ମଥାରେ ସିନ୍ଦୂର, ହାତରେ ମେହେନ୍ଦୀ ଲଗାଇ ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକରେ ସଂସଦରେ ଶପଥ ନେଲେ ନୁସରତ ଜାହାଁ

ନୂଆଦିଲ୍ଲୀ: ୧୭ତମ ଲୋକସଭାରେ ମମତା ବାନାର୍ଜୀଙ୍କ ତୃଣମୂଳ ପାର୍ଟିରୁ ନିର୍ବାଚନ ଜିତିଥିବା ବଙ୍ଗୀୟା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଓ ନୁସରତ ଜାହାଁ ମଙ୍ଗଳବାର ସଂସଦରେ ଶପଥ ନେଇଛନ୍ତି। ଅଭିନେତ୍ରୀରୁ ସାଂସଦ ହୋଇଥିବା ଏହି ଦୁଇ ଷ୍ଟାର ଶପଥ ନେବା ପରେ ବାଚସ୍ପତି ଓମ ବିର୍ଲାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ସଂସଦରେ ନୁସରତ ସମ୍ପୂର୍ଣ୍ଣ ହିନ୍ଦୁ ପାରମ୍ପରିକ ଶୈଳୀରେ ନଜର ଆସିଥିଲେ। ନବବିବାହିତା ନୁସରତ ହିନ୍ଦୁ ଘରର ବୋହୂ ଭଳି ମଥାରେ ସିନ୍ଦୂର, ହାତରେ ମେହେନ୍ଦୀ ଓ ଚୁଡି ପିନ୍ଧି ଥିବା ଦେଖିବାକୁ ମିଳିଥିଲା। ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ, ନୁସରତ ଜାହାଁ ବ୍ୟବସାୟୀ ନିଖିଲ ଜୈନ୍‌ଙ୍କ ସହ ଜୁନ୍‌ ୧୯ରେ ଟର୍କିର ବୋଡରମ୍‌ ସିଟିରେ ବିବାହ କରିଥିଲେ। ବିବାହରେ ବ୍ୟସ୍ତତା ହେତୁ ନୁସରତ ଜାହାଁ ସଂସଦର ଅଧିବେଶନରେ ଶପଥ ନେବା ପାଇଁ ପହଞ୍ଚି ପାରି ନଥିଲେ।

ନୁସରତଙ୍କ ବିବାହରେ ତାଙ୍କର ଅତି ପ୍ରିୟ ସାଙ୍ଗ ମିମି ଚକ୍ରବର୍ତ୍ତୀ ବି ନଜର ଆସିଥିଲେ। ଏହି ଦୁଇ ଷ୍ଟାରଙ୍କୁ ଏହି କାରଣରୁ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେବାକୁ ପଡ଼ିଥିଲା। ୟୁଜର୍ସଙ୍କ କହିବାନୁସାରେ, ବିବାହ ଓ ରିସେପସନ୍‌ ପାଇଁ ନୁସରତ ଜାହାଁଙ୍କ ପାଖରେ ସମୟ ଅଛି କିନ୍ତୁ ସଂସଦରେ ଶପଥ ନେବା ପାଇଁ ତାଙ୍କ ପାଖରେ ସମୟ ନାହିଁ।

ସମ୍ବନ୍ଧିତ ଖବର