ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ

ଜାତିସଂଘ: ସମଗ୍ର ବିଶ୍ୱରେ ନିଜ ଦେଶ ଛାଡ଼ି ଅନ୍ୟତ୍ର ବସବାସ କରୁଥିବା ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ ବୋଲି ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଇଛି। ୨୦୧୫ ମସିହାରେ ପାଖାପାଖି ୧୬ ନିୟୁତ ଭାରତୀୟ ବିଦେଶରେ ରହୁଥିଲେ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି। ୧୯୯୦ ମସିହା ବେଳେ ଏହି ସଂଖ୍ୟା ୬.୭ ନିୟୁତ ଥିବା ବେଳେ ୨୫ ବର୍ଷ ଭିତରେ ତାହା ଦୁଇଗୁଣରୁ ଅଧିକ ବଢ଼ିଛି। ଅପରପକ୍ଷେ, ଭାରତ ୧୯୯୦ ମସିହା ବେଳେ ସାଢ଼େ ୭ ନିୟୁତ ପ୍ରବାସୀଙ୍କୁ ସେବା ଯୋଗାଇଥିବା ବେଳେ ଏହି ସଂଖ୍ୟା ୨୦୧୫ ବେଳକୁ ୫.୨ ନିୟୁତକୁ ଖସିଆସିଛି। ଅନ୍ତର୍ଜାତୀୟ ପ୍ରବାସୀ ପ୍ରବୃତ୍ତି ଉପରେ ସର୍ବେକ୍ଷଣ କରୁଥିବା ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୫ ମସିହାରେ ସାରା ବିଶ୍ୱରେ ମୋଟ ୨୪୪ ନିୟୁତ ଲୋକ ନିଜ ଜନ୍ମସ୍ଥାନ ଛାଡ଼ି ପ୍ରବାସୀ ଜୀବନ ବିତାଉଥିଲେ। ତେବେ ୨୦୦୦ ମସିହା ତୁଳନାରେ ଏହି ସଂଖ୍ୟାରେ ୪୧ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ମୋଟ ପ୍ରବାସୀଙ୍କ ମଧ୍ୟରୁ ପାଖାପାଖି ୭୬ ନିୟୁତ ୟୁରୋପୀୟ ଦେଶମାନଙ୍କରେ ପ୍ରବାସୀ ସାଜିଥିବା ବେଳେ ୭୫ ନିୟୁତ ପ୍ରବାସୀ ନିଜର କର୍ମସ୍ଥଳ ଭାବେ ଏସୀୟ ଦେଶଗୁଡ଼ିକୁ ପସନ୍ଦ କରିଥିବା ଜଣାଯାଇଛି।

୨୦୧୫ ମସିହାର ତଥ୍ୟକୁ ଦେଖିଲେ ଭାରତ ପଛକୁ ମେକ୍ସିକୋର ପ୍ରବାସୀ ସଂଖ୍ୟା ୧୨ ନିୟୁତ ରହିଛି। ସେହିପରି ମୋଟ ପ୍ରବାସୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ୨୦ଟି ଦେଶରେ ହିଁ ଥଇଥାନ ହୋଇଥିବା ଜଣାଯାଇଛି। ସର୍ବାଧିକ ୪୬.୬ ନିୟୁତ ପ୍ରବାସୀଙ୍କୁ ଆପଣେଇ ଆମେରିକା ଶୀର୍ଷରେ ରହିଥିବା ବେଳେ ତାହା ପଛକୁ ଜର୍ମାନୀ, ଋଷିଆ, ସାଉଦି ଆରବ, ବ୍ରିଟେନ ଏବଂ ସଂଯୁକ୍ତ ଆରବ ଆଦି ଦେଶ ରହିଛନ୍ତି। ଏହି କ୍ରମରେ ଭାରତର ସ୍ଥାନ ୧୨ରେ ରହିଛି। ପ୍ରବାସୀମାନଙ୍କ କର୍ମସଂସ୍ଥାନ ଏବଂ ଜୀବନଶୈଳୀର ସୁପରିଚାଳନା ଦ୍ୱାରା ସେମାନଙ୍କ ଜନ୍ମମାଟି ଏବଂ ପରିବାରର ଅନେକ ଫାଇଦା ହେଉଛି ବୋଲି ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବିଭାଗ ଅନୁସଚିବ ଉ ହଙ୍ଗବୋ କହିଛନ୍ତି।

ସମ୍ବନ୍ଧିତ ଖବର