ଅନ୍‌ଲାଇନ୍‌ ମିଡିଆ ନିୟନ୍ତ୍ରଣ ପାଇଁ କମିଟି

ନୂଆଦିଲ୍ଲୀ: ମିଛ ଖବର ଉପରେ କଟକଣାକୁ ନେଇ ଚର୍ଚ୍ଚାକୁ ଆସିଥିବା କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବେ ଅନ୍‌ଲାଇନ୍‌ ମିଡିଆ ଉପରେ ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ଏହି କମିଟି ବିିଭିନ୍ନ ଅନ୍‌ଲାଇନ୍‌ ନ୍ୟୁଜ୍‌ ପୋର୍ଟାଲ ବା େଓ୍ଵବସାଇଟର ନିୟମ ନିର୍ଦ୍ଧାରଣ କରିବା ସହ ମିଛ ଖବର ସଂକ୍ରାନ୍ତରେ ମଧ୍ୟ ମନ୍ତ୍ରାଳୟକୁ ରିପୋର୍ଟ ଦେବା ସହ ଦଣ୍ଡ ବ୍ୟବସ୍ଥା ଲାଗୁ କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ଓ ଆଇନ୍‌ ବିଭାଗର ବରିଷ୍ଠ ସଚିବ ଏହି କମିଟିରେ ସ୍ଥାନ ପାଇଛନ୍ତି। ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ), ଖବର ପ୍ରସାରକ ସଂଘ(ଏନ୍‌ବିଏ), ଭାରତୀୟ ପ୍ରସାରକ ସଂଘ(ଆଇବିଏଫ୍‌)ର ପ୍ରତିନିଧିମାନେ ମଧ୍ୟ ଏହି କମିଟିରେ ରହିଥିବା ଜଣାପଡ଼ିଛି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟଭାବେ ଉଲ୍ଳେଖ କରାଯାଇଛି ଯେ, ଘରୋଇ ଟିଭି ଚ୍ୟାନେଲ ଗୁଡିକ ପ୍ରୋଗ୍ରାମ ଓ ବିଜ୍ଞାପନ ନିୟମ ଦ୍ୱାରା ପରିଚାଳିତ ହେଉଥିବା ବେଳେ ମୁଦ୍ରିତ ଗଣମାଧ୍ୟମ ପାଇଁ ପିସିଆଇ ବିଭିନ୍ନ ନିୟମ ପ୍ରଣୟନ କରିଛି। ତେବେ ଅନ୍‌ଲାଇନ୍‌ ମିଡିଆ, ନ୍ୟୁଜ୍‌ େଓ୍ଵବ୍‌ସାଇଟ ବା ପୋର୍ଟାଲ ଉପରେ ନିୟନ୍ତ୍ରଣ ପାଇଁ ସେଭଳି କୌଣସି ନିୟମ ବା ନିୟନ୍ତ୍ରଣ କରୁଥିବା ସଂସ୍ଥା ନାହିଁ। ତେଣୁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ପରି ଅନ୍‌ଲାଇନ୍‌ ଗଣମାଧ୍ୟମର ନିୟନ୍ତ୍ରଣ ପାଇଁ ଏହି ଏହି କମିଟି କାର୍ଯ୍ୟ କରିବେ ବୋଲି ମନ୍ତ୍ରାଳୟ କହିଛନ୍ତି।

ସମ୍ବନ୍ଧିତ ଖବର