

ନୂଆଦିଲ୍ଲୀ: ଲଦାଖରେ ଚୀନ୍‌ର ଆକସ୍ମିକ ଗତିବିଧି କେବଳ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। କୋଭିଡ୍‌-୧୯ ବିଶ୍ୱମହାମାରୀ ପରିପ୍ରେକ୍ଷୀରେ ଆର୍ଥନୀତିକ ମାନ୍ଦାବସ୍ଥା ସାଙ୍ଗକୁ ଚୀନ୍‌ ବିରୋଧରେ ବଢ଼ିଚାଲିଥିବା ଅସନ୍ତୋଷରୁ ଧ୍ୟାନ ହଟାଇବା ପାଇଁ ଚୀନ୍‌, ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି। ୧୯୪୯ ମସିହାରୁ ଚୀନ୍‌ରେ କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟି ଏବଂ ତାହାର ନେତା ତଥା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ପାଇଁ ଏହା ଏକ ସହଜ ମାର୍ଗ ହୋଇଯାଇଛି। ମେ ୨୨ରେ ନ୍ୟାସନାଲ ପିପୁଲସ କଂଗ୍ରେସ ଏବଂ ଏକ ସମାନ୍ତରାଳ ଚୀନୀ ଅଧିବାସୀଙ୍କ ଉପଦେଷ୍ଟା ସମ୍ମିଳନୀରେ ଏଥିନେଇ କଥା ଉଠିଛି। ପଡ଼ୋଶୀ ପାକିସ୍ତାନ ଓ ନେପାଳକୁ ପକ୍ଷଭୁକ୍ତ କରି ସେମାନଙ୍କୁ ଖୁସି କରାଇବା ସହ ଭାରତକୁ ଅସୁବିଧାରେ ପକାଇବାକୁ କୂଟନୀତିର ଖେଳକୁ ଉତ୍ତେଜନାର ଜରିଆ ବନେଇଛି। ନ୍ୟାସନାଲ ପିପୁଲ୍‌ସ୍‌ କଂଗ୍ରେସରେ ପଞ୍ଚବାର୍ଷିକ ବିକାଶ ଯୋଜନା ଉପସ୍ଥାପନ ହୋଇଥିବା ବେଳେ ସେଥିରେ ଉଭୟ ଘରୋଇ ଓ ଆନ୍ତର୍ଜାତିକ ସ୍ତରରେ ବିଶ୍ୱମହାମାରୀ ଉପରେ ବକ୍ତବ୍ୟ ରଖିବାକୁ ରାଷ୍ଟ୍ରପତି ଜିଙ୍କୁ ସୁଯୋଗ ମିଳିଥିଲା। ଏଥିରେ ଘରୋଇ ଶ୍ରୋତାଙ୍କ ପାଇଁ ପ୍ରସଙ୍ଗ ରହିଥିଲା, କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଭାରତ ଓ ଚୀନ୍‌ ମଧ୍ୟରେ ୩୪୮୮ କିମିର ପ୍ରକୃତ ନିୟନ୍ତ୍ରଣରେଖାକୁ ଏକ ପ୍ରସଙ୍ଗ ବନେଇଛି। ଯେଉଁଥିରେ ପାକିସ୍ତାନ ଓ ଏବେର ନେପାଳ ପାଇଁ ଭାରତକୁ ଏକ ଖଳନାୟକ ରୂପେ ଦର୍ଶାଇ, ଚୀନ୍‌ ଚାହୁଛି ଘରୋଇ ଆର୍ଥନୀତିକ ସଂକଟ, ହଂକଂ ଓ ତାଇୱାନ୍‌ ସଂକଟରୁ ଧ୍ୟାନ ହଟେଇବ।

ଏପରିକି କମ୍ବ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ଗ୍ଲୋବାଲ ଟାଇମ୍‌ସ୍‌ରେ ଭାରତକୁ ସିକ୍କିମ ଓ ଲଦାଖର ଆକ୍ରମଣକାରୀ ବୋଲି ଦର୍ଶାଇଛି। ଏପରିକି ଚୀନ୍‌ର ପିପୁଲସ୍‌ ଲିବରେସନ ଆର୍ମି ୧୯୬୦ ମସିହାର ଏକ ମାନଚିତ୍ର ବ୍ୟବହାର କରୁଛି। ଯାହାକୁ ଚୀନ୍‌ ପ୍ରଧାନମନ୍ତ୍ରୀ ଚୌ ଏନ୍‌ ଲାଇ ଉପସ୍ଥାପନ କରି ସେଥିରେ ନିଜ ଇଚ୍ଛାରେ ସୀମା ଟାଣିଛନ୍ତି। ତହିଁରେ ୧୯୬୨ର ଯୁଦ୍ଧ ଓ ୧୯୯୯ର କାର୍ଗିଲ ସେକ୍ଟରରେ ଅନୁପ୍ରବେଶ ପ୍ରସଙ୍ଗ ସହ କାଣିଚାଏ ସଂପର୍କ ନାହିଁ। ଚୀନ୍‌ରେ ବ୍ୟାପକ ଦୁର୍ଭିକ୍ଷରୁ ଧ୍ୟାନ ହଟେଇବା ପାଇଁ ରାଷ୍ଟମୁଖ୍ୟ ମାଓ ଜେଦଙ୍ଗ ଯେପରି ଯୁଦ୍ଧକୁ ଏକ ଜରିଆ ବନେଇଥିଲେ, ସେହିଭଳି ଆଉ ଜଣେ ଚୀନୀ ରାଷ୍ଟ୍ରମୁଖ୍ୟ ୧୯୭୯ରେ ଭିଏତନାମ୍‌ ସହ ସୀମା ଯୁଦ୍ଧ କରି ଆଭ୍ୟନ୍ତରୀଣ ଅଶାନ୍ତିରୁ ଧ୍ୟାନ ହଟାଇଥିଲେ। ଏହିଭଳି ଲଦାଖ ସେମାନଙ୍କର ଅଭିସନ୍ଧି ପୂରଣରେ ସହାୟକ ହୋଇପାରିବ ବୋଲି ସ୍ୱପ୍ନ ଦେଖୁଛନ୍ତି। ଏଥିରେ ଲାଭ କେତେ କ୍ଷତି କେତେ ତାହା ଉପରେ ପାକିସ୍ତାନ କି ନେପାଳ କେହି ଚିନ୍ତା କରୁନାହାନ୍ତି। କାରଣ ୨୦୧୭ରେ ଡୋକ୍‌ଲାମ୍‌ ପ୍ରସଙ୍ଗରେ ଯାହା ଧାର୍ଯ୍ୟ ହେଲା, ତାହା ଭୁଟାନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉ ନାହିଁ। ସତ ହେଉଛି ଯେ ପୂର୍ବ ଲଦାଖରେ ରଣକୌଶଳଗତ ଦରବୁକ୍‌-ଶ୍ୟୋକ୍‌-ଡିବିଓ ରୋଡ୍‌ର ନିର୍ମାଣ ହୋଇଗଲେ, ଭାରତୀୟ ସେନାର ସାମର୍ଥ୍ୟ ସେହି ଅଞ୍ଚଳରେ ବଢ଼ିଯିବ। ତେଣୁ ଗଲୱାନ୍‌ ଉପତ୍ୟକା ବା ପାଙ୍ଗୋଙ୍ଗ୍‌ ସୋ ହ୍ରଦ ପ୍ରସଙ୍ଗରେ ଆନୁଷ୍ଠାନିକ କୂଟନୀତିକ ଓ ସାମରିକ ଉପାୟରେ କିପରି ପ୍ରାକୃତିକ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖାରେ ସଂଜ୍ଞାୟିତ ହୋଇ ପାରିନାହିଁ, ତାହା ଭାରତୀୟ ସ୍ଥଳସେନାକୁ ଭଲ ଭାବେ ଜଣାଅଛି। ଚୀନ୍‌ ଏହାକୁ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ବ୍ୟବହାର କରୁଛି। ତେଣେ ତିବ୍ବତ ପ୍ରସଙ୍ଗରେ ଚୀନ୍‌ର ଆଧିପତ୍ୟ ଓ ଔଦ୍ଧତ୍ୟ ସମସ୍ତ ସୀମା ଲଂଘିସାରିଛି। ଦଲାଇ ଲାମା ୮୪ ବର୍ଷର ହୋଇସାରିଥିବା ବେଳେ ତାଙ୍କ ମନୋନୀତ ପଞ୍ଚେନ୍‌ ଲାମା ୧୯୯୫ ମେ ୧୭ ତାରିଖରୁ ନିଖୋଜ ଅଛନ୍ତି। ଏ‌େ‌ବ ତାଙ୍କୁ ୩୧ ବର୍ଷ ହୋଇଗଲାଣି। ଏହା କୂଟନୀତିକ ଆଲୋଚନା ବା ସାମରିକ ସେନାପତିମାନଙ୍କ କଥାବାର୍ତ୍ତା ଦ୍ୱାରା ନୁହେଁ, ବରଂ ଭାରତର ପ୍ରଧାନମନ୍ତ୍ରୀ ଓ ଚୀନ୍‌ର ରାଷ୍ଟ୍ରପତିଙ୍କ ମଧ୍ୟରେ ୨୪ ଘଣ୍ଟିଆ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ସମାଧାନ ହୋଇପାରିବ।

ସମ୍ବନ୍ଧିତ ଖବର