ଗୁଜରାଟ:୨୯ ଆସନରେ ବିଜୟ ପ୍ରାର୍ଥୀଙ୍କ ଭୋଟ୍‌ ବ୍ୟବଧାନ ଠାରୁ ‘ନୋଟା’ ଭୋଟ୍‌ ଅଧିକ

‘ନୋଟା’ରେ ଭୋଟ ଦେଳେ ସାଢ଼େ ୫ ଲକ୍ଷ ଭୋଟର

ଅହମ୍ମଦାବାଦ: ଲୋକ ପ୍ରତିନିଧିି ମାନେ ଠିକ୍‌ କାର୍ଯ୍ୟ ନ କଲେ ଲୋକେ ତାଙ୍କୁ ପସନ୍ଦ କରନ୍ତି ନାହିଁ। ସେହିପରି ନିର୍ବାଚନ ସମୟରେ ଯଦି ରାଜନୈତିକ ଦଳଗୁଡ଼ିକ ଲୋକଙ୍କ ଦ୍ୱାରା ଆଦୃତ ଦଳୀୟ ପ୍ରାର୍ଥୀ ନ ଦିଅନ୍ତି ତେବେ ପୂର୍ବରୁ ଲୋକେ ଭୋଟ୍‌ ନ ଦେଇ ନିଜ ପ୍ରତିବାଦ ପରୋକ୍ଷରେ ଜଣାଉଥିଲେ। ମାତ୍ର ନିର୍ବାଚନ କମିସନ ‘ନୋଟା’ ( ଏମାନଙ୍କ ମଧ୍ୟରୁ କେହି ନୁହେଁ) ସୁଯୋଗ ଭୋଟ୍‌ ମାନଙ୍କୁ ଦେବା ପରେ ଏହାର ସୁଦୂର ପ୍ରସାରି ପ୍ରଭାବ ଏଥର ଗୁଜରାଟ୍‌ ନିର୍ବାଚନରେ ଦେଖିବାକୁ ମିଳିଛି। ଏପରିକି ରାଜ୍ୟର ୨୯ଟି ନିର୍ବାଚନ ମଣ୍ଡଳିରେ ବିଜୟ ପ୍ରାର୍ଥୀଙ୍କ ଭୋଟ୍‌ ବ୍ୟବଧାନ ଠାରୁ ନୋଟା ଭୋଟ୍‌ ଅଧିକ ଥିବା ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହେଉଛି ଗୁଜରାଟର ପୋରବନ୍ଦର ବିଧାନସଭା ଆସନରେ କଂଗ୍ରେସ ଦଳର ଟାଣୁଆ ନେତା ତଥା କଂଗ୍ରେସ ଦଳର ସମ୍ଭାବିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅର୍ଜୁନ ଭାଇ ମୋଧ୍ୱାଡିଆ ମାତ୍ର ୧୮୫୫ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଥିବା ବେଳେ ସେହି ନିର୍ବାଚନ ମଣ୍ଡଳରେ ୩୪୩୩ ଜଣ ଭୋଟ୍‌ର ନୋଟାରେ ଭୋଟ୍‌ ଦେଇଛନ୍ତି। ସମଗ୍ର ରାଜ୍ୟରେ ସାଢ଼େ ୫ ଲକ୍ଷ ମତଦାତା ନୋଟାରେ ଭୋଟ୍‌ ଦେଇଛନ୍ତି, ଯାହାକି ମୋଟ୍‌ ଭୋଟ୍‌ର ୧.୮ ପ୍ରତିଶତ।

କେବଳ ସେତିକି ନୁହେଁ, ରାଜ୍ୟରେ ବି ଜେ ପି ଓ କଂଗ୍ରେସ ଦଳକୁ ଛାଡ଼ି ଦେଲେ ଅନ୍ୟ ଯେତେ ଛୋଟ ଛୋଟ ଦଳ ନିର୍ବାଚନ ଲଢ଼ୁଥିଲେ, ସେମାନଙ୍କ ଭୋଟ୍‌ ପ୍ରତିଶତ ଠାରୁ ଏହା ଅଧିକ ହୋଇ ନୋଟା ରାଜ୍ୟରେ ଭୋଟରଙ୍କ ଭୋଟ୍‌ ହାତେଇବାରେ ତୃତୀୟ ସ୍ଥାନରେ ରହିଛି।
ଗୁଜରାଟ ପରିପ୍ରେକ୍ଷୀରେ ଯଦି ଏହି ନୋଟା ଭୋଟ୍‌କୁ ବିଶ୍ଳେଷଣ କରାଯାଇ, ତେବେ ପ୍ରାୟ ସାଢ଼େ ୫ ଲକ୍ଷ ଭୋଟର ବିଜେପି ପ୍ରତି ଅସନ୍ତୁଷ୍ଟ। ମାତ୍ର ସେମାନେ କଂଗ୍ରେସକୁ ଗ୍ରହଣ କରିବାକୁ ନାରାଜ। ଯାହାର ପ୍ରତିଫଳନ ସେମାନେ ଇ ଭି ଏମ ମେସିନ୍‌ର ନୋଟା ବଟମ୍‌ ଚିପି କରିଛନ୍ତି । ୨୦୧୩ ମସିହାରେ ନିର୍ବାଚନ କମିସନ୍‌ ‘ ନୋଟା’ ବିକଳ୍ପ ଭୋଟର ମାନଙ୍କୁ ଦେଇଥିଲେ। ସେଥି ମଧ୍ୟରୁ ମାତ୍ର ୪ଟି ନିର୍ବାଚନରେ ନୋଟା ଭୋଟ୍‌ ମୋଟ୍‌ ଭୋଟ୍‌ର ୧.୮ ପ୍ରତିଶତକୁ ଅତିକ୍ରମ କରିଛି। ୨୦୧୫ ମସିହା ବିହାର ବିଧାନ ସଭା ନିର୍ବାଚନରେ ଏହା ୩.୫ ପ୍ରତିଶତ ଛୁଇଁ ଥିବା ବେଳେ ୨୦୧୩ରେ ଛତିଶଗଡ଼ରେ ୩.୧ ପ୍ରତିଶତ ଓ ମଧ୍ୟ ପ୍ରଦେଶରେ ୧.୯ ପ୍ରତିଶତ ଭୋଟ୍‌ର ନୋଟାରେ ଭୋଟ୍‌ ଦେଇଥିଲେ। ତେବେ ଏହି ସବୁ ରାଜ୍ୟ ବିଧାନସଭା ନିର୍ବାଚନରେ ଗୁଜୁରାଟ୍‌ ପରି ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇ ନ ଥିଲା। ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ଗୁଜରା୍‌ ଭୋଟର ମେଦି ହାଓ୍ଵା ସତ୍ତ୍ୱେ ୧.୮ ପ୍ରତିଶତ ଭୋଟର ନୋଟାରେ ଭୋଟ୍‌ ଦେଇଥିଲେ। ତେବେ ଚଳିତ ଗୁଜରାଟ ନିର୍ବାଚନରେ ସମଗ୍ର ରାଜ୍ୟରେ ନୋଟାର ଉପସ୍ଥିତି ଜଣା ପଡ଼ିଛି। ମାତ୍ର କେନ୍ଦ୍ରୀୟ ଗୁଜରାଟରେ ଏହା ସର୍ବାଧିକ ୨ ପ୍ରତିଶତ ଥିବା ବେଳେ ଦକ୍ଷିଣ ଗୁଜୁରାଟ୍‌ରେ ସର୍ବନିମ୍ନ ୧.୬ ପ୍ରତିଶତ ଭୋଟର ନୋଟାରେ ଭୋଟ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର