ଅଯୋଧ୍ୟାରେ ରାମଙ୍କର ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରସ୍ତାବର ତୀବ୍ର ବିରୋଧ କଲେ ରାମଲାଲା ମନ୍ଦିରର ମୁଖ୍ୟ ପୂଜକ 

ଅଯୋଧ୍ୟା (ଉତ୍ତରପ୍ରଦେଶ): ଅଯୋଧ୍ୟାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ଘୋଷଣା କରିବାକୁ ଯାଉଛନ୍ତି, ତାହାର ତୀବ୍ର ବିରୋଧ କରିଛନ୍ତି ଅଯୋଧ୍ୟାର ବିବାଦୀୟ ସ୍ଥଳୀରେ ଥିବା ଅସ୍ଥାୟୀ ରାମଲାଲା ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାସ।

ଅଯୋଧ୍ୟାର ବିବାଦୀୟ ସ୍ଥଳୀରେ ଥିବା ଅସ୍ଥାୟୀ ରାମଲାଲା ମନ୍ଦିରରେ ବିଗତ ୨୫ ବର୍ଷ ଧରି ମୁଖ୍ୟ ପୂଜକ ରହି ଆସିଥିବା ମହନ୍ତ ସତ୍ୟେନ୍ଦ୍ର ଦାସ ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ଏପ୍ରକାର ନିଷ୍ପତ୍ତିର ବିରୋଧ କରି କହିଛନ୍ତି ଯେ ଏକ ଖୋଲା ସ୍ଥାନରେ ଭଗବାନ ରାମଙ୍କର ସୁଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଖୋଲା ଆକାଶ ତଳେ ଭଗବାନ ରାମଙ୍କର ଏତେ ଉଚ୍ଚ ପ୍ରତିମୂର୍ତ୍ତି କଲେ ତାହାର ଯତ୍ନ ନେବ କିଏ? ଦୈନିକ ପୂଜାର୍ଚ୍ଚନା କରିବ କିଏ? ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମହନ୍ତ ସତ୍ୟେନ୍ଦ୍ର ଦାସ।

ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ସମାଲୋଚନା କରିବାକୁ ଯାଇ ମହନ୍ତ ଦାସ କହିଛନ୍ତି, ‘କେହି କେବେ ଭୁଲିଯିବା ଉଚିତ ନୁହେଁ ଯେ ରାମ କୌଣସି ରାଜନେତା ନୁହନ୍ତି ଯେ ତାଙ୍କର ପ୍ରତିମୂର୍ତ୍ତି ତୁମେ ଯେଉଁଠି ନାଇ ସେଇଠି ଖୋଲା ଆକାଶ ତଳେ ମନଇଚ୍ଛା ପ୍ରତିଷ୍ଠା କରିଦେଇ ତାକୁ ଅନାଥ ଭାବେ ଛାଡ଼ିଦେବ। ରାମ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଏବଂ ଭଗବାନ। ତାଙ୍କ ସ୍ଥାନ ହେଉଛି ମନ୍ଦିର ମଧ୍ୟରେ।’ ତେଣୁ, ଯେଉଁଠି ନାଇ ସେଇଠି ରାମଙ୍କର ପ୍ରତିମୂର୍ତ୍ତି ନିର୍ମାଣରୁ କ୍ଷାନ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପରାମର୍ଶ ଦେଇଛନ୍ତି, ଅଯୋଧ୍ୟାର ବିବାଦୀୟ ସ୍ଥଳୀରେ ଥିବା ଅସ୍ଥାୟୀ ରାମଲାଲା ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାସ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏବେ ନିର୍ବାଚନ ପାଖେଇ ଆସିଥିବା ବେଳେ ଅଯୋଧ୍ୟାରେ ରାମ ମନ୍ଦର ନିର୍ମାଣ ପ୍ରସଙ୍ଗ ପୁଣି ଜୋର ଧରିଛି। ଏପରିକି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଜାରି କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛି ସାଧୁସନ୍ଥ ସମାଜ। ଏହି ପରିପ୍ରେକ୍ଷୀରେ ଦେଶର ସାଧୁସନ୍ଥ ସମାଜକୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ଅଯୋଧ୍ୟାର ସରଜୁ ନଦୀ କୂଳରେ ୩୩୦ କୋଟି ବ୍ୟୟରେ ରାମଙ୍କର ୧୦୮ ମିଟର ଉଚ୍ଚତା ବିଶିଷ୍ଟ ଏକ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଉଥିଲେ, ଯାହାର ଆନୁଷ୍ଠାନିକ ଘୋଷଣା ସେ ଦୀପାବଳି ଅବସରରେ କରିଥାନ୍ତେ ବୋଲି ଯୋଜନା ଚାଲିଥିଲା।

ସମ୍ବନ୍ଧିତ ଖବର