ଏନଟିପିସି ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୩୨ ଛୁଇଁଲା

ରାଏବରେଲି: ଉତ୍ତରପ୍ରଦେଶ ରାଏବରେଲିରେ ଏନଟିପିସି ପାଓ୍ଵାର ପ୍ଲାଣ୍ଟ୍‌ରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ତେବେ ଦୁର୍ଘଟଣା ସ୍ଥଳରୁ ଆସିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାଯାଇଛି ଯେ ସୁରକ୍ଷା ନିୟମ ଭଙ୍ଗ ହୋଇଥିବା ହେତୁ ବିସ୍ଫୋରଣ ହୋଇଛି। ଏନଟିପିସି ଅଧ୍ୟକ୍ଷ ଗୁରଦୀପ୍‌ ସିଂହ କହିଛନ୍ତି ଯେ ବରିଷ୍ଠ ନିର୍ଦ୍ଦେଶକଙ୍କ ଅଧିନରେ ଗଠିତ ହୋଇଥିବା ତଦନ୍ତ କମିଟି ୩୦ ଦିନ ମଧ୍ୟରେ ଏନେଇ ତଦନ୍ତ ରିପୋର୍ଟ ଦାଖଲ କରିବେ। ୧୨ ଜଣଙ୍କ ଅବସ୍ଥା ଅତୀବ ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ ଉତ୍ତମ ଚିକିତ୍ସା ଲାଗି ସଫଦରଜୁଙ୍ଗ ସ୍ଥାନାନ୍ତରିତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମାନବିକ ଅଧିକାର କମିସନ ଏହି ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ୟୁପି ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏନେଇ ରାଜ୍ୟ ସରକାର ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମସ୍ତ ମୃତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୨ ଲକ୍ଷ କ୍ଷତିିପୂରଣ ଘୋଷଣା କରିଥିବାବେଳେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ପରେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ୧୫୫୦ ମେଗାଓ୍ଵାଟ୍‌ ପାଓ୍ଵାର ପ୍ଲାଣ୍ଟ୍‌ର ୫୦୦ ମେଗାଓ୍ଵାଟ୍‌ ୟୁନିଟ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟରତ ଥିବାବେଳେ ପାଉଁଶ ନିଷ୍କାସନ ସେକ୍ସନ୍‌ରେ ୩୦ ବର୍ଷର ପୁରୁଣା ପାଇପ୍‌ ଫାଟିଯିବା ଫଳରେ ନିମିଷକେ ଚାରି ଆଡ଼କୁ ନିଅାଁ ବ୍ୟାପି ଯାଇଥିଲା। ତେବେ ପ୍ରଥମ ଦିନରେ ସମୁଦାୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତେଣୁ ଦ୍ୱିତୀୟ ଦିନରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୬ରେ ପହଞ୍ଚିଥିଲା ଏବଂ ଆଜି ତୃତୀୟ ଦିନରେ ମୃତ୍ୟୁ ସଂଖ୍ୟା ୩୨ ଛୁଇଁଛି।

ସମ୍ବନ୍ଧିତ ଖବର